ସ‌ଚିନ ପ୍ରେରଣାଦାୟୀ ଅଧିନାୟକ ହୋଇପାରିନଥିଲେ: ଶଶୀ ଥରୁର

0
88

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୧୪/୦୯ (ବ୍ୟୁରୋ)-  ଅଧିନାୟକ ଭାବେ ସଚିନ ତେନ୍ଦୁଲକର ତାଙ୍କୁ ଆଦୌ ପ୍ରଭାବିତ କରିପାରିନଥିବା ପୂର୍ବତନ ସାଂସଦ ଶଶୀ ଥରୁର କହିଛନ୍ତି। ୯୦ ଦଶକ ମଧ୍ୟଭାଗରେ ସଚିନ ଅଧିନାୟକ ହେବା ପାଇଁ ଭଲ ବିକଳ୍ପ ଥିଲେ। କିନ୍ତୁ ସଚିନ୍‌ଙ୍କୁ ଯେତେବେଳେ ଏହି ଦାୟିତ୍ବ ଦିଆଯାଇଥିଲା, ସେତେବେଳେ ତାଙ୍କ ଧାରଣା ବଦଳିଯାଇଥିଲା। କାରଣ ତାଙ୍କ ଅଧିନରେ ଭଲ ଫଳାଫଳ ଆସିନଥିଲା। ଅଧିନାୟକ ନଥିଲା ବେଳେ ସେ ଅଧିକ ସକ୍ରିୟ ରହୁଥିଲେ। ସେ ସ୍ଲିପ୍‌ ଅଞ୍ଚଳରେ କ୍ଷେତ୍ରରକ୍ଷଣ କରୁଥିଲେ, ଅଧିନାୟକଙ୍କ ପାଖକୁ ଯାଇ ପରାମର୍ଶ ଦେଉଥିଲେ ଓ ଅନ୍ୟମାନଙ୍କୁ ଉତ୍ସାହିତ କରିପାରୁଥିଲେ ବୋଲି ଥରୁର କହିଛନ୍ତି।

ସଚିନ୍‌ଙ୍କୁ ୧୯୯୬ ମସିହାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା। ମୋଟ ୭୩ଟି ଦିନିକିଆରେ ସେ ଭାରତର ନେତୃତ୍ବ ନେଇଥିଲା ବେଳେ ୨୩ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ। ତାଙ୍କ ବିଜୟ ହାର ମାତ୍ର ୩୫.୦୭ ପ୍ରତିଶତ ରହିଥିଲା। ଟେଷ୍ଟରେ ସେ ଆହୁରି ଖରାପ ପରିସଂଖ୍ୟାନ ଦେଇଥିଲେ। ‌ତାଙ୍କ ନେତୃତ୍ବରେ ଭାରତ ଖେଳିଥିବା ୨୫ ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଥିଲା ବେଳେ ୯ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ମୋଟ ଉପରେ ସଚିନ୍‌ ୯୮ ବ୍ୟାଚ୍‌ରେ ନେତୃତ୍ବ ନେଇଥିଲା ବେଳେ ଭାରତ ସେଥିରୁ ମାତ୍ର ୨୭ ବିଜୟ ପାଇଥିଲା। ତେଣୁ ସଚିନ୍‌ଙ୍କ ନେତୃତ୍ବ ବେଳେ ଭାରତ ଏକ ଦୁର୍ବଳ ଦଳ ହୋଇଯାଇଥିଲା‌। ଏପରିକି ସେ ଜଣେ ପ୍ରେରଣାଦାୟୀ ଅଧିନାୟକ‌ ହୋଇପାରିନଥିଲେ ବୋଲି ସ୍ବୀକାର କରିବେ। ତାଙ୍କର ବ୍ୟାଟିଂ ଉପରୁ ଧ୍ୟାନ ହଟୁଥିବାରୁ ସ୍ବଇଚ୍ଛାରେ ସେ ଅଧିନାୟକତ୍ବ ଭାର ଛାଡ଼ିଦେଇଥିଲେ ଏବଂ ପୁଣି ଯେତେବେଳେ ପରବର୍ତ୍ତୀ ସମୟରେ ଆଉଥରେ ତାଙ୍କୁ ଏହି ଦାୟିତ୍ବ ବହନ କରିବାକୁ ସୁଯୋଗ ଦିଆଗ‌ଲ‌ା, ସଚିନ୍‌ ତାହାକୁ ପ୍ରତ୍ୟାଖ୍ୟାନ କରିଥିବା ଥରୁର କହିଛନ୍ତି। ସଚିନ୍‌ଙ୍କ ନେତୃତ୍ବରେ ୧୯୯୯ରେ ସବୁଠୁ ଦୟନୀୟ ବିଦେଶ ଗସ୍ତ ହୋଇଥିଲା। ଏହି ବର୍ଷ ଦଳ ଅଷ୍ଟ୍ରେଲିଆ ଯାଇଥିଲା ବେଳେ ଟେଷ୍ଟ ଶୃଙ୍ଖଳାରେ ୦-୩ରେ ପରାଜିତ ହୋଇଥିଲା ଏବଂ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ୧୪ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ପାଇଥିଲା। ତୃତୀୟ ଦଳ ଭାବେ ପାକିସ୍ତାନ ଏହି ଶୃଙ୍ଖଳାରେ ଅଂଶଗ୍ରହଣ କରିଥିଲା। ଏହାପରେ ସେ ଅଳ୍ପ କିଛି ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକ ରହିଥିଲେ ବି ୨୦୦୦ ମସିହାରେ ସୌରଭ ଗାଙ୍ଗୁଲିଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରିଥିଲେ।

LEAVE A REPLY

Please enter your comment!
Please enter your name here