ସାମାଜିକ ଗଣମାଧ୍ୟମରେ କୋଭିଡ୍‌-୧୯ ସଚେତନତା

0
94

ଆଚିଭର୍ସ ନ୍ୟୁଜ୍ ୧୮/୦୮ (ବ୍ୟୁରୋ)-  ସାମାଜିକ ଗଣମାଧ୍ୟମ ଜନ୍ମନେଇଥିଲା ୧୯୯୭ ମସିହାରେ ସିକ୍ସ ଡିଗ୍ରୀଜ ଡଟ କମ ସହିତ, ଯାହା ଲୋକଙ୍କୁ ପାରସ୍ପରିକ ଭାବ ଆଦାନପ୍ରଦାନ ନିମନ୍ତେ ଇ-ମେଲ ବ୍ୟତିରେକ ଏକ ବିକଳ୍ପ ସାମୂହିକ ମଞ୍ଚ ଉପଲବ୍ଧ କରାଇଥିଲା । ୟାହୁ ମେସେଞ୍ଜର ଓ ଅର୍କୁଟ ପରେପରେ ୨୦୦୪ ମସିହାରେ ଫେସବୁକର ପଦାର୍ପଣ ସାମାଜିକ ଗଣମାଧ୍ୟମରେ ଏକ ବିପ୍ଲବ ଆଣିଛି । ଆଜି ସାରା ବିଶ୍ୱରେ ୨୦୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଫେସବୁକ ବ୍ୟବହାର କରନ୍ତି । ୟୁଟ୍ୟୁବ, ଟ୍ୱିଟର ଓ ଇନଷ୍ଟାଗ୍ରାମର ବ୍ୟାପକ ପ୍ରଚଳନ ସାମାଜିକ ଗଣମାଧ୍ୟମରେ ସଞ୍ଚାର ଯୋଗାଯୋଗର ତୀବ୍ରତାକୁ ଅଧିକ ତ୍ୱରାନ୍ୱିତ କରିଛି । ସାମାଜିକ ଗଣମାଧ୍ୟମ ଆଜି ସାମାଜିକ ଜୀବନ ଧାରାରେ ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ସାଜିଛି । ତ୍ୱରିତ ଗତିରେ ଲୋକେ ଜାଣିବାକୁ ପାଉଛନ୍ତି ଅସୀମିତ ଖବର । ସାମାଜିକ ଗଣମାଧ୍ୟମର ଅଭ୍ୟୁଦୟ ଓ ବହୁଳ ପ୍ରସାରର ଏକ ବଡ଼ ଶ୍ରେୟ ଯାଇପାରେ ସ୍ମାର୍ଟଫୋନକୁ, ଯାହାର ବୃହତ୍ ବଜାର ହେଉଛନ୍ତି ପୃଥିବୀର ଦୁଇ ବୃହତ୍ତମ ଜନବହୁଳ ଦେଶ ଚୀନ୍ ଓ ଭାରତ । କମ୍ୟୁନିଷ୍ଟ ଚୀନ ଯଦିଓ ନିଜର କଡ଼ା ତର୍ଜମା ବ୍ୟବସ୍ଥାରେ ନିଜ ଦେଶର ପାରମ୍ପରିକ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମକୁ ନିୟନ୍ତ୍ରିତ କରିପାରିଛି, କିନ୍ତୁ ନିପୁଣ ପ୍ରଯୁକ୍ତି କୌଶଳ ଉପଯୋଗ ସତ୍ତ୍ୱେ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ମୋଟାମୋଟି ପୂର୍ଣ୍ଣ ସଫଳତା ଲାଭ କରିବାରେ ସମର୍ଥ ହୋଇପାରିନାହିଁ ଏହି କାରଣରୁ ଚୀନ ପ୍ରାରମ୍ଭରେ ଶତଚେଷ୍ଟା ସତ୍ତ୍ୱେ କୋଭିଡ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଲୁଚାଇବାରେ ଅସମର୍ଥ ହୋଇଥିଲା । ଚୀନରୁ ଭାସି ଆସିଥିଲା ଅନେକ ହୃଦୟ ବିଦାରକ ଦୃଶ୍ୟ ।
ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ କୋଭିଡ ୧୯ ବୈଶ୍ୱକ ମହାମାରୀର ଗମ୍ଭୀର ପ୍ରଭାବ ସହଜେ ଅନୁମେୟ । ସୀମିତ ଚିକିତ୍ସା ଭିତ୍ତିଭୂମି, ଅର୍ଥନୈତିକ ବାଧ୍ୟବାଧକତା, ଲଜିଷ୍ଟିକ୍ସ ଏବଂ ଏଭଳି ଅନେକ ସମସ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କ ମଧ୍ୟରେ ଏହାର ସଂକ୍ରମଣ ରୋକିବା ସମ୍ବନ୍ଧୀୟ ସଚେତନତା ସୃଷ୍ଟି ପୂର୍ବକ ଏହି ସର୍ବଦେଶୀୟ ରୋଗର ପ୍ରଭାବକୁ ଯଥାସମ୍ଭବ ପ୍ରତିହତ କରିବାକୁ ହେଲେ ସାମାଜିକ ଗଣମାଧ୍ୟମକୁ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ହେବ ।

LEAVE A REPLY

Please enter your comment!
Please enter your name here