୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ,୧୧ରୁ ଓଡ଼ିଶାରେ ବର୍ଷା, ୯ରେ ଲଘୁଚାପ

0
81

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଅକ୍ଟୋବର ୯ରେ ଏହା ଲଘୁଚାପରେ ପରିଣତ ହେବା ସହ ୧୦ ତାରିଖରେ ଅବପାତ ରୂପ ନେବ। ପ୍ରଭାବରେ ୧୧ ତାରିଖଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ଗଭୀର ସମୁଦ୍ରରେ ରହିଛନ୍ତି ସେମାନେ ୧୦ ତାରିଖ ରାତି ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ୧୧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ ୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୧୦ ତାରିଖରେ ଅବପାତରେ ପରିଣତ ହେବ। ୧୧ ତାରିଖ ଅପରାହ୍ନ କିମ୍ବା ରାତିରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ମଧ୍ୟରେ ଅବପାତ ରୂପରେ ସ୍ଥଳ ଭାଗ ଛୁଇଁବ। ୧୦ ତାରିଖ ରାତିଠାରୁ ଉପକୂଳ ଓଡ଼ିଶା ଓ ୧୧ ତାରିଖରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବର୍ଷା ବଢ଼ିବ। ୧୧ ଓ ୧୨ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ଏବଂ ପୁରୀ, କନ୍ଧମାଳ, ଖୋର୍ଧା, ଜଗତ୍‌ସିଂହପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here