ଯୁଦ୍ଧ କ’ଣ ସମାଧାନ

0
442

ଆଚିଭର୍ସ ନ୍ୟୁଜ୍‌, ୧୮/୦୬ (ବ୍ୟୁରୋ)- ଭାରତ ସହ ସୀମା ସମସ୍ୟାର ଚୂଡ଼ାନ୍ତ ସମାଧାନ ଚୀନ ଚାହେଁନାହିଁ । ଦୁଇ ଦେଶର ସମାଧାନ ପୂର୍ବ, ପଶ୍ଚିମ ଓ ମଧ୍ୟବର୍ତ୍ତୀ ଅଞ୍ଚଳରେ ରହିଥିବା ସୀମା ବିବାଦ ପୁନର୍ଜୀବିତ କରିବା ପ୍ରୟାସ ଚୀନ ଅବ୍ୟାହତ ରଖିଛି । ଏ କ୍ଷେତ୍ରରେ ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ସିକିମ ଅବସ୍ଥିତ । ଦୁଇ ଦେଶ ମଧ୍ୟରେ ୧୯୯୩ରୁ ୨୦୧୩ ମଧ୍ୟରେ ଚାରୋଟି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ଭିତ୍ତିରେ ନିୟମିତ ଉଚ୍ଚସ୍ତରୀୟ ଆଲୋଚନା ଅବ୍ୟାହତ ରହିଛି । କିନ୍ତୁ ଏଗୁଡ଼ିକର ଅନେକ ବିଷୟ ଅସ୍ପଷ୍ଟ । ୧୯୯୩ ଚୁକ୍ତି ଅନୁଯାୟୀ, ଦୁଇ ଦେଶର ସୀମା ଚୂଡ଼ାନ୍ତ ନହେବାଯାଏଁ ଉଭୟପକ୍ଷ ପ୍ରକୃତ ସୀମାରେଖା ଉଲ୍ଲଙ୍ଘନ ନକରିବା ଅନିବାର୍ଯ୍ୟ । କିନ୍ତୁ ଏ ସର୍ତ୍ତକୁ ସମ୍ମାନ ଦିଆଯାଇନାହିଁ । ୧୯୯୬ରେ ସ୍ୱାକ୍ଷରିତ ଚୁକ୍ତିରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ନିୟୋଜିତ ସୈନ୍ୟ ସଂଖ୍ୟା ହ୍ରାସ କରିବା ଉଲ୍ଲେଖ ରହିଛି । କିନ୍ତୁ ସମୟକ୍ରମେ ସୈନ୍ୟ ସଂଖ୍ୟା ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇଛି । ସର୍ବୋପରି ପ୍ରକୃତ ସୀମାରେଖା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ଏହାଦ୍ୱାରା ଉଭୟ ଦେଶର ସୈନ୍ୟ ସୀମାରେଖା ଉଲ୍ଲଙ୍ଘନ କରିବା ସ୍ୱାଭାବିକ । ଏହାର ପୂର୍ବ ଭାଗରେ ନିର୍ଦ୍ଧାରିତ ମ୍ୟାକମୋହନ ରେଖା ଚୀନ ଗ୍ରହଣ କରିନାହିଁ । ପଶ୍ଚିମ ଭାଗରେ ଏହା ଅସ୍ପଷ୍ଟ । ୨୦୦୩ ରେ ସ୍ୱାକ୍ଷରିତ ରାଜିନାମାରେ ପ୍ରକୃତ ନିୟନ୍ତ୍ରଣ ରେଖା ସମ୍ପର୍କିତ ମାନଚିତ୍ର ଦୁଇଦେଶ ମଧ୍ୟରେ ଆଦାନ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଭାରତ ଦ୍ୱାରା ପ୍ରସ୍ତୁତ ମାନଚିତ୍ର ଚୀନ ଗ୍ରହଣ କରିନାହିଁ । ୨୦୧୩ ରାଜିନାମାରେ ଦୁଇ ଦେଶ ମିଳିତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେବାପାଇଁ ଉଲ୍ଲେଖ ରହିଛି । କିନ୍ତୁ ଏହା ମଧ୍ୟ ସମ୍ଭବ ହୋଇନାହିଁ । ଏଥର ଆଲୋଚନାରେ ଦୁଇ ଦେଶ ମଧ୍ୟରେ ସତୁରି ବର୍ଷର କୂଟନୈତିକ ସଂପର୍କକୁ ଦୃଢ଼ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । କୋଭିଡ଼-୧୯ ମହାମାରୀର ରାଜନୀତିକରଣକୁ ପ୍ରଶ୍ରୟ ନଦେବା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସମର୍ଥନ, ଆନ୍ତର୍ଗାତିକ ବ୍ୟାପାର କ୍ଷେତ୍ରରେ ଅଧିକ ସ୍ୱାଧିନତା ଇତ୍ୟାଦି ସ୍ଥାନିତ ହୋଇଛି, ଯାହାର ମୂଳ ସମସ୍ୟା ସହିତ ବିଶେଷ ସଂପର୍କ ନାହିଁ । ପ୍ରକୃତ ସୀମାରେଖାର ଭାରତୀୟ କ୍ଷେତ୍ରରେ ନିର୍ମିତ ଦୌଲତବେଗ ଓଲଡ଼ି-ଡ଼ାରବୁକ ରାସ୍ତା ଅକସାଇ ଚୀନରେ ଚୀନ ଦ୍ୱାରା ନିର୍ମିତ ରାସ୍ତାପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଚୀନର ଧାରଣା । ତେଣୁ ଏ ରାସ୍ତାକୁ ବନ୍ଦ କରି ସିଆଚୀନରେ ଭାରତର ଅଧିକାର ଅସ୍ୱୀକାର କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିବା ତା’ର ଉଦ୍ଦେଶ୍ୟ । ଦୁଇ ଦେଶ ମଧ୍ୟରେ ରହିଥିବା ବାସ୍ତବିକ ସୀମାରେଖାରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଭାରତର ଉଦ୍ୟମକୁ ଚୀନ ସମ୍ମାନ ଦିଏନାହିଁ । ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରାୟ ସବୁ କ୍ଷେତ୍ରରେ ଭାରତ ତୁଳନାରେ ଚୀନର ପ୍ରଭାବ ଅଧିକ । ଏ ପରିପ୍ରେକ୍ଷୀରେ ଭାରତ ଶକ୍ତିଶାଳୀ ହେବା ଚୀନ ନଚାହିଁବା ସ୍ୱାଭାବିକ । କିନ୍ତୁ ଭାରତର ଆକର୍ଷଣ ବଜାର ଚୀନ ହାତଛଡ଼ା କରିବ ନାହିଁ । ଚୀନ ଚାହେଁ ଆଞ୍ଚଳିକ ଓ ଆନ୍ତର୍ଜାତୀକ ସ୍ତରରେ ଚୀନର ନୀତିକୁ ଭାରତର ସମର୍ଥନ । କିନ୍ତୁ ଭାରତ ଏହା ସ୍ୱୀକାର କରେନାହିଁ । ତେଣୁ ଚୀନ ଏବଂ ଏହାର ସମର୍ଥନରେ ପାକିସ୍ତାନ ଓ ନେପାଳରେ ଭାରତବିରୋଧୀ ମନୋଭାବ କ୍ରମଶଃ ବଳବତ୍ତର ହେଉଛି । ଏହାର ସମ୍ମୁଖୀନ ହେବା ପାଇଁ ଭାରତକୁ ଅର୍ଥନୈତିକ ଓ ସାମରିକ ଶକ୍ତି ବୃଦ୍ଧି କରିବାକୁ ପଡ଼ିବ । ସୀମାନ୍ତରେ ଭୂ-ସଂରଚନା ଅବ୍ୟାହତ ରଖିବା ସହିତ ଚୀନ ସମେତ ଅନ୍ୟାନ୍ୟ ସାମରି ଓ ବେଷୟିକ କ୍ଷେତ୍ରରେ ଶକ୍ତିଶାଳୀ ରାଷ୍ଟ୍ର ସହ କୂଟନୀତିର ଉଚିତ ପରିଚାଳନା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here