ଜେଲ ସଂସ୍କାରର ଆବଶ୍ୟକତା

0
184

ଆଚିଭର୍ସ ନ୍ୟୁଜ୍‌, ୧୩/୦୭ (ବ୍ୟୁରୋ)- ଜେଲ୍ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ବିଭିନ୍ନ ଆପରାଧିକ ମାମଲାରେ ସଦ୍ୟ ଗିରଫ ହୋଇ ଜେଲ୍ ଯାଉଥିବା ବିଚାରାଧିନ କଏଦୀମାନଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିଛି । ଏହା ବିଶ୍ୱାସଯୋଗ୍ୟ, କିନ୍ତୁ ଏହାପରେ ଜେଲ୍ ଭିତ୍ତିଭୂମି ଓ ରୋଗାକ୍ରାନ୍ତ କଏଦୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ମଡେଲ୍ ପ୍ରିଜିନ୍ ରୁଲ୍‌-୨୦୧୬ ଓ ମଡେଲ୍ ପ୍ରିଜିନ୍ ମାନୁଆଲ୍ ୨୦୧୬ର ମାର୍ଗଦର୍ଶିକ/ନିର୍ଦେଶାବଳୀର ଅନୁପାଳନକୁ ନେଇ ପ୍ରଶ୍ନ ଉଠୁଛି । ୨୦୧୮ରେ ପ୍ରକାଶିତ ଭାରତୀୟ ଜେଲ୍ ପରିସଂଖ୍ୟାନ ଅନୁଯାୟୀ ଭାରତରେ ଥିବା ଜେଲଗୁଡ଼ିକରେ ଯେତିକି ସଂଖ୍ୟକ ଅନ୍ତେବାସୀ ରହିବା ପାଇଁ ସ୍ଥାନ ବା କ୍ଷମତା ରହିଛି ତା’ଠାରୁ ପାଖାପାଖି ୧୭% ଅଧିକ ଅନ୍ତେବାସୀ ରହିଛନ୍ତି । ଜେଲ୍ ଭିତର ଶୌଚାଳୟ ଓ ପରିମଳ ବ୍ୟବସ୍ଥା ମଧ୍ୟ ଚିନ୍ତାଜନକ । ତେଣୁ ଯଦି ଜେଲ୍ ଭିତରେ ସଂକ୍ରମଣ ଆରମ୍ଭ ହୁଏ ତେବେ ସ୍ଥିତି ନିୟନ୍ତ୍ରଣହୀନ ହୋଇଯିବ ବୋଲି ନ୍ୟାୟିକ ବିଶେଷଜ୍ଞମାନେ ବହୁ ପୂର୍ବରୁ ଚେତାବନୀ ଦେଇସାରିଥିଲେ । ଜେଲ୍ ଭିତରେ କରୋନା ସଂକ୍ରମଣ ବଢ଼ିବା ପରେ ବିଭିନ୍ନ ରାଜ୍ୟର ନିଜସ୍ୱ ପାରୋଲ୍ ନୀତି ଅନୁଯାୟୀ କଏଦୀମାନଙ୍କୁ ଛାଡ଼ିଦିଆଯାଉଛି, କିନ୍ତୁ ସେମାନେ ଘରକୁ ଯିବା ପରେ ପରିବାର ଓ ଜନବସତିରେ ଅନ୍ୟମାନଙ୍କୁ ସଂକ୍ରମିତ ଯେ ନ କରିବେ ସେହି ଆଶଙ୍କା ଏଡ଼ାଇ ଦେଇ ହେଉନାହିଁ । ଏହି ଆଶଙ୍କା ଦୂର କରିବା ପାଇଁ ରାଜ୍ୟ ସରକାରମାନେ ସେହି କଏଦୀମାନଙ୍କୁ ସ୍ୱତନ୍ତ୍ର ଭାବେ ରଖିବା ବ୍ୟବସ୍ଥା କରିବା ସକାଶେ ମତ ପ୍ରକାଶ ପାଉଛି । ଏପରିକି ଜେଲ୍‌ରେ ଅନ୍ତେବାସୀଙ୍କ ଭିଡ଼ ଅନ୍ତତଃ କରୋନା ସଂକ୍ରମଣ ସମୟରେ ହ୍ରାସ କରିବା ପାଇଁ ବହୁପୂର୍ବରୁ ଅସ୍ଥାୟୀ ଭାବେ ସ୍ୱତନ୍ତ୍ର ଗୃହ(କାରାବାସ) ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା । ଯଦି ବେଳହୁଁ ରାଜ୍ୟ ସରକାରମାନେ ପରାମର୍ଶକୁ ଆନ୍ତରିକତାର ସହ ବିଚାର କରିଥାନ୍ତେ ତେବେ ଆଜି ଏହି ପରିସ୍ଥିତି ଉପୁଜି ନଥାନ୍ତା ।
କେଉଁ ବର୍ଗର କଏଦୀଙ୍କୁ ଅସ୍ଥାୟୀ ଜାମିନ୍ କିମ୍ବା ପାରୋଲରେ ଛାଡ଼ିବା ଉଚିତ ସେଥିପାଇଁ ଦେଶର ଉଚ୍ଚକ୍ଷମତାସମ୍ପନ୍ନ କମିଟି ନୀତି ନିର୍ଦ୍ଧାରଣ କରିଛନ୍ତି, କିନ୍ତୁ ଏହି ପ୍ରକ୍ରିୟା ଏତେ ସହଜ ନୁହେଁ । ନ୍ୟାୟାଳୟ ଏବେ ଅବସରକାଳୀନ ଖଣ୍ଡପୀଠଙ୍କୁ ନେଇ ଚାଲଥିବା ବେଳେ ଏତେ ଶ୍ରୀଘ୍ର ଏତେ ସଂଖ୍ୟକ ଜାମିନ୍ ଆବେଦନ ବିଚାର କରିବା ସମ୍ଭ ନୁହେଁ ।
ଆମ ମାନସିକତା ଅନୁଯାୟୀ, କ’ଣ କରାଯାଇନାହିଁ ଓ କ’ଣ କରାଯାଇ ପାରିଥାନ୍ତା ସେ ସମ୍ପର୍କିତ ମାନସମନ୍ଥନ କେବଳ ସଙ୍କଟ ବେଳେ ହିଁ ଆରମ୍ଭ ହୁଏ । ସଙ୍କଟ ଅପସରି ଯିବା ପରେ ସମସ୍ୟାରୁ ଦୃଷ୍ଟି ଫେରି ଆସେ । ଅନ୍ୟାନ୍ୟ ଆର୍ଥିକ ଓ ସାମଜିକ କ୍ଷେତ୍ର ଭଳି ଜେଲ୍ ଓ ନ୍ୟାୟିକ ବିଭାଗରେ ମଧ୍ୟ ଯେ ସଂସ୍କାର ଅପରିହାର୍ଯ୍ୟ ତାହା ଏବେ କରୋନା ମହାମାରୀ ଆମକୁ ସଙ୍କେତ ଦେଇଛି ଓ ଆମ ପାଇଁ ସୁଯୋଗ ଆଣିଛି ।

LEAVE A REPLY

Please enter your comment!
Please enter your name here