୩୦ ଲକ୍ଷ କୋଟିର କ୍ଷତି ସହିବ ଅର୍ଥନୀତି

0
48

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୧୧/୦୯ (ବ୍ୟୁରୋ)-   କରୋନା ସଙ୍କଟ ପ୍ରଭାବରେ ଭାରତୀୟ ଅର୍ଥନୀତି ୩୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ପକ୍ଷରୁ ଆକଳନ କରାଯାଇଛି। ଭାରତର ଅଭିବୃଦ୍ଧି ୯ ପ୍ରତିଶତ ହ୍ରାସ ପାଇବ। ୧୯୫୦ ପରେ ଭାରତ ସବୁଠୁ ଖରାପ ସମୟ ଦେଇ ଗତି କରିବ। କିଛି ମାସ ପୂର୍ବରୁ କ୍ରିସିଲ୍ କହିଥିଲା ଯେ କରୋନା ମହାମାରୀ ପ୍ରଭାବରେ ଭାରତର ଅଭିବୃଦ୍ଧି ୫ ପ୍ରତିଶତ ହ୍ରାସ ପାଇବ। କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଅର୍ଥନୀତିର ଅବନତିକୁ ରୋକିବା ଲାଗି ସରକାର କୌଣସି ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଦେଉନାହାନ୍ତି।‌ ସେଥିପାଇଁ ନିଜର ଆକଳନ ବଦଳାଇବାକୁ ବାଧ୍ୟ ‌ହୋଇଥିବା କ୍ରିସିଲ କହିଛି।

ଏହାର ରିପୋର୍ଟ ‘ମାଇନସ୍‌ ନାଇନ୍ ନାଓ’ (ଏବେ ବିଯୁକ୍ତ ନଅ)ରେ କୁହାଯାଇଛି ଯେ, ଆସନ୍ତା ଆର୍ଥିକ ବର୍ଷ (୨୦୨୧-୨୨)‌ରେ ଭାରତୀୟ ଅର୍ଥନୀତିରେ ଦ୍ରୁତ ସୁଧାର ହେବ ଓ ତାହା ୧୦ ପ୍ରତିଶତ ହାରରେ ଆଗକୁ ବଢ଼ିବ। କିନ୍ତୁ, ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ର ଦ୍ବିତୀୟ ଭାଗରେ ଅର୍ଥନୀତିରେ ୧୨ ପ୍ରତିଶତ ହ୍ରାସ ଘଟିବ ବେଲି ଏହା ଜଣାଇଛି। ୨୦୧୯-୨୦ରେ ଭାରତ ଯେଉଁଠାରେ ଥିଲା ସେହି ସ୍ଥିତିକୁ ଫେରିବା ଲାଗି ଅତିକମରେ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ୨୦୨୫ ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧି ବାର୍ଷିକ ହାରାହାରି ୬.୨ ପ୍ରତିଶତ ରହିବ। ମହାମାରୀ ପୂର୍ବ ସମୟର ସ୍ଥିତିକୁ ଫେରିବାକୁ ହେଲେ ପରବର୍ତୀ ତିନି ବର୍ଷ ପର୍ଯ୍ୟନ୍ତ ଭାରତକୁ ୧୩ ପ୍ରତିଶତ ହାରର ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ ଯାହା କୌଣସି ଚମତ୍କାର ଠାରୁ କମ୍ ନୁହେଁ। ଭାରତ ଆଜି ପର୍ଯ୍ୟନ୍ତ ଏତେ ଉଚ୍ଚ ଅଭିବୃଦ୍ଧି ହାସଲ କରିନାହିଁ। ମୌସୁମୀ ବର୍ଷା ସ୍ବାଭାବିକ ରହିଥିବାରୁ କେବଳ କୃଷି କ୍ଷେତ୍ରରେ ୨.୫ ପ୍ରତିଶତର ଯୁକ୍ତାତ୍ମକ ଅଭିବୃଦ୍ଧି ଦେଖାଦେବ। ଏହାକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରର ଅଭିବୃଦ୍ଧି କମିବ। ଟ୍ରାକ୍ଟର ଓ ଦୁଇ ଚକିଆ ଗାଡ଼ି ବିକ୍ରିରେ ବୃଦ୍ଧି ହେଉଥିବାରୁ ଗ୍ରାମାଞ୍ଚଳର ସ୍ଥିତିରେ ଦ୍ରୁତ ସୁଧାର ହେଉଛି ‌ବୋଲି ଏହା କହିଛି।

LEAVE A REPLY

Please enter your comment!
Please enter your name here