ନିଷିଦ୍ଧ ଡ୍ରଗ୍‌ସର ସେବନ

0
44

ଆଚିଭର୍ସ ନ୍ୟୁଜ୍ ୨୫/୦୯ (ବ୍ୟୁରୋ)-  ବଲିଉଡ୍‌ ବିଭିନ୍ନ ଅପରାଧମୂଳକ କଳା କାରନାମାର କ୍ଷେତ୍ର ପାଲଟିଛି। ସମୟ ଅସମୟରେ ପଦାକୁ ଆସୁଛି, ‘କାଷ୍ଟିଂ କାଉଚ୍‌’ରୁ ଆରମ୍ଭ କରି ମାଫିଆ ଲିଂକ୍‌, ‘ମି ଠୁ’ ପର୍ଯ୍ୟନ୍ତରେ ଯାବତୀୟ ବିବାଦ ଏବଂ ଏବେ ଏବେ ନିଷିଦ୍ଧ ଡ୍ରଗ୍‌ସର ସେବନ ଓ କାରବାରକୁ ନେଇ ଚାଞ୍ଚଲ୍ୟକର ତଥ୍ୟ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅଭିନେତ୍ରୀ କଙ୍ଗନା ରଣାୱତ ଯେଉଁ ସବୁ ଅଭିଯୋଗ ଉଠାଇଲେ ତାହା କ୍ରମେ ବଲିଉଡରେ ପ୍ରିୟାପ୍ରୀତି ତୋଷଣ, ବହିରାଗତଙ୍କ ଶୋଷଣ, ଯୌନ କାରବାର ତଥା ଡ୍ରଗ୍‌ସ ସେବନ ଆଦି ନେଇ ଅନେକ ବିକୃତି ଉପରୁ ପରଦା ଉଠାଇ ଦେଲା। ଅବଶ୍ୟ, ବଲିଉଡ୍ ସହ ସଂପର୍କ ରଖିଥିବା ଅନେକଙ୍କ ମତରେ କଙ୍ଗନା ଯେଉଁ ସବୁ ଅଭିଯୋଗ ଆଣିଛନ୍ତି, ତହିଁରେ ଶତ ପ୍ରତିଶତ ସତ୍ୟତା ଥାଇ ନ ପାରେ, କିନ୍ତୁ ସେ ସବୁକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦେଇ ହେବ ନାହିଁ। ପୂର୍ବରୁ ଅନେକ ବଲିଉଡ୍‌ ଅଭିନେତା ଡ୍ରଗ୍‌ସ କବଳରେ ଥିଲେ, ଯେଉଁମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ସଂଜୟ ଦତ୍ତ, ଫରଦିନ୍ ଖାଁ ଓ ବିଜୟ ରାଜ ଇତ୍ୟାଦି। ଏବେ କିନ୍ତୁ ସେମାନଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି ହିରୋଇନ୍‌ମାନେ; ପୁଣି ଦୀପିକା ପାଦୁକୋନଙ୍କ ଭଳି ସଂଭ୍ରାନ୍ତ ଓ ନାମକରା ପରିବାରରୁ ଆସୁଥିବା ଆଗ ଧାଡ଼ିର ନାୟିକା ଏଥିରେ ସଂପୃକ୍ତ ଥିବାର ସନ୍ଦେହ କରାଯାଉଛି। କାରଣ ‘ନାର୍କୋଟିକ୍‌ସ କଂ‌େଟ୍ରାଲ ବ୍ୟୁରୋ’ ବା ‘ଏନ୍‌ସିବି’ ପକ୍ଷରୁ ଶ୍ରଦ୍ଧା କାପୁର, ସାରା ଅଲ୍ଲୀଙ୍କ ସହିତ ଦୀପିକାଙ୍କୁ ସମନ ଜାରି କରାଯାଇଛି।

ତେବେ ଅନେକ ବୁଦ୍ଧିଜୀବୀ କହନ୍ତି ଯେ ବଲିଉଡ୍‌ ଘଟଣାରେ ଡ୍ରଗ୍‌ସ ସହ ଗ୍ଲାମର ଯୋଡ଼ି ହୋଇଥିବାରୁ ଗଣମାଧ୍ୟମ‌ରେ ଏହାକୁ ଅତିରଂଜିତ କରିବାର ପ୍ରବଣତା ଦେଖା ଦେଇଛି। କାରଣ ଏବେ ଡ୍ରଗ୍‌ସ କାରବାର ଯେମିତି ବ୍ୟାପିଛି ତାହା ସବୁ କ୍ଷେତ୍ରରେ ଚେର ମେଲାଇ ସାରିଲାଣି। ତେଣୁ ବଲିଉଡ୍‌ ଅଭିନେତ୍ରୀମାନଙ୍କୁ ଯେମିତି ଜଘନ୍ୟ ଅପରାଧୀ ଭାବେ ଚିତ୍ରଣ କରାଯାଉଛି, ସେଭଳି କରାଯିବା ଅନୁଚିତ। ସତ କଥା, ଡ୍ରଗ୍‌ସ ସେବନ ଓ କାରବାର ଏକ ଜାତୀୟ ସମସ୍ୟାରେ ପରିଣତ ହେଲାଣି। ଏକ ଆକଳନ କହେ ଯେ ଦେଶରେ ପ୍ରାୟ ୧୦ କୋଟି ଲୋକ ଏବେ ନିଷିଦ୍ଧ ନିଶା ସେବନ କରୁଛନ୍ତି। ପୁଣି ଏଥିମଧ୍ୟରେ ଅଧିକାଂଶ ହେଉଛନ୍ତି ସ୍କୁଲ-କଲେଜ ଯାଉଥିବା ପିଲା ଏବଂ ଯୁବକ।

ତେବେ ନିଶ୍ଚିତ ଭାବେ ଏହା ଏକ ଗୁରୁତର ପ୍ରସଙ୍ଗ। କିନ୍ତୁ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିଭିନ୍ନ ଘଟଣାକୁ ନେଇ ଯେମିତି ରାଜନୀତି କରାଯିବା ଆରମ୍ଭ ହୋଇଛି, ସେଭଳି ହେବା ଉଚିତ ନୁହେଁ। ଡ୍ରଗ୍‌ସ ସେବନ ସମସ୍ୟାକୁ ଏକ ଜାତୀୟ ସମସ୍ୟା ବୋଲି ବିଚାର କରି ସବୁ ରାଜନୈତିକ ଦଳ ସଂକୀର୍ଣ୍ଣ ସ୍ବାର୍ଥର ଉପରକୁ ଉଠି ଏଥିରେ ଯୋଗ ଦେବା ଉଚିତ।

LEAVE A REPLY

Please enter your comment!
Please enter your name here