ଭୋକିଲାଙ୍କ ଅନ୍ନଦାତା ଡିନୋ

0
578
abc
abc

ବୟସର ଅପରାହ୍ନରେ ସେ । ମୁହଁରେ ବୃଦ୍ଧାବସ୍ଥାର କୁଂଚନ, ମୁଣ୍ଡରେ ପାଚିଲା ଚୁଟି, ଆଖିରେ ମୋଟା ଫ୍ରେମର ଚଷମା ଆଉ ପୁଣି ଦୁର୍ବଳ ଦେଖାଯାଉଥିବା ଶରୀର । ଏତେ ସବୁ ଭିତରେ ସେ ଥକି ନାହାଁନ୍ତି । ଏବୟସରେ ଅନ୍ୟମାନେ ଶୋଉଥିବାବେଳେ ସେ କିନ୍ତୁ ଅଛନ୍ତି ବେଶ୍ ଫୂର୍ତୀ । ନିଜ ହାତରେ ଭିନ୍ନ ଭିନ୍ନ ପ୍ରକାରର ରୋଷେଇ କରି ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉନଥିବା ପେଟକୁ ଯୋଗାଉଛନ୍ତି ଆହାର । ଆମେ ଯାହାଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ଇଟାଲୀର ୯୦ବର୍ଷୀୟ ଡିନୋ ଇମ୍ପୋଗ୍ଲିୟାଜୋ । ଏବେ ସେ ଅନବରତ ଧାଉଁଛନ୍ତି କାହିଁକି ନା ଯେମିତିକି ଗୋଟିଏ ବି ପେଟ ଭୋକିଲା ନରହୁ । ସେଥିପାଇଁ ତ ଦୁନିଆଁ ତାଙ୍କୁ ଗରୀବଙ୍କ ମାଷ୍ଟର ସେଫ୍‌ର ପରିଚୟ ଦେଇଛି । ଇଟାଲୀର ସୋସିଆଲ ସିକ୍ୟୁରିଟି ବିଭାଗରୁ ଅବସର ନେବା ପରେ ଦୀର୍ଘ ୧୫ ବର୍ଷ ହେବ ଏହି କାମରେ ନିଜକୁ ନିୟୋଜିତ କରିଛନ୍ତି । ଯାହାଙ୍କ ରୋଷେଇ ଶାଳାରୁ ସପ୍ତାହ ୭ଦିନରୁ ୩ଦିନ ନାନାଦି ପ୍ରକାରର ଭୋଜନ ପ୍ରସ୍ତୁତ ହୁଏ । ତେବେ ପୂର୍ବରୁ ୫ଦିନ ରୋଷେଇ ହେଉଥିବାବେଳେ ବୟସାଧିକ ହେତୁ ଏବେ ଅଧିକ ଦିନ କାମ କରିବାକୁ ସାଥ୍ ଦେଉନି । ତେଣୁ ୫ଦିନ ପରିବର୍ତେ ୩ଦିନ ହେଉଛି ରୋଷେଇ । ସହରର ଗରିବ ଗୁରୁବାଙ୍କ ପାଇଁ ସେ ଏହି ଖାଦ୍ୟ ରାନ୍ଧି ଥାନ୍ତି । ୨ଦିନ ରେଲୱେ ଷ୍ଟେସନରେ ଏବଂ ଗୋଟିଏ ଦିନ ସେଂଟ ପିଟର୍ସ ସ୍କୋୟାରରେ ଖାଦ୍ୟ ବାଂଟି ଥାନ୍ତି । ଡିନୋଙ୍କ କହିବାନୂସାରେ ଥରେ ତାଙ୍କୁ ଜଣେ ଭୋକିଲା ବ୍ୟକ୍ତି ଖାଇବା ପାଇଁ ଟଙ୍କା ମାଗିଥିଲେ । ସେ ତାଙ୍କୁ ଟଙ୍କା ଦେବା ସହ ସେହି ଦିନ ଠାରୁ ଏହି କାମ ପାଇଁ ପ୍ରତିଜ୍ଞା ବଦ୍ଧ ହୋଇଥିଲେ । ତାଙ୍କର ରୋମ ର ପ୍ରେମ ନାମକ ଏକ ଆସୋସିଏସନ୍ ରହିଛି । ଯେଉଁଥିରେ ୩୦୦ରୁ ଅଧିକ ଭୋକିଲା ଲୋକଙ୍କୁ ଖାଦ୍ୟ ପହଁଚାଇବାର କାମ କରାଯାଏ । ସପ୍ତାହର ୪ଦିନ ବିଭିନ୍ନ ବଜାର ଏବଂ ବେକେରୀ ଦୋକାନରୁ ପାଣ୍ଠି ସଂଗ୍ରହ କରି ସେହି ଟଙ୍କାରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ତେବେ ଆଜିର ସମାଜରେ ସ୍ୱାର୍ଥ ପଛରେ ସଭିଏଁ ଧାଉଁଥିବାବେଳେ ଡିନୋ କିନ୍ତୁ ଚିନ୍ତା କରନ୍ତି କେମତି ଜଣେ ବି ଭୋକିଲା ନରୁହନ୍ତୁ ।

LEAVE A REPLY

Please enter your comment!
Please enter your name here