ମୁମ୍ୱାଇ, ଆଚିଭର୍ସ ନ୍ୟୁଜ୍, ୪/୦୭ (ବ୍ୟୁରୋ)- ଟେଲିଭିଜନ ତାରକା ଏବଂ ଅଭିନେତା ଶେଖର ସୁମନ, ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶେଖର୍ ସୁମନ୍ କହିଛନ୍ତି, ସୁଶାନ୍ତ ସିଂ ବଲିଉଡ୍ରେ କେବଳ ନେପୋଟିଜମ୍ ନୁହେଁ ବରଂ ଗୋଷ୍ଠୀବାଦର ଶିକାର ମଧ୍ୟ ହୋଇଛନ୍ତି। ପାଟନାରେ ରାଷ୍ଟ୍ରୀୟ ଜନତା ଦଳର (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କୁ ସାକ୍ଷାତ କରିବା ଅବସରରେ ଶେଖର ସୁମନ୍ ଏହା ଉପରେ ଆଲୋଚନା କରିଛନ୍ତି।
ସେ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟାରୁ ହୋଇଛି। କିନ୍ତୁ ଗତ କିଛି ଦିନ ମଧ୍ୟରେ ତଥ୍ୟ ଏବଂ ପ୍ରମାଣ ସୂଚାଇ ଦେଉଛି ଯେ, ତାଙ୍କ ମୃତ୍ୟୁ ପଛରେ ନିଶ୍ଚିତ ଷଡ଼ଯନ୍ତ୍ର ଥାଇପାରେ। ଅନେକ ଘଟଣା ଏହାରି ପଛରେ ଲୁଚି ରହିଛି, ଯାହାକି ଆମ ଆଖିକୁ ଦେଖାଯାଉନାହିଁ। ନିଶ୍ଚିତ ଭାବେ ଏହି ଘଟଣା ସବୁ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ଏହାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କଲେ ସତ ନିଶ୍ଚୟ ପଦାକୁ ଆସିବ ବୋଲି ସେ କହିଛନ୍ତି।
ଶେଖର ପ୍ରଶ୍ନ କରିଛନ୍ତି ଯେ ଏହା କିପରି ସମ୍ଭବ ସୁଶାନ୍ତ ସିଂଙ୍କ ଭଳି ଜଣେ ଅଭିନେତା ସୁଇସାଇଡ୍ ପୂର୍ବରୁ ନୋଟ ଖଣ୍ଡିଏ ବି ଲେଖିପରିଲେନି? ସୁଶାନ୍ତ କାହିଁକି ମୃତ୍ୟୁର ପୂର୍ବ ମାସରେ ୫୦ଟି ସିମ୍ ପରିବର୍ତ୍ତନ କରିଥିଲେ? କଣ ବଲିଉଡ୍ରେ ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି କି?
ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ଭେଟିବାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅନିଚ୍ଛା ଉପରେ ଶେଖର ସୁମନ ପ୍ରଶ୍ନ କରିଛନ୍ତି। ସେ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲେ କରୋନା କାରଣରୁ ନୀତୀଶ ତାଙ୍କୁ ଦେଖାକରିବାକୁ ମନାକରି ଦେଇଥିଲେ। ଯଦି ତେଜସ୍ୱୀ ମତେ ଦେଖା କରିପାରୁଛନ୍ତି ତେବେ ନୀତୀଶ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି।