ବିଆର୍‌ଜି ‘ଅମ୍ଳଜାନ’ କାରଖାନା ବନ୍ଦ

0
27

ଓଡ଼ାପଡ଼ା: ଅତି ଭୟା‌ନକ ରୂପ ନେଲାଣି କରୋନାର ଦ୍ବିତୀୟ ଲହର। ଭୂତାଣୁ ଯେତିକି ବିପଦ ଠିଆ କରିଛି, ଅମ୍ଳଜାନର ଘୋର ଅଭାବ ତା’ଠାରୁ ଢେର୍‌ ଅଧିକ ସଂକଟମୟ ସ୍ଥିତି ସୃଷ୍ଟି କଲାଣି। ଦେଶରେ ଅମ୍ଳଜାନ ଘୋର ସଂକଟ ସୃଷ୍ଟି ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଏକ ‘ଅମ୍ଳଜାନ’ କାରଖାନା ଗତ କିଛି ଦିନ ହେଲା ବନ୍ଦ ହୋଇପଡ଼ିଛି। ଯଦିଓ ଏହା କୌଣସି ସରକାରୀ ଅନୁଷ୍ଠାନର ନୁହେଁ, ବେସରକାରୀ ସୂତ୍ରରେ ଓଡ଼ାପଡ଼ା ବ୍ଲକ୍‌ କୁରୁଣ୍ଟି ସ୍ଥିତ ବିଆର୍‌ଜି କାରଖାନା ଭିତରେ ତିଆରି ହୋଇଥିବା ଏ କାରଖାନାକୁ ଚଳାଇଲେ ଏହା ମଧ୍ୟ ଅନେକ ଜୀବନ ରକ୍ଷା କରି ପାରିବ ବୋଲି ବୁଦ୍ଧିଜୀବୀ ମହଲ ପ୍ରକାଶ କରିଛନ୍ତି। କୁରୁଣ୍ଟିଠାରେ ସ୍ଥାପିତ ଏ କାରଖାନା ହେଉଛି ଏକ ଷ୍ଟିଲ୍ ପ୍ଲାଣ୍ଟ୍। ଭୂଷଣ ଏବଂ ଜିନ୍ଦଲ କାରଖାନା ଭଳି ବଡ଼ ନ ହେଲେ ବି ଆଜକୁ ପ୍ରାୟ ୧୭ବର୍ଷ ହେଲା ଏ କାରଖାନା ନିଜର ଉତ୍ପାଦନ କରି ଆସୁଥିଲା।ପ୍ରତ୍ୟେକ ଇସ୍ପାତ କାରଖାନା ପାଇଁ ଅମ୍ଳଜାନ ନିହାତି ଜରୁରୀ । ଜିନ୍ଦଲ ଏବଂ ଭୂଷଣ-ଟାଟା ଷ୍ଟିଲ୍ ଯେପରି ନିଜର ସ୍ବତନ୍ତ୍ର ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ୍ ତିଆରି କରିଛନ୍ତି, ବିଆର୍‌ଜିରେ ମଧ୍ୟ ଅନୁରୂପ ଏକ ସୁନ୍ଦର ଭିତ୍ତିଭୂମି ଠିଆ ହୋଇଛି। ବିଆର୍‌ଜିର ତିନୋଟି ୟୁନିଟ୍‌କୁ ଅମ୍ଳଜାନ ଯୋଗାଇବାରେ ବେଶ୍ ସକ୍ଷମ ଏ ପ୍ଲାଣ୍ଟର ଦୈନିକ ଅମ୍ଳଜାନ ଉତ୍ପାଦନ କ୍ଷମତା ପ୍ରାୟ ୪୦/୫୦ଟନ୍‌ ବୋଲି କୁହାଯାଉଛି। କିନ୍ତୁ, ଦେବାଳିୟା ସ୍ଥିତି ପାଇଁ ଏ ପ୍ଲାଣ୍ଟ୍ ବର୍ତ୍ତମାନ ସାମୟିକ ବନ୍ଦ କରାଯାଇଛି। କାରଖାନାର ଲିକ୍ବିଡେସନ୍‌ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଛି। କାରଖାନା ବନ୍ଦ ପାଇଁ ପ୍ରାୟ ୧୨ଶହ ପରିବାର ମୁଣ୍ଡରେ ଚଡ଼କ ପଡ଼ିଛି। କରୋନା ସମୟରେ କାରଖାନା ବନ୍ଦ ହେବା ଘଟଣା ପାଇଁ ପ୍ରାୟ ୧୨ଶହ ଶ୍ରମିକ ପରିବାର ଆର୍ଥିକ ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଯାଇଛନ୍ତି। ପରିସ୍ଥିତି ବର୍ତ୍ତମାନ ଏମିତି ହୋଇଛି ଯେ, କାରଖାନାକୁ ବିଜୁଳି ବି କାଟି ଦିଆଯାଇଛି। ପୂରା କାରଖାନା ବନ୍ଦ ରହିବା ଯୋଗୁ ବିଆର୍‌ଜିର ‘ଅମ୍ଳଜାନ’ କାରଖାନା ବି ଚାଲୁନାହିଁ। କେନ୍ଦ୍ର ସରକାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ‘ଅମ୍ଳଜାନ’ କାରଖାନା ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ। ସେଥିପାଇଁ ମେଡିକାଲରେ ସେଡ୍ ତିଆରି ହୋଇଛି। ଯନ୍ତ୍ରାଂଶ ଖଞ୍ଜାଯାଇ ନାହିଁ ବୋଲି ଅମ୍ଳଜାନ କାରଖାନା ଆରମ୍ଭ ହୋଇପାରି ନାହିଁ। ଜିନ୍ଦଲ ଏବଂ ଭୂଷଣ ଭଳି କାରଖାନାମାନଙ୍କର ଅମ୍ଳଜାନ ପ୍ଲାଣ୍ଟ ପାଇଁ କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟବାସୀଙ୍କର ଜୀବନ ରକ୍ଷା ହୋଇପାରୁଛି। ଅମ୍ଳଜାନ ସଂକଟ ଦୃଷ୍ଟିରୁ ବର୍ତ୍ତମାନ ଓଡ଼ିଶାର ସ୍ଥିତି ଏତେଟା ବିପଦ ଆଡ଼କୁ ଯଦିଓ ଗତି କରିନାହିଁ, ତଥାପି ଦୁଆର ମୁହଁରେ ବିପଦ ଠିଆ ହେବା ପୂର୍ବରୁ ବିଆର୍‌ଜିରେ ଥିବା ‘ଅମ୍ଳଜାନ’ କାରଖାନାକୁ ଚଳାଇବା ପାଇଁ ଉଦ୍ୟମ ହେବା ଉଚିତ୍‌ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here