ରଣନୀତି ବଦଳାଇବ ବିଜେପି, ୧୩ରେ ବୈଠକ

0
48

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୧୨/୦୮ (ବ୍ୟୁରୋ)- ପାଇଲଟ୍‌ ଗୋଷ୍ଠୀର ବିଦ୍ରୋହ ଶେଷ ହେବାପରେ ବିଜେପି ରାଜସ୍ଥାନ ପାଇଁ ପ୍ରସ୍ତୁତ କରିଥିବା ରଣନୀତି ବଦଳାଇ ଦେଇଛି। ଆସନ୍ତା ୧୪ ତାରିଖରେ ରାଜସ୍ଥାନ ବିଧା‌ନସଭା ଅଧିବେଶନ ଡକାଯାଇଥିବା ବେଳେ ଏହିଦିନ ଶକ୍ତି ପରୀକ୍ଷା ହେବାର ସମ୍ଭାବନା ଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ କ’ଣ ହେବ କିଛି କହି ହେଉନି। ଅନ୍ୟପକ୍ଷେ ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ ବିଜେପି ଆଜି ଏକ ‌ବୈଠକ ଡାକିଥିଲା। କିନ୍ତୁ ଗତକାଲିର ଘଟଣା ପରେ ବିଜେପି ଏହାର ବୈଠକ ବାତିଲ କରିଦେଇଛି। ଆସନ୍ତା ୧୩ ତାରିଖରେ ବିଜେପିର ‌ବୈଠକ ଅନୁଷ୍ଠିତ ହେବ। ବିରୋଧୀ ‌ଦଳ ନେତା ଗୁଲାବଚାନ୍ଦ କାଟାରିଆ କହିଛନ୍ତି, ବୁଝାମଣା ସତ୍ତ୍ବେ କଂଗ୍ରେସ ୫ ବର୍ଷ କାର୍ଯ୍ୟକାଳ ଶେଷ କରିପାରିବ ନାହିଁ। ତେବେ ଆଗାମୀ ବୈଠକରେ ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଯୋଗ ଦେବେନି ବୋଲି ସେ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ବିଜେପିର ଷଡ଼ଯନ୍ତ୍ର କାମ ଦେଲାନି ବୋଲି ସେମାନେ ହୃଦ୍‌ବୋଧ କଲେ ଏବଂ ଏଥିପାଇଁ ବୈଠକ ବାତିଲ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ସରକାର ଭାଙ୍ଗିବାପାଇଁ ବିଜେପି ଷଡ଼ଯନ୍ତ୍ର କରୁଛି ଏବଂ ଏହା ମୋଟା ଅଙ୍କର ଟଙ୍କା ଦେଇ ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି ଗେହଲଟ୍‌ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here