ହାଇଦ୍ରାବାଦ୍, ଆଚିଭର୍ସ ନ୍ୟୁଜ୍, ୦୪/୦୮ (ବ୍ୟୁରୋ)- ଆନ୍ଧ୍ରପ୍ରଦେଶ ରାଜଧାନୀ ହାଇଦ୍ରାବାଦ୍ରେ କରୋନା ସଂକ୍ରମଣ ବଢ଼ିଥିବାବେଳେ ଏଥିପାଇଁ ହସ୍ପିଟାଲ୍ରେ ଆଗୁଆ ବୁକିଂ ଆରମ୍ଭ ହୋଇଯାଇଛି। ରାଜ୍ୟରେ ରହୁଥିବା ଭିଆଇପିମାନେ ଘରୋଇ ହସ୍ପିଟାଲ୍ରେ ଆଗୁଆ ଆଇସିୟୁ ବେଡ୍ ବୁକ୍ କରୁଛନ୍ତି। ଘରୋଇ ଡାକ୍ତରଖାନା ଏବଂ କର୍ତ୍ତୃପକ୍ଷଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗ ଅନୁଯାୟୀ ଆଗୁଆ ବେଡ୍ ବୁକିଂ ପାଇଁ ଦୈନିକ ହିସାବରେ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି। ଏହି ଖବର ସରକାରୀ ଅଧିକାରୀଙ୍କ ନଜରକୁ ଆସିବାପରେ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। କିଛି ଭିଆଇପି ଆଗକୁ କରୋନା ସଂକ୍ରମିତ ହୋଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି। ତେଣୁ ସେମାନେ ନିଜ ପାଇଁ ଆଗୁଆ ବେଡ୍ ବୁକ୍ କରୁଛନ୍ତି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ଜି ଶ୍ରୀନିବାସ ରାଓ କହିଛନ୍ତି। ରାଓଙ୍କ କହିବା ଅନୁଯାୟୀ ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବେଆଇନ। ଏହି କଥା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଛି। ଉକ୍ତ ଘଟଣାରେ ବିସ୍ତୃତ ଭାବେ ତଦନ୍ତ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏହି ଭିଆଇପି ମାନଙ୍କ ମଧ୍ୟରେ ରାଜନେତା ଏବଂ ଅଭିନେତା ମଧ୍ୟ ଅଛନ୍ତି। ଅଧିକାରୀମାନେ କହିଛନ୍ତି, ଯେଉଁ ସମୟରେ ରୋଗୀ ବେଡ୍ ପାଇବା ପାଇଁ ଅତି ଗୁରୁତର ଅବସ୍ଥାରେ ଗୋଟିଏ ହସ୍ପିଟାଲ୍ରୁ ଅନ୍ୟ ହସ୍ପିଟାଲ୍କୁ ଦୌଡ଼ୁଛନ୍ତି ସେହି ସମୟରେ ଏହି ଆଗୁଆ ବୁକିଂ ଖବର ମିଳିଛି। ଏହା ଅତ୍ୟନ୍ତ ଅନୈତିକ ଏବଂ ବେଆଇନ କାର୍ଯ୍ୟ। ସହରରେ ୪ଟି ହସ୍ପିଟାଲ୍ ବେଡ୍ ବୁକିଂ ଭଳି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ବୋଲି କୁହାଯାଉଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଜଣାପଡ଼ିଛି ଯେ, ରାଜନେତା, ଅଭିନେତା ଏବଂ ବ୍ୟବସାୟୀମାନେ ଆଗୁଆ ବୁକିଂ କରୁଛନ୍ତି। ଭିଆଇପି ମାନେ ଭାବୁଛନ୍ତି ଯେ, ଆଗୁଆ ବେଡ୍ ବୁକ୍ କରିଥିଲେ କୌଣସି ପରିସ୍ଥିତିରେ ଯଦି ସେମାନେ ଅସୁସ୍ଥ ହୁଅନ୍ତି ତେବେ ସେମାନଙ୍କୁ ବେଡ୍ ପାଇଁ ଅପେକ୍ଷା କରିବାକୁ ପଡ଼ିବନି। ଅନ୍ୟପକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ଏକ ବୁଲେଟିନ୍ ଜାରି କରି କୁହାଯାଇଛି ଯେ, ଘରୋଇ ହସ୍ପିଟାଲ୍ମାନଙ୍କରେ ୨,୪୨୦ ବେଡ୍ ଉପଲବ୍ଧ ରହିଛି। ତେବେ ଜଣେ ରୋଗୀଙ୍କ ସମ୍ପର୍କୀୟ ମହମ୍ମଦ କାଜିମ୍ କହିଛନ୍ତି, ୨ଟି ହସ୍ପିଟାଲ୍ ଆଗୁଆ ଟଙ୍କା ଦାବି କରୁଛନ୍ତି। ଆଗୁଆ ଟଙ୍କା ଦେଲେ ହିଁ ରୋଗୀଙ୍କୁ ଆଡମିଟ୍ କରାଯିବ ବୋଲି ୨ଟି ହସ୍ପିଟାଲ୍ ଦାବି କରିଥିବା ସେ କହିଛନ୍ତି। ଅନ୍ୟ ଜଣେ ରୋଗୀ ମଧ୍ୟ ଏହି ସମାନ ଅଭିଯୋଗ ଆଣିଛନ୍ତି।