ଆଚିଭର୍ସ ନ୍ୟୁଜ୍, ୦୨/୦୮ (ବ୍ୟୁରୋ)- ହଜାରହଜାର ବର୍ଷ ଧରି ପ୍ରାକୃତିକ ଉପାୟରେ ପଶୁପାଳନରେ ଉନ୍ନତି ପାଇଁ ନିରବଚ୍ଛିନ୍ନ ଗବେଷଣା ଚାଲିଥିବାବେଳେ ଏଇମାତ୍ର ଶହେବର୍ଷ ତଳେ ଏ ଗବେଷଣା ଏକ ମାରାତ୍ମକ ମୋଡ଼ ନେଲା । ପେଟର ଭୋକ ମାରିବାକୁ ନୁହେଁ, ମଣିଷ ନିଜର ଅନ୍ତହୀନ ଜିହ୍ୱା ଲାଳସା ଚରିତାର୍ଥ କରିବାକୁ ଖାଦ୍ୟ ପାଇଁ ପାଳିତ ଜୀବଜନ୍ତୁମାନଙ୍କ ସହିତ ନିଷ୍ଠୁରତାର ସମସ୍ତ ସୀମା ସରହଦ ପାର କରିଗଲା । ଛୋଟଛୋଟ ଖୁଆଡ଼ମାନଙ୍କରେ ଶହଶହ, ହଜାରହଜାର ପଶୁପକ୍ଷୀଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଗେଞ୍ଜାଗେଞ୍ଜି କରି ରଖାଗଲା । ଅଳ୍ପ ଜାଗାରେ ବହୁତ ପଶୁପକ୍ଷୀ ପାଳିବା ଏହାର ଏକମାତ୍ର ଉଦ୍ଦେଶ୍ୟ ନଥିଲା, ଯେତିକି ଖାଦ୍ୟ ସେମାନଙ୍କୁ ଦିଆଯିବ ତାହା ଯେମିତି ବିଶେଷ ଅପଚୟ ନହୋଇ ସିଧାସଳଖ ମାଂସ, ଅଣ୍ଡା ଓ କ୍ଷୀରରେ ପରିଣତ ହୋଇଯିବ, ତାହା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ସେଥିପାଇଁ ଏହି ପଶୁଗୁଡ଼ିକ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଶେଷ ହଲଚଲ ନହୋଇ ଗୋଟିଏ ଜାଗାରେ କେବଳ ଠିଆହୋଇ ବା ବସି ଜୀବନ କାଟିବାକୁ ବାଧ୍ୟ ହେଲେ । ସୂର୍ଯ୍ୟକିରଣ ସେମାନଙ୍କ ଦେହରେ ବାଜିଲା ନାହିଁ । ଜୀବନସାରା ସେମାନଙ୍କୁ ବନ୍ଦ କୋଠରୀରେ କୃତ୍ରିମ ଆଲୋକରେ ରହିବାକୁ ପଡ଼ିଲା । ଖରା, ବର୍ଷା, ଶୀତ ପରି ଋତୁମାନଙ୍କର ଅନୁଭୂତି ସେମାନଙ୍କ ଭାଗ୍ୟରେ ଜୁଟିଲା ନାହିଁ । ଅଧିକା ଗରମ ବା ଥଣ୍ଡା ହେଲେ ଉତ୍ପାଦନ କମିଯିବା ଭୟରେ ସାରାଜୀବନ ସେମାନଙ୍କୁ ଏକ ନିଦ୍ଦିଷ୍ଟ ନିୟନ୍ତ୍ରିତ ତାପମାତ୍ରାରେ ରଖାଗଲା । ସେମାନଙ୍କର ପ୍ରାକୃତିକ ଯୌନ ଆକାଂକ୍ଷାକୁ ଦମନ କରାଯାଇ କୃତ୍ରିମ ଉପାୟରେ ପ୍ରଜନନ କରଗଲା । ଜନ୍ମ ହେବାର ଅଳ୍ପଦିନ ଭିତରେ ପଶୁପକ୍ଷୀଗୁଡ଼ିକୁ ସଅଳ ସଅଳ ବଢ଼ିଯାଇ ସମୟ ପୂର୍ବରୁ ପ୍ରଜନନକ୍ଷମ ତଥା ଅଧିକ ଉତ୍ପାଦନକ୍ଷମ ହୋଇଯିବା ପାଇଁ ମଧ୍ୟ ଆଣ୍ଟିବାୟୋଟିକ୍ର ପ୍ରୟୋଗ କରାଗଲା ।
ସାରା ପୃଥିବୀରେ ଶାକାହାରରେ ପ୍ରଥମ ଓ ମାଂସାହାର କ୍ଷେତ୍ରରେ ଭାରତର ସ୍ଥାନ ସବା ତଳେ । ଏହାସତ୍ତ୍ୱେ ମାଂସ ଉତ୍ପାଦନରେ ସାରାପୃଥିବୀରେ ଭାରତର ସ୍ଥାନ ପଞ୍ଚମ ଥିବାବେଳେ (ବର୍ଷକୁ ସତୁରି ଲକ୍ଷ ଟନ୍), ମାଛ ଉତ୍ପାଦନରେ ଦ୍ୱିତୀୟ କୁକୁଡ଼ାରେ ତୃତୀୟ ତଥା ଅଣ୍ଟା ଉତ୍ପାଦନରେ ପ୍ରଥମ, କାରଣ ଆମ ଦେଶରେ ନିୟମିତ ଆମିଷ ଆହାର କରୁଥିବା ଲୋକସଂଖ୍ୟା ଚାଳିଶ କୋଟି । ତା’ଛଡା ଭାରତରୁ ବହୁ ପରିମାଣରେ ଗୋମାଂସ , ମାଛ, ଚିଙ୍ଗୁଡ଼ି, କୁକୁଡ଼ା ଇତ୍ୟାଦି ବିଦେଶକୁ ରପ୍ତାନି ହୁଏ । ତେଣୁ ଆମ ଦେଶରେ ପଶୁପକ୍ଷୀ ପାଳନରେ ପ୍ରବଳ ଆଣ୍ଟିବାୟୋଟିକ୍ର ବ୍ୟବହାର ହୁଏ । ଏହାର ମାତ୍ରା ଏତେବେଶୀ ଯେ ନରୱେ ଇତ୍ୟାଦି ଚାରିଟି ୟୁରୋପୀୟଦେଶ ଭାରତରୁ ମାଂସ ଆମଦାନୀ ସମ୍ପୂର୍ଣ୍ଣ ନିଷିଦ୍ଧ କରିଦେଇଛନ୍ତି ଓ ଅନେକ ମଧ୍ୟପ୍ରାଚ୍ୟ ଦେଶ ଆମଦାନୀ ପରିମାଣ କମାଇ ଦେଇଛନ୍ତି । କୋଭିଡ୍ -୧୯ ଦ୍ରୁତଗତିରେ ସାରାପୃଥିବୀରେ ମହାମାରୀ ରୂପନେଇ ମୃତ୍ୟୁର ତାଣ୍ଡବଲୀଳା ରଚିବା ତା’ର ତ୍ୱଳନ୍ତ ଉଦାହରଣ । ଆମେ ଜାଣିଶୁଣି ଜୀବନରକ୍ଷାକାରୀ ଆଣ୍ଟବାୟୋଟିକର ଦାୟିତ୍ୱହୀନ ପ୍ରୟୋଗ କରି ନିଜସ୍ୱ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରିଛୁ ଓ ନିଜେ ବିନାଶର କାରଣ ସାଜିଛୁ । ଏବେ ବି ସମୟ ଅଛି । ଯେତେଶୀଘ୍ର ସମ୍ଭବ କୃତିମତାକୁ ତ୍ୟାଗକରି ପ୍ରାକୃତିକ ସୁସ୍ଥ, ଶାକାହାରୀ ଜୀବନଶୈଳୀ ଆପଣେଇଲେ ହୁଏତ ମାନବଜାତି ଧ୍ୱଂସ ପାଇବାରୁ ବର୍ତ୍ତିଯିବ ।