ପ୍ରାଚୀନ କୀର୍ତ୍ତିରାଜର ସୁରକ୍ଷା ଆବଶ୍ୟକ

0
467

ଭୁୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୧୨/୦୬ (ବ୍ୟୁରୋ):- ଏକାମ୍ର ଯୋଜନା ଅନ୍‌ତର୍ଗତ ପ୍ରସ୍ତାବିତ ବାହ୍ୟ ସଡ଼କ ତାଳେଶ୍ୱର (କେଦାର ଗୌରୀ ଛକ) ଠାରୁ ବିନ୍ଦୁସାଗର ପୂର୍ବ ପଟେ ଆସି ଜ୍ଞାନୀ ଜୈଲ ସିଂହ ରାସ୍ତାରେ ମିଶିବ । ସେଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ପଟ ଦେଇ ତାରାସୁନ୍ଦରୀ ରାସ୍ତାରେ ଯୋଡ଼ି ହେବ । ସେଠାରୁ ବଢ଼େଇବାଙ୍କ ଠାରେ ମିଶିବ । ଏହି ରାସ୍ତାର ଲମ୍ବ ଦେଢ଼ କିମି ହୋଇଥିବା ବେଳେ ପ୍ରସ୍ଥ ୧୦୦ଫୁଟ । ରାସ୍ତା ଆରମ୍ଭରେ ପ୍ରାଚୀନ ତାଳେଶ୍ୱର ମନ୍ଦିର ପଡୁଥିବା ବେଳେ ବାଟରେ ସମ୍ପର୍ଣ୍ଣ ଜଳେଶ୍ୱର ମନ୍ଦିର, ଗଙ୍ଗାଯମୁନା, ପୂର୍ବେଶ୍ୱର, ଏକାମ୍ରେଶ୍ୱର, ମହାକାଳ, ଗଡ଼ ଗଣେଶ, ମକରେଶ୍ୱର, ମୈତ୍ରେଶ୍ୱର, ପାପନାଶିନୀ ଆଦି କୀର୍ତ୍ତିରାଜି ପଡୁଛି । ଉପରୋକ୍ତ କୀର୍ତ୍ତିରାଜି ମଧ୍ୟରୁ ଗଡ଼ ଗଣେଶ, ମୈତ୍ରେଶ୍ୱର, ପାପନାଶିନୀ ଓ ମକରେଶ୍ୱର ଗୁରୁତର ପ୍ରଭାବିତ ହେବା ଆଶଙ୍କା ଉପୁଜିଛି । ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ଉପରେ କାମ ଚଳାଇଥିବା ଆଇନଜୀବୀ ଅରଣ କୁମାର ମହାପାତ୍ର ସରକାରଙ୍କ ଏହି କାର୍ଯ୍ୟକୁ ବିରୋଧ କରି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ କତ୍ତୃପକ୍ଷଙ୍କୁ ଏକାଧିକ ଚିଠି ଲେଖିଛନ୍ତି । ସେ କହିଛନ୍ତି, ଆମସାର ଆକ୍ଟ ଅନୁଯାୟୀ ଐତିହ୍ୟସ୍ଥଳୀକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ ବେଆଇନ । ଏହି ରାସ୍ତା ହେଲେ ଉଭୟ ମକରେଶ୍ୱର ଓ ପାପନାଶିନୀ କୀର୍ତ୍ତିରାଜି ଭୁଶୁଡ଼ିଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଘଟଣା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷଣ ଅଧିକାରୀ ଅରୁଣ କୁମାର ମଲ୍ଲିକଙ୍କୁ ଅବଗତ କରାଯାଇଥିଲା । ସେ କହିଲେ, କୋଭିଡ୍‌-୧୯ ଲକ୍‌ଡାଉନ୍‌ରେ ମୁଁ ଓଡ଼ିଶା ବାହାରେ ଅଟକି ଯାଇଥିଲି । ତେଣୁ ଏପଟେ କାମର ଅଗ୍ରଗତି କ’ଣ ମୁଁ ଜାଣିପାରିନି । ଏବେ ମୁଁ ଓଡ଼ିଶା ଫେରିଛି ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରି ମୁଁ ଯାହା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି । ତେବେ ମକରେଶ୍ୱର ମନ୍ଦିର ଉପରେ ଚିଠି ମୋ ପାଖରେ ପହଞ୍ଚି ନାହିଁ ବୋଲି ସେ କହିଥିଲେ । ଅନୁରୂପ ଭାବେ କାମ ଦାୟିତ୍ୱ ନେଇଥିବା ବିଏମ୍‌ସି ଅତିରିକ୍ତ କମିଶନର ଅବନୀ କୁମାର ପଟ୍ଟନାୟକ କହିଛନ୍ତି, ଗଡ଼ ଗଣେଷ ମନ୍ଦିରର ପ୍ରାଚୀନତା ପରୀକ୍ଷା ପରେ ମନ୍ଦିର ବେଢ଼ା ଓ ଏଥିରେ ଥିବା ବଡୁ ନିଯୋଗ କୋଠା ଭଙ୍ଗାଯିବ । ରାସ୍ତା ନିର୍ମାଣ ବେଳେ ପାପନାଶିନୀ ଓ ଅନ୍ୟାନ୍ୟ କୀର୍ତ୍ତିରାଜିର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ ।

 

LEAVE A REPLY

Please enter your comment!
Please enter your name here