ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍, ୦୬/୦୮ (ବ୍ୟୁରୋ)- ୨୦୨୨ ମାର୍ଚ ସୁଦ୍ଧା ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡ଼ା ରୁଟ୍ରେ ଘଣ୍ଟା ପ୍ରତି ୧୬୦ କିଲୋମିଟର୍ ବେଗରେ ପାସେଞ୍ଜର୍ ଟ୍ରେନ୍ ଚଳାଇବାକୁ ରେଳ ମନ୍ତ୍ରାଳୟ ଲକ୍ଷ୍ୟ ରଖିଛି।
ନିକଟରେ ଅନୁଷ୍ଠିତ ରେଳବାଇ ବୋର୍ଡର ବୈଠକରେ ରେଳ ମନ୍ତ୍ରାଳୟ ‘ମିସନ୍ ୧୬୦’ ଟାର୍ଗେଟ୍କୁ ମାର୍ଚ ୨୦୨୨କୁ ଆଣିବାକୁ ସ୍ଥିର କରିଛି। ନୂଆ ଲକ୍ଷ୍ୟ ଅନୁସାରେ, ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡ଼ା ରୁଟ୍ରେ ଘଣ୍ଟା ପ୍ରତି ହାରାହାରି ୧୬୦ କିଲୋମିଟର୍ ବେଗରେ ପାସେଞ୍ଜର୍ ଟ୍ରେନ୍ ଚଳାଇବାକୁ ରେଳବାଇ ସ୍ଥିର କରିଛି।
ସମ୍ପ୍ରତି ଏ ଦୁଇ ରୁଟ୍ରେ ଘଣ୍ଟା ପ୍ରତି ପାସେଞ୍ଜର୍ ଟ୍ରେନ୍ର ବେଗ ରହିଛି ମାତ୍ର ୧୩୦ କିଲୋମିଟର୍। ଏହି ଲକ୍ଷ୍ୟ ହାସଲ ପାଇଁ ରେଳ ମନ୍ତ୍ରାଳୟ ରୋଡ୍ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରି ସାରିଛି। ଟ୍ରାକ୍ ପରିଚାଳନା ଠାରୁ ଆରମ୍ଭ କରି ସମଗ୍ର ରେଳ ପଥ ପାଶ୍ବରେ ବାଡ଼ ନିର୍ମାଣ କରିବା ହେଉଛି ଏହି ଯୋଜନାର ଅଂଶବିଶେଷ।
ରେଳମନ୍ତ୍ରୀ ପୀୟୂଷ ଗୋୟଲ୍ ଏହି ପ୍ରକଳ୍ପକୁ ସମୀକ୍ଷା କରିବା ସହ କାର୍ଯ୍ୟ ଗ୍ରହଣ କରିବାକୁ ବୋର୍ଡ ଅଧିକାରୀ ଏବଂ ଜୋନାଲ୍ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।