ପୁସ୍ତକ

0
33

ଆଚିଭର୍ସ ନ୍ୟୁଜ୍ ୨୮/୦୯ (ବ୍ୟୁରୋ)-  ଜନ ରସ୍କିନଙ୍କ ରଚିତ ପୁସ୍ତକ ‘ଅନଟୁ ଦିସ ଲାଷ୍ଟ୍’ ହୁଏ’ତ ଏକ ଉତ୍ତମ ପୁସ୍ତକ ମାତ୍ର ଭାବେ ପରିଗଣିତ ହୋଇ ଅସ˚ଖ୍ୟ ଉତ୍ତମ ପୁସ୍ତକର ଅରଣ୍ୟ ମଧୢରେ ଅନ୍ୟତମ ହୋଇ ରହିଯାଇଥାଆନ୍ତା, ଯଦି ତାହା ତରୁଣ ମୋହନଦାସ ଗାନ୍ଧୀଙ୍କ ଜୀବନରେ ଆବିର୍ଭୂତ ହୋଇ ତାଙ୍କୁ ମହାତ୍ମା ଗାନ୍ଧୀରେ ପରିଣତ କରିବାର ଏକ ଯୁଗାନ୍ତକାରୀ ଭୂମିକା ନିର୍ବାହ କରି ନ ଥାଆନ୍ତା ଏବ˚ ସେହି ଦୃଷ୍ଟିରୁ ସେହି ଅରଣ୍ୟରେ ଏକ ଅନନ୍ୟ ଦ୍ରୁମ ଭାବେ ସ୍ବତନ୍ତ୍ର ପରିଚିତି ହାସଲ କରି ନ ଥାଆନ୍ତା। କୁହାଯାଇଥାଏ ଯେ ପୃଥିବୀର ସମସ୍ତ ନିର୍ଜୀବ ପଦାର୍ଥ ମଧୢରେ ପୁସ୍ତକ ହେଉଛି ଏକମାତ୍ର ଏଭଳି ପଦାର୍ଥ, ଯାହା ପ୍ରକୃତରେ ପ୍ରାଣ ଧାରଣ କରିଥାଏ ଏବ˚ ଏହାର ସ୍ପନ୍ଦନ କେବଳ ମଣିଷର ନୁହେଁ, ଅନେକ ସମୟରେ ପୃଥିବୀର ଭାଗ୍ୟ ମଧୢ ବଦଳାଇ ଦେବାରେ ସମର୍ଥ ହୋଇଥାଏ। ସେଥି ଲାଗି ପ୍ରସିଦ୍ଧ କଲମ୍ବୀୟ ଲେଖକ ଗାବ୍ରିଏଲ୍‌ ଗାର୍ସିଆ ମାର୍କ୍ବେଜ ତାଙ୍କ ଗଳ୍ପ ସ˚କଳନ ‘ଦ ଷ୍ଟ୍ରେ˚ଜ୍‌ ପିଲଗ୍ରିମ୍‌ସ’ ସ˚ପର୍କରେ କହୁଥିବା ବେଳେ ଠାଏ କହିଥିଲେ ଯେ ମନୁଷ୍ୟମାନଙ୍କ ଭଳି ପୁସ୍ତକଗୁଡ଼ିକ ମଧୢ ନିଜ ନିଜ ଭାଗ୍ୟ ଭୋଗ କରିଥାଆନ୍ତି; ଯାହାର ଅନେକ ଦୃଷ୍ଟାନ୍ତ ପ୍ରାଚୀନ ଅତୀତରୁ ଦେଖିବାକୁ ମିଳି ଆସିଛି, ଯହିଁରେ ବିଭିନ୍ନ କାରଣରୁ ପୁସ୍ତକଗୁଡ଼ିକୁ ବିଭ୍ରାନ୍ତି ବା ଅଶାନ୍ତି ସୃଷ୍ଟିକାରୀ ଅଥବା ଧର୍ମ ଓ ଦେଶଦ୍ରୋହ ଉତ୍‌ପ୍ରେରକ ଭାବେ ବିବେଚନା କରାଯାଇ ସେଗୁଡ଼ିକୁ ନିଷିଦ୍ଧ ବା ନିଶ୍ଚିହ୍ନ କରିଦିଆଯିବାର ଉଦ୍ୟମ ହୋଇଛି। ଏହାର କାରଣ ହେଉଛି ଜନ-ଚେତନାକୁ ପ୍ରଭାବିତ କରିବା ନେଇ ପୁସ୍ତକର ସାମର୍ଥ୍ୟ ରହିଥିବାର ଭୟ ଅନେକ ସମୟରେ କ୍ଷମତାଧାରୀ ବର୍ଗଙ୍କୁ ଅସ୍ବସ୍ତିରେ ପକାଇଥାଏ ଏବ˚ ଏହି କାରଣରୁ ଅନେକ ପୁସ୍ତକର ଭାଗ୍ୟ ସରକାରମାନଙ୍କ ଦ୍ବାରା ହିଁ ନିୟନ୍ତ୍ରିତ ହୋଇ ଆସିଛି। ଆଜି ଏଠାରେ ଏଭଳି ଏକ ପ୍ରସଙ୍ଗ ଉତ୍‌ଥାପନ କରାଯିବାର କାରଣ ହେଉଛି ନିକଟରେ କେତେକ ଛାତ୍ର ଓ ଗବେଷକଙ୍କ ବିରୋଧରେ ‘ଦେଶଦ୍ରୋହ’ ଅଭିଯୋଗ ସଂକ୍ରାନ୍ତରେ ଦିଲ୍ଲୀ ପୁଲିସ ଦ୍ବାରା ଦାଖଲ ଚାର୍ଜସିଟ୍‌, ଯହିଁ‌ରେ ସେମାନେ ପଢୁଥିବା କିଛି ପୁସ୍ତକକୁ ସେମାନଙ୍କ ଦୋଷର ପ୍ରମାଣ ଭାବେ ଦର୍ଶା ଯାଇଛି। ଏହି ପରିପ୍ରେକ୍ଷୀରେ କେତେକ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି ଯେ ଜଣେ ବ୍ୟକ୍ତିଙ୍କ ବହି ଥାକରେ ସ୍ଥାନ ପାଇଥିବା ପୁସ୍ତକ କ’ଣ ପରିଶେଷରେ ନିର୍ଦ୍ଧାରଣ କରିବ ସେହି ବ୍ୟକ୍ତି ଦେଶଦ୍ରୋହୀ କି ନୁହେଁ? ଅବଶ୍ୟ ଏହି ପ୍ରଶ୍ନର ଏକ ନିର୍ଦ୍ଦିଷ୍ଟ ଉତ୍ତର ପାଇବା ସହଜ ହୋଇ ନ ପାରେ, କିନ୍ତୁ ଏ ସ˚ଦର୍ଭରେ କିଞ୍ଚିତ ଆଲୋଚନା ଆବଶ୍ୟକ ମନେ ହୁଏ।

ଏହି ସ୍ତମ୍ଭର ଅନେକ ପାଠକପାଠିକା ଅବଗତ ଥିବେ ଯେ ପ୍ରାଚୀନ ‘ଆଲେକ୍‌ଜାଣ୍ତ୍ରିଆ’ର ଅନବଦ୍ୟ ଲାଇବ୍ରେରିକୁ ଏକାଧିକ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା। ରୋମର ‘ଖ୍ରୀଷ୍ଟିଆନ୍‌-କରଣ’ର ଆଦ୍ୟ ଭାଗରେ ୩୯୧ ଖ୍ରୀଷ୍ଟାବ୍ଦରେ ଥିସଫାଇଲସଙ୍କ ଶାସନ କାଳରେ ସେରାପିସଙ୍କ ମନ୍ଦିର ଏକ ଚର୍ଚ୍ଚରେ ପରିଣତ ହେଲା ଏବ˚ ସେହି ସମୟରେ ମନ୍ଦିର ସ˚ଲଗ୍ନ ଆଲେକଜାଣ୍ତ୍ରିଆର ଲାଇବ୍ରେରିର ଅସ˚ଖ୍ୟ ପୁସ୍ତକ ଏବ˚ ଦସ୍ତାବିଜକୁ ଧ୍ବ˚ସ କରିଦିଆଯାଇଥିଲା। ସେହିଭଳି ପରବର୍ତ୍ତୀ କାଳରେ ୬୪୦ ଖ୍ରୀଷ୍ଟାବ୍ଦରେ ଆଲେକଜାଣ୍ତ୍ରିଆ ଖଲିଫା ଓମେରଙ୍କ ଅଧୀନକୁ ଆସିବା ପରେ ତାଙ୍କ ନିର୍ଦ୍ଦେଶରେ ଲାଇବ୍ରେରିକୁ ସ˚ପୂର୍ଣ୍ଣ ରୂପେ ଧ୍ବ˚ସ କରି ଦିଆଯାଇଥିଲା। କୁହାଯାଇଥାଏ ଯେ ସେଠାରେ ମହଜୁଦ ଥିବା ପ୍ରାୟ ଅଧ ନିୟୁତ ସ˚ଖ୍ୟକ ଅତ୍ୟନ୍ତ ବିରଳ ପୁସ୍ତକ ଓ ଦସ୍ତାବିଜରେ ଅଗ୍ନି ସ˚ଯୋଗ କରାଯାଇ ତାକୁ ଏକାଦିକ୍ରମେ ଛଅ ମାସ ଧରି ସେଠାକାର ସାର୍ବଜନୀନ ସ୍ନାନାଗାରର ଜଳାଶୟରେ ଥିବା ପାଣିକୁ ଉଷୁମ କରିବାରେ ବ୍ୟବହାର କରାଯାଇଥିଲା। କିନ୍ତୁ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା, ସେହି ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଦୀର୍ଘ କାଳ ଖଣ୍ତରେ ଦେଖିବାକୁ ମିଳିଛି ଯେ ପ୍ରାୟ ସବୁ ସମୟରେ ଏବ˚ ପୃଥିବୀର ସବୁ ଅଞ୍ଚଳରେ ପୁସ୍ତକ ଉପରେ ଆକ୍ରମଣ ଜାରି ରହିଛି ଏବ˚ କ୍ଷମତାରେ ଥିବା ବର୍ଗ ପୁସ୍ତକର ପ୍ରଭାବ ବିସ୍ତାରକାରୀ ଶକ୍ତି ଦ୍ବାରା ଉଦ୍‌ବିଗ୍ନ ହୋଇ ଏଭଳି କରି ଚାଲିଛନ୍ତି। ୟୁନିସେଫ୍‌ର ଏକ ରିପୋର୍ଟ ଅନୁସାରେ କେବଳ ୨୦୧୮ ବର୍ଷରେ ସାରା ବିଶ୍ବରେ ସର୍ବମୋଟ ୪୪୮ଟି ପୁସ୍ତକକୁ ନିଷେଧ କରାଯାଇଥିଲା। ଏଥିରୁ ହୃଦ୍‌ବୋଧ କରିହୁଏ ଯେ ପୁସ୍ତକଗୁଡ଼ିକ ଅନେକ ସମୟରେ ଆପଣା କୁହୁକ ଜାଲରେ ସାଧାରଣ ଜନତାକୁ ଉଦ୍‌ଭ୍ରାନ୍ତ ବା ବିପଥଗାମୀ କରିପାରନ୍ତି ବୋଲି ଏକ ଧାରଣା ପ୍ରାୟ ସମସ୍ତ ରାଷ୍ଟ୍ରର ସରକାର ଊଣାଅଧିକେ ପୋଷଣ କରନ୍ତି।

ଜେଏନ୍‌ୟୁର ପ୍ରାକ୍ତନ ଛାତ୍ର ସର୍ଜିଲ ଇମାମ ତାଙ୍କ ପିଏଚ୍‌ଡି ଗବେଷଣା କାଳରେ ଅଧୢୟନ କରିଥିବା ପୁସ୍ତକକୁ ଉତ୍ତେଜନା ସୃଷ୍ଟିକାରୀ ତଥା ବିଦ୍ରୋହମୂଳକ ବୋଲି ଆଖ୍ୟା ଦିଆଯାଇଛି। ଯଦିଓ ଉପରୋକ୍ତ ପୁସ୍ତକଗୁଡ଼ିକ ବିଶ୍ଳେଷଣାତ୍ମକ ରଚନା; ପୁଲିସ ପକ୍ଷରୁ କୁହାଯାଇଛି ଯେ କେବଳ ଏକା ଭଳି ମତାଦର୍ଶ ପୋଷଣ କରୁଥିବା ପୁସ୍ତକ ପାଠ କରିବାରେ ମାତ୍ରାଧିକ ପ୍ରବଣତାର ପ୍ରଦର୍ଶନ ତଥା ଏକ ବିକଳ୍ପ ବିଚାର ବା ମତ ପୋଷଣ କରୁଥିବା ଭିନ୍ନ ସ୍ରୋତରୁ ତଥ୍ୟ ବା ସୂଚନା ଆହରଣ କରିବାରେ ଅନାଗ୍ରହ ପ୍ରମାଣ କରିଥାଏ ଯେ ଉପରୋକ୍ତ ପୁସ୍ତକର ପାଠକମାନେ କ୍ରମେ ମୌଳବାଦୀରେ ପରିଣତ ହୋଇଛନ୍ତି। ଏଠାରେ ପ୍ରଣିଧାନଯୋଗ୍ୟ ଯେ ଗଲା ଜୁଲାଇ ମାସରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସର ହାନି ବାବୁଙ୍କୁ ଗିରଫ କରାଯିବା ପରେ ପୁଲିସ ପକ୍ଷରୁ ତାଙ୍କ ବହି ଥାକରୁ ଉପଲବ୍‌ଧ ଯେଉଁ ଦୁଇଟି ପୁସ୍ତକର ଅବତାରଣା କରାଯାଇଥିଲା, ସେଗୁଡ଼ିକ ହେଉଛନ୍ତି ‘ଫ୍ରମ ବର୍ଣ୍ଣ ଟୁ ଜାତି- ଦି ପଲିଟିକାଲ ଇକନୋମି ଅଫ୍‌ କାଷ୍ଟ ଇନ୍‌ ଇଣ୍ତିଆନ ସୋସିଆଲ ଫର୍ମେସନ’ ଏବ˚ ‘ଅଣ୍ତରଷ୍ଟାଣ୍ତିଙ୍ଗ ମାଓଇଷ୍ଟସ’। କିନ୍ତୁ ଏଭଳି ଯୁକ୍ତି ହାଲୁକା ମନେ ହୋଇଥାଏ, ଯେତେବେ‌େଳେ ପ୍ରଶ୍ନ କରାଯାଏ ଯେ ଶାସନ କଳକୁ ସୁହାଉଥିବା ଦୃଷ୍ଟିଭଙ୍ଗୀ ବା ଆଦର୍ଶର ସମର୍ଥନକାରୀ ପୁସ୍ତକଗୁଡ଼ିକୁ ପାଠ କରିବାର ମାତ୍ରାଧିକ ଆଗ୍ରହ ତେବେ ଦୋଷାବହ ବୋଲି ବିବେଚିତ ହେବନାହିଁ କାହିଁକି? ଗୋଟିଏ ପୁସ୍ତକର ଗୁଣବତ୍ତା ବା ଶ୍ରେଷ୍ଠତ୍ବ କ’ଣ ଏକ ରାଷ୍ଟ୍ରରେ ସରକାର ବଦଳି ଚାଲିବା ସହିତ ତାଳ ଦେଇ ବଦଳି ଚାଲିବ? ତେଣୁ ଗଲା ବର୍ଷ ଡିସେମ୍ବର ମାସରେ ଆସାମର ଅଖିଳ ଗୋଗୋଇଙ୍କୁ ତାଙ୍କ ପାଖରେ ଥିବା ‘କମ୍ୟୁନିଷ୍ଟ ମାନିଫେଷ୍ଟୋ’ର ଅହମୀୟା ଅନୁବାଦ ଲାଗି ଯେତେବେଳେ ଗିରଫ କରାଗଲା ସେତିକି ବେ‌େଳେ ଶଶସନ କଳର ଏ ସ˚କ୍ରାନ୍ତ ଆଗ୍ରହାତିଶଯ୍ୟକୁ ପ୍ରଶ୍ନ କରାଯାଇଥିଲା। ଯଦିଓ ଏହା ମଧୢ ସତ୍ୟ ଯେ ଅଭିବ୍ୟକ୍ତିର ସ୍ବାଧୀନତା ଆଳରେ ବାସ୍ତବରେ ବିଭ୍ରାନ୍ତି ବା ବିଦ୍ବେଷ ସୃଷ୍ଟି କରୁଥିବା ପୁସ୍ତକକୁ ପ୍ରଶ୍ରୟ ଦିଆଯିବା ଅଯୌକ୍ତିକ; କିନ୍ତୁ ପୁସ୍ତକର ଭାଗ୍ୟ ନିର୍ଦ୍ଧାରଣ କରିବା ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଏ ନେଇ ପ୍ରଚୁର ବିବେଚନାବୋଧର ମଧ୍ୟ ଆବଶ୍ୟକତା ରହିଛି, ଯାହା ସରକାରୀ କଳର କେତେକ ଅଧିକାରୀଙ୍କ ଇଚ୍ଛାରେ କରାଯାଇ ନ ପାରେ।

ଜାପାନର ପ୍ରସିଦ୍ଧ ଲେଖକ ହାରୁକି ମୁରାକାମିଙ୍କ ‘ନରେଵଜିଆନ୍‌ ଉଡ୍‌’ ପୁସ୍ତକରେ ଏକ ବାକ୍ୟ ପଢ଼ିବାକୁ ମିଳିଥାଏ, ଯାହା ହେଲା ‘ସମସ୍ତେ ଯେଉଁ ସବୁ ବହି ପଢୁଛନ୍ତି, ତାହା ଯଦି ଆମେ ପଢ଼ିବା, ତେବେ ସମସ୍ତେ ଯେମିତି ବିଚାର କରୁଛନ୍ତି ଆମେ ମଧୢ ସେମିତି ହିଁ ବିଚାର କରିବା।’ ଏହି ଉକ୍ତିର ଏକ ପ୍ରତିଧ୍ବନି ସ୍ବରପ ଅନେକ ଏବେ ଏହି ପ୍ରଶ୍ନ କରୁଥିବା ଶୁଣିବାକୁ ମିଳୁଛି ଯେ ଏଣିକି କ’ଣ ବହି ଥାକରୁ ଶାସନ କଳର ଅପ୍ରିୟ ପୁସ୍ତକସବୁ ଅପସାରଣ କରି ତାହାରି ସ୍ଥାନରେ ଚେତନ ଭଗତ ବା ତାଙ୍କ ଭଳି ଲେଖକଙ୍କ ଦ୍ବାରା ରଚିତ ପୁସ୍ତକମାନ ରଖିବାକୁ ହେବ? ଏହି ସ˚ଦର୍ଭରେ କୈଶୋରର ଅନୁଭୂତିକୁ ସ୍ମରଣ କଲେ ମନକୁ ଆସିଥାଏ ପାଠ ବହି ଭିତରେ ଚଟି ଗଳ୍ପ ବହି ବା ଉପନ୍ୟାସମାନ ଲୁଚାଇ ରଖି ସେ ସବୁ ପଢ଼ିବାର ଅଦମ୍ୟ ଆଗ୍ରହ ଚରିତାର୍ଥ କରିବାର ଦୁର୍ବାର ଇଚ୍ଛା। ସେହି ଦୃଷ୍ଟିରୁ ଯଦି କିଛି ଭାବଗମ୍ଭୀର ଓ ଉଚ୍ଚ ମାନର ପୁସ୍ତକ ନିଭୃତ ପଠନ ଲାଗି ବାଧୢବାଧକତାର ବଶବର୍ତ୍ତୀ ହୋଇ ଚେତନ ଭଗତଙ୍କ ପୁସ୍ତକ ଭିତରେ ଆତ୍ମଗୋପନ କରନ୍ତି, ତାହା ସେହି ସବୁ ପୁସ୍ତକ ଓ ତା’ର ପାଠକମାନଙ୍କ ଲାଗି ଏକ ବିଡ଼ମ୍ବିତ ଭାଗ୍ୟ ରୂପେ ବିବେଚିତ ହୋଇପାରେ।

LEAVE A REPLY

Please enter your comment!
Please enter your name here