ସଂକ୍ରମଣର ମୂଳପୋଛ ଉତ୍ତରଦାୟିତ୍ୱ ଆମ ସମସ୍ତଙ୍କର

0
440

ଆଚିଭର୍ସ ନ୍ୟୁଜ୍‌, ୨୨/୦୬ (ବ୍ୟୁରୋ)- ପ୍ରଥମେ ଯେତେବେଳେ କରୋନା ଭୂତାଣୁ ବାହାରିଲା, ହୁଏତ କେହି ଏହାର ବର୍ତ୍ତମାନ ଭଳି ବ୍ୟାପକ ସଂକ୍ରମଣ ହେବ, ଅନୁମାନ କରିପାରିନଥିଲେ । ଚୀନର ନିର୍ଦ୍ଦିଷ୍ଟ ଇଲାକାକୁ ଏବେ ମଧ୍ୟ କରୋନାର ଜନ୍ମ ସ୍ଥଳ ବୋଲି କୁହାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ଏନେଇ ଠୋସ୍ ସୂଚନା ନଥିବାରୁ ସଂସ୍ଥା ମଧ୍ୟ ଆମେରିକାଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହୋଇଛି । ଖୋଦ୍ ଚୀନ୍ ସହ ଆମେରିକା, ବ୍ରାଜିଲ୍‌, ଯୁକ୍ତରାଷ୍ଟ୍ର, ବ୍ରିଟେନ୍‌, ସ୍ପେନ୍ ସାଂଘାତିକ ସଂକ୍ରମଣର ଶିକାର ହୋଇଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ ଭଳି ମହାନଗରୀରେ ସଂକ୍ରମଣର ପରିବପ୍ପ୍‌ି ବସ୍ତୁତଃ ଆମ ଦେଶକୁ ଆଣି ଚତୁର୍ଥ ସ୍ଥାନରେ ପହଞ୍ଚାଇ ଦେଇଛି । ବହିରାଗତ ଶ୍ରମିକ ହୁଅନ୍ତୁ କି’ ପେଷାଗତ ଅଧିକାରୀ ହୁଅନ୍ତୁ; ସେମାନଙ୍କ ଜରିଆରେ ସଂକ୍ରମଣ ଅଧିକମାତ୍ରାରେ ବଢ଼ିଯାଇଥିବାବେଳେ କେବେ ଓ କିପରି ଏହି ପ୍ରକ୍ରିୟାରେ ଅନ୍ତ ଘଟିବ, କେହି କହିପାରୁନାହାନ୍ତି । ଏପରି ହୋଇପାରେ, ଯେଉଁଠି ସଂକ୍ରମଣର ପ୍ରାରମ୍ଭରୁ ସାବଧାନତା ରକ୍ଷା ଦିଗରେ ପ୍ରଶାସନ ତତ୍ପରତା ଦେଖାଇଛି, ସେଠାରେ ସଂକ୍ରମଣର ମାତ୍ରା ସଂକୁଚିତ ସ୍ତରରେ ଅଟକି ଯାଇଛି । ମାସ ମାସ ଧରି ରୋଜଗାର ଛଡ଼େଇ ନେଇଥିବା ସଂକ୍ରମଣକୁ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଓ ହାତଧୁଆ ଅଭ୍ୟାସକୁ ଦୈନନ୍ଦିନ ଜୀବନଚର୍ଯ୍ୟାର ଅଂଶବିଶେଷ କରିବାର ସୁଫଳ ନିଶ୍ଚିତ ରୂପେ ମିଳିଛି । ହେଲେ ତାଲାବନ୍ଦ୍‌ଜନିତ କଷ୍ଟ ଓ ଆମ ଅର୍ଥନୀତି ଉପରେ ତାହାର କୁପ୍ରଭାବରୁ ମୁକୁଳିବାର କିଛି ଠିକ୍ ଉପାୟ ମିଳିପାରିନାହିଁ କହିଲେ ଚଳେ ।
ରାଜ୍ୟ ତଥା କେନ୍ଦ୍ର ସରକାର କିଭଳି ଗୁରୁତର ଓ ଭୟଙ୍କର ଆହ୍ୱାନର ମୁକାବିଲା କରୁଛନ୍ତି, ତାହା ହୁଏତ ସମାଲୋଚକଙ୍କୁ ଦିଶୁନାହିଁ । ଓଡ଼ିଶା ଭଳି ରାଜ୍ୟରେ ସଂକ୍ରମଣଜନିତ ମୃତ୍ୟୁକୁ ମାତ୍ର ଏଗାର-ବାରରେ ସୀମିତ ରଖାଯିବା ପଛରେ ରାଜ୍ୟ ନେତୃତ୍ୱର ସଂକଳ୍ପ, କରୋନା ଯୋଦ୍ଧାମାନଙ୍କ ଏକନିଷ୍ଠ ଉଦ୍ୟମ ନିହିତ ରହିଛଇ, ତାହାର ଉଚ୍ଚ ମୂଲ୍ୟାୟନ କରାଯିବ । ଆମ ରାଜ୍ୟ କି’ ଦେଶ କାହିଁକି, ବିଶ୍ୱର ଅର୍ଥନୀତି ଦୋହଲି ଯାଇଛି । ଉଚ୍ଚ ଆୟକାରୀ ବର୍ଗ ହୁଅନ୍ତୁ, ମଧ୍ୟବିତ୍ତ ଓ ସ୍ୱଳ୍ପ ଆୟକାରୀ ସମସ୍ତେ କରୋନା ପାଇଁ ପ୍ରତିକୂଳତାର ଶିକାର ହୋଇଥିବା ଦେଖାଯାଉଛି । ଖଟିଖିଆ ଓ ଦିନ ମଜୁରିଆଙ୍କ କଥା ନକହିଲେ ଭଲ । ସହରବାସିନ୍ଦା ଓ ଗ୍ରାମୀଣ ବାସିନ୍ଦାଙ୍କ ସଂଚିତ ଧନ ସରିଆସିଲାଣି । ସରକାର ଘରକୁ ଘର ସର୍ଭେ କରି ସାମାନ୍ୟ ସଂକ୍ରମିତଙ୍କୁ ଠାବ କରିବା ଲାଗି ପଦକ୍ଷେପ ନେଉଛନ୍ତି । ଯେତେ ଅଧିକ ପଜିଟିଭ ବାହାରୁଛନ୍ତି ଅଧିକାଂଶ ସଙ୍ଗରୋଧ ଶିବିର ଭିତରର ଲୋକ । ଆଉ କିଛି ହେଉଛନ୍ତି ସ୍ଥାନୀୟ ବ୍ୟକ୍ତି । ଘରକୁ ଘର ସର୍ଭେରୁ ବାହାରୁଥିବା ତଥ୍ୟ ଆଧାରରେ ପରିବର୍ତ୍ତିତ ତଥା ଉନ୍ନତ ଉପାୟ ବାହାର କରାଗଲେ ତାହାହୁଏତ ପରିଚାଳକଙ୍କ ପକ୍ଷେ ଅଧିକ ଲଢ଼େଇ ପାଇଁ ସହାୟକ ହୋଇପାରିବ ।

LEAVE A REPLY

Please enter your comment!
Please enter your name here