ସମାନତା ବିକାଶର ସୂତ୍ର

0
162

ଆଚିଭର୍ସ ନ୍ୟୁଜ୍ ୨୧/୦୮ (ବ୍ୟୁରୋ)-  ଦେଶର ଅର୍ତନୈତିକ ବ୍ୟବସ୍ଥା ସମାଜର ଶ୍ରମିକ ଓ ପୁଞ୍ଜିପତିଙ୍‌କୁ ସନ୍ତୁଳିତ ଓ ସମାନ ଢ଼ଙ୍ଗରେ ବ୍ୟବହାର କରିବାରେ ବିଫଳ ହେଲେ ସମାଜର ସଂଖ୍ୟାଗରିଷ୍ଠ ଲୋକ ରାଷ୍ଟ୍ରର ଜିଡ଼ିପିରୁ ନ୍ୟାର୍ଯ୍ୟ ସୁବିଧାସୁଯୋଗ ହାସଲ କରିବାରେ ଅକ୍ଷମ ହୁଅନ୍ତି । ଅହେତୁକ ଅସାମଞ୍ଜସ୍ୟତାକୁ ଦେଖି ଦେଶର ଅର୍ଥନୀତି ପ୍ରତି ଆସ୍ଥା ତୁଟାଇ ଦିଅନ୍ତି । ଦାରିଦ୍ର‌୍ୟ, କ୍ଷୁଧା, ଅପରାଧ ଓ ସାମାଜିକ-ଅର୍ଥନୈତିକ ବ୍ୟଭିଚାର ବୃଦ୍ଧି ପାଏ । ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ମୁକ୍ତ ଅର୍ଥନୀତି ଆପଣାଇବା ପରେ ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଅସମାନତା ବୃଦ୍ଧି ପାଇବାରେ ଲାଗିଛି ।
୨୦୦୮ର ବୈଶ୍ୱିକ ସଙ୍କଟ ପରଠାରୁ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଗଭୀର ଅସମାନତା ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନକୁ ବଢ଼ାଇଦେଇଛି । ଭାରତୀୟ ବିଲିୟନେୟାରଙ୍କର ସମ୍ମତ୍ତି ୨୦୦୪ରେ ୪୯ ବିଲିୟନ ଡ଼ଲାରରୁ ବୃଦ୍ଧି ପାଇଁ ୨୦୧୭ରେ ୪୭୯ ବିଲିୟନରେ ପହଞ୍ଚିଥିବାର ଯଣାଯାଏ । ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ଦ୍ରବ୍ୟ ଓ ସେବାର ଉପଲବ୍ଧତାରେ ସକ୍ଷମ ଓ ବଞ୍ଚିତଙ୍କ ମଧ୍ୟରେ ଅସମାନତା ସ୍ପଷ୍ଟ ବାରି ହୋଇଯାଉଛି । ୨୦୧୭-୧୮ରେ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ଇତ୍ୟାଦି ରାଜ୍ୟ (୨୭%ଜନସଂଖ୍ୟା) ର ଜିଡିପିରେ ୪୦% ଯୋଗଦାନ ଥିବାବେଳେ ବିହାର, ଉତ୍ତରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଇତ୍ୟାଦି ରାଜ୍ୟ (୩୬% ଜନସଂଖ୍ୟା) ଜିଡ଼ିପିରେ ମାତ୍ର ୨୦% ଯୋଗ କରିଛନ୍ତି । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ମୂଳରେ ଏହି ଅସମାନତା ହିଁ ପ୍ରମୁଖ କାରଣ । ଶ୍ରମିକମାନଙ୍କ ମୌଳିକ ଅର୍ଥନୈତିକ ଅଧିକାରକୁ ଦିର୍ଘକାଳ ଧରି ଢ଼ାଞ୍ଚାଗତ ଭାବରେ ଅସ୍ୱୀକାର କରାଯିବା ସହିତ ସାମାଜିକ ତଥା ନୈତିକ ଉଦାସୀନତାର ପରିପ୍ରକାଶ ଘଟିଛି ଏହି ମହାମାରୀରେ । ଉଭୟ ରାଷ୍ଟ୍ର ଓ ସମାଜ ନଥିଲାବାଲାଙ୍କ ସାମାଜିକ ତଥା ଅର୍ଥନୈତିକ ଦୃଷ୍ଟିରୁ ବହିସ୍କାର କରିଛି ।
ଏମାନଙ୍କ ପ୍ରତି ଭେଦଭାବପୂର୍ଣ୍ଣ ସାମାଜିକ ଆଚରଣ ଓ ମନୋଭାବରେ ପରିବର୍ତ୍ତନ ଆଣି ସ୍ୱୀକାରମୂଳକ ନୀତିମାନ ପ୍ରବର୍ତ୍ତନ କରିବାର ଅଛି । ସମାନତାକୁ ଏକ ଆଦର୍ଶ ବିକାଶ ପ୍ରଣାଳୀର ତୃତୀୟ ସ୍ତମ୍ଭ ହିସାବରେ ଗ୍ରହଣ କରିବାକୁ ହେବ । ମୁକ୍ତ ଅର୍ଥନୈତିକ ବ୍ୟବସ୍ଥାର ସଂରଚନାଗତ ଦୁର୍ବଳତାକୁ ମୁକାବିଲା କରିବାପାଇଁ ଦେଶକୁ ଅଧିକ ଜନକଲ୍ୟାଣକାରୀ ରାଷ୍ଟ୍ର ହିସାବରେ କାର୍ଯ୍ୟ କରିବାର ଅଛି । ରାଷ୍ଟ୍ର ନିୟନ୍ତ୍ରଣରେ ଥିବା ସାର୍ବଜନୀନ ସମ୍ମତ୍ତିର ତର୍କସଂଗତ ବଣ୍ଟନ ଉପରେ ଧ୍ୟାନଦେବାର ଅଛି ।

LEAVE A REPLY

Please enter your comment!
Please enter your name here