ଭୁବନେଶ୍ବର: ରାଜ୍ୟର ସମସ୍ତ ବିଦ୍ୟାଳୟ ଆସନ୍ତା ୨ ଦିନ ବନ୍ଦ ରହିବ । କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ନେଇ ଘୋଷଣା କରିବା ପରେ ଏନେଇ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଏଣେ ୧୬ ତାରିଖ ଦିନ ସରସ୍ବତୀ ପୂଜାକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।ଆସନ୍ତାକାଲି ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। କାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି। ତେବେ ଏହି ସମୟରେ ଔଷଧ ଦୋକାନ ଓ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ବନ୍ଦ ପାଳନ ସମୟରେ ବାହାଘର ଗାଡ଼ି ଓ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକାଯିବନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ହେଲେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ବନ୍ଦ ହେବା ନେଇ ଘୋଷଣା ମଧ୍ୟ କରିଦେଇଛନ୍ତି।