ବିବାଦରେ ଗାଭାସ୍କର

0
84

ମୁମ୍ବାଇ, ଆଚିଭର୍ସ ନ୍ୟୁଜ୍ ୨୬/୦୯ (ବ୍ୟୁରୋ)-  ବିରାଟ‌ କୋହଲିଙ୍କ ପାଇଁ ଗୁରୁବାର ରାତି ଭଲ ବିତିନଥିଲା। ବ୍ୟକ୍ତିଗତ ଭାବେ ସେ ବ୍ୟାଟିଂରେ ବିଫଳ (୫ ବଲରୁ ୧ ରନ୍‌) ହେବା ସହିତ ତାଙ୍କ ଦଳ ଆର୍‌ସିବି ମଧ୍ୟ ୯୭ ରନ୍‌ର ବଡ଼ ବ୍ୟବଧାନରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ନିକଟରୁ ହାରିଯାଇଥିଲା। କେଏଲ୍ ରାହୁଲଙ୍କ ୧୩୨ ରନ୍‌ (୬୯ ବଲ୍‌) ପାଳିକୁ ବି ଆର୍‌ସିବିର ପୂରା ପାଳି (୧୦୯) ଟପି ପାରିନଥିଲା। କିନ୍ତୁ ‌ରାହୁଲ ଶତକ ହାସଲ କରିବା ପୂର୍ବରୁ ଦୁଇ ଥର ବିରାଟ କୋହଲି ତାଙ୍କ ସହଜ କ୍ୟାଚ୍‌ ହାତଛଡ଼ା କରିଥିଲେ। ଏହାକୁ‌ ନେଇ ସେ ଢେର ସମାଲୋଚିତ ହୋଇଛନ୍ତି। କିନ୍ତୁ କମେଣ୍ଟାରି ବକ୍ସରେ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କରଙ୍କ ଯୌନ ଉଦ୍ଦୀପକ ଟିପ୍ପଣୀକୁ ନେଇ ପ୍ରଶଂସକମାନେ ତୁମ୍ଭି ତୋଫାନ କରିଛନ୍ତି। କେତେକ ଗାଭାସ୍କରଙ୍କୁ ସମାଲୋଚନା କରିଥିବା ବେଳେ ଆଉ କେତେକ ମଧ୍ୟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ପରୋକ୍ଷରେ ଦୋଷ ଦେଇଛନ୍ତି। କୋହଲିଙ୍କ ବ୍ୟାଟିଂ ଅଭ୍ୟାସ ସମ୍ପର୍କରେ ମତ ରଖିବାକୁ ଯାଇ ଗାଭାସ୍କର ମଜାଳିଆ ଢଙ୍ଗରେ କହିଥିଲେ, ‘ଯେଉଁ ଲକ୍‌ଡାଉନ୍ ଥିଲା, ସେ (କୋହଲି) କେବଳ ଅନୁଷ୍କାଙ୍କ ବୋଲିଂକୁ ସମ୍ମୁଖୀନ ହେଉଥିଲେ’। କୋହଲିଙ୍କ ବିଫଳତା ‌ବେଳେ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ପ୍ରଶଂସକମାନେ ପୂର୍ବରୁ ସମାଲୋଚନା କରିବାର ବହୁ ଉଦାହରଣ ରହିଛି। କୋହଲି ବି ଅତୀତରେ ସ୍ପଷ୍ଟୀକରଣ ରଖି କହିଥିଲେ ‘ପ୍ରତିଟି ନକାରାତ୍କକ କଥାକୁ ନେଇ ଅନୁଷ୍କାଙ୍କୁ ସମାଲୋଚନା କରିବା ଲଜ୍ଜାଜନକ କଥା। ମୁଁ ମୋ ଖେଳ ସହିତ କ’ଣ କଲି ଏହା ତାଙ୍କ ନିୟନ୍ତ୍ରଣରେ ନାହିଁ, ଏଭଳି କହୁଥିବା‌ ଲୋକମାନେ ନିଜକୁ ଶିକ୍ଷିତ କରନ୍ତୁ। ଅନୁଷ୍କା କେବଳ ମୋ ଭିତରେ ସକାରାତ୍ମକ ଭାବ ଭରି ଦେଇଛନ୍ତି।’

LEAVE A REPLY

Please enter your comment!
Please enter your name here