୨୦,୦୦୦ରୁ ଅଧିକ କୋଭିଡ ଟେଷ୍ଟ୍‌ ପରିଚାଳନା କରିବ ବିସିସିଆଇ

0
169

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୭/୦୮ (ବ୍ୟୁରୋ)-  ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ପାଇଁ ଏଠାରେ ଡେରା ପକାଇଥିବା ସମସ୍ତ ୮ଟିଯାକ ଫ୍ରଞ୍ଚାଇଜ୍‌ ମଧ୍ୟରୁ ଗତ ସପ୍ତାହରେ ପହଞ୍ଚିଥିବା କିଙ୍ଗ୍‌ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍‌ସର ସବୁ ଖେଳାଳି କୋଭିଡ୍‌-୧୯ ନିୟମ ଅନ୍ତର୍ଗତ ୬ ଦିନିଆ ବାଧ୍ୟତାମୂଳକ ସଂଗରୋଧ ସମୟ କଟାଇ ସାରିଛନ୍ତି। ଏହି ଅବଧି ମଧ୍ୟରେ ସମସ୍ତଙ୍କର ତିନି ଥର କରୋନା ପରୀକ୍ଷା ଶେଷ ହୋଇଥିଲା ବେଳେ ରିପୋର୍ଟ ମଧ୍ୟ ନେଗେଟିଭ୍‌ ରହିଛି। ଫଳରେ ଏହି ଦୁଇ ଦଳ ବୁଧବାର ରାତିରୁ ଏଠାରେ ସେମାନଙ୍କ ପ୍ରଥମ ନେଟ୍‌ ସେସନ୍‌ ଆରମ୍ଭ କରିଛନ୍ତି। ଦୁବାଇରେ ଏବେ ପ୍ରବଳ ଗରମ ଅନୁଭୁତ ହେଉଥିବାରୁ ଏହାକୁ ଏଡ଼ାଇବା ପାଇଁ ଦଳ ସଂଧ୍ୟାରୁ ହିଁ ଅଭ୍ୟାସ କରିବାକୁ ସ୍ଥିର କରିଛନ୍ତି। ଉଭୟ ପଞ୍ଜାବ ଓ ରାଜସ୍ଥାନ ଦଳ ଦୁବାଇରେ ଅବସ୍ଥାନ କରୁଥିଲା ବେଳେ ଆବୁଧାବିରେ ରହୁଥିବା କୋଲ୍‌କାତା ନାଇଟ୍‌ ରାଇଡର୍ସ ମଧ୍ୟ ଏମାନଙ୍କ ସହ ପ୍ରଥମ ଦଫାରେ ଗୁରୁବାର ପହଞ୍ଚିଥିଲା। ଏହି ତିନି ଦଳ ପହଞ୍ଚିବା‌ ପରେ ବିସିସିଆଇ ଏସ୍‌ଓପି ମୁତାବକ ୬ ଦିନିଆ ସଂଗରୋଧ ସମୟ ମଧ୍ୟରେ ପ୍ରଥମ, ତୃତୀୟ ଓ ଷଷ୍ଠ ଦିବସରେ ଖେଳାଳିମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ସମସ୍ତ ଖେଳାଳି ଏହି ତିନିଟିଯାକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ଏହି ୬ ଦିନ ମଧ୍ୟରେ କୌଣସି ଖେଳାଳିଙ୍କୁ ସେମାନଙ୍କ ହୋଟେଲ ରୁମ୍‌ ବାହାରକୁ ବାହାରିବାର ଅନୁମତି ଦିଆଯାଇନଥିଲା। ଅନ୍ୟପକ୍ଷରେ ଦ୍ବିତୀୟ ଦଫାରେ ଶୁକ୍ରବାର ୟୁଏଇରେ ପହଞ୍ଚିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସର ୬ ଦିନିଆ ସଂଗରୋଧ ସମୟ ଆସନ୍ତାକାଲି (ଗୁରୁବାର) ଶେଷ ହେବ। ଏହାପରେ ସେମାନଙ୍କ ରିପୋର୍ଟ ଭିତ୍ତିରେ ଅଭ୍ୟାସ ପାଇଁ ସୁଯୋଗ ମିଳିବ। ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଗୁରୁବାରଠୁ ତିନି ସପ୍ତାହ ବ୍ୟାପୀ ଅଭ୍ୟାସ ଆରମ୍ଭ କରିବାର ଅନୁମତି ପାଇସାରିଛି ବୋଲି ବୁଧବାର ସ୍ପଷ୍ଟ ହୋଇଛି।

ଆସନ୍ତା ମାସ ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦,୦୦୦ରୁ ଅଧିକ କୋଭିଡ ପରୀକ୍ଷା ପରିଚାଳନା କରିବାକୁ ଯୋଜନା କରିଛି। ଏଥିଲାଗି ଭିପିଏସ୍‌ ହେଲ୍‌ଥକେୟାରକୁ ଅଫିସିଆଲ୍‌ କୋଭିଡ-୧୯ ପରୀକ୍ଷା ଏଜେନ୍ସି ଭାବେ ନିଯୁକ୍ତ କରିଛି। ୩ ମାସ ମଧ୍ୟରେ ଏତିକି ସଂଖ୍ୟ‌କ ପରୀକ୍ଷା ହେବ। ଏଥିରେ ସମସ୍ତ ଖେଳାଳି, ଫ୍ରାଞ୍ଚାଇଜ୍‌ଗୁଡ଼ିକର ସପୋର୍ଟ ଷ୍ଟାଫ୍‌, ବିସିସିଆଇ ଅଫିସିଆଲ୍‌ ଏବଂ ଆଇପିଏଲ୍‌ ଅଂଶୀଦାର ଅନ୍ତର୍ଭୁକ୍ତ ଅଛନ୍ତି। ସମସ୍ତ ଖେଳାଳି ଓ ଷ୍ଟାଫ୍‌ଙ୍କର ପ୍ରଥମ, ତୃତୀୟ ଓ ଷଷ୍ଠ ଦିନରେ କୋଭିଡ ପରୀକ୍ଷା କରାଯିବ। ନେଗେଟିଭ୍‌ ରହିଲେ ଜୈବ-ପରିବେଶକୁ ପ୍ରବେଶ କରିବେ। ଏହାପରେ ପ୍ରତିଯୋଗିତା ଶେଷ ପର୍ଯ୍ୟନ୍ତ ପ୍ରତି ୫ ଦିନରେ ଥରେ ପରୀକ୍ଷା କରାଯିବ।

LEAVE A REPLY

Please enter your comment!
Please enter your name here