ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୯/୦୮ (ବ୍ୟୁରୋ)- ଋଣ ଜରିଆରେ ଜିଏସ୍ଟି କ୍ଷତିପୂରଣ ରାଶି ଦେବା ଲାଗି କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟଗୁଡ଼ିକୁ ଦୁଇ ପ୍ରକାର ବିକଳ୍ପ ପ୍ରଦାନ କରାଯାଇଛି। ସାତ ଦିନ ଭିତରେ ନିଜର ମତ ରଖିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି। ତେବେ ଏନେଇ ରାଜ୍ୟଗୁଡ଼ିକ ମଧ୍ୟରେ ଯେଉଁ ଦ୍ବନ୍ଦ୍ବ ରହିଛି ତାହାକୁ ଦୂର କରିବା ଲାଗି ଆସନ୍ତା ସେପ୍ଟେମ୍ବର ୧ରେ ରାଜ୍ୟ ଅର୍ଥ ସଚିବମାନଙ୍କ ସହ କେନ୍ଦ୍ର ଅର୍ଥ ସଚିବ ଓ ବ୍ୟୟ ସଚିବ ଆଲୋଚନା କରିବେ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ଲାଇନ୍ରେ ହେବାକୁ ଥିବା ଏହି ଆଲୋଚନାରେ ରାଜ୍ୟଗୁଡ଼ିକ ନିଜର ସମସ୍ତ ପ୍ରକାର ଦ୍ବନ୍ଦ୍ବ ଦୂର କରିପାରିବେ ବୋଲି ସେ କହିଛନ୍ତି।
କରୋନା ମହାମାରୀ ପ୍ରଭାବରେ ଜିଏସ୍ଟି ଓ ସେସ୍ ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେବା ନେଇ କେନ୍ଦ୍ର ସରକାର ଅକ୍ଷମତା ପ୍ରକାଶ କରିଛନ୍ତି। ଋଣ ଜରିଆରେ କ୍ଷତିପୂରଣ ରାଶିର ବ୍ୟବସ୍ଥା କରାଇବାକୁ କେନ୍ଦ୍ର ପ୍ରସ୍ତାବ ଦେଇଛି। କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ଜିଏସ୍ଟି ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ରାଜ୍ୟଗୁଡ଼ିକୁ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ ବିକଳ୍ପଟି ହେଉଛି ରାଜ୍ୟଗୁଡ଼ିକ ଯଦି ୯୭ ହଜାର କୋଟି ଟଙ୍କାର ଋଣ ନେବେ ତେବେ ତାହା ସେମାନଙ୍କ ପାଇଁ ଋଣ ବୋଲି ବିଚାର କରାଯିବ ନାହିଁ। ରାଜ୍ୟଗୁଡ଼ିକୁ ସମସ୍ତ କ୍ଷତିପୂରଣ ରାଶି ନଦେବା ପର୍ଯ୍ୟନ୍ତ କ୍ଷତିପୂରଣ ସେସ୍ ଜାରି ରହିବ। ଦ୍ବିତୀୟ ବିକଳ୍ପଟି ହେଉଛି ରାଜ୍ୟଗୁଡ଼ିକ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ନେଇପାରିବେ। ସେଥି ମଧ୍ୟରୁ ୯୭ ହଜାର କୋଟି ଟଙ୍କାକୁ ସେମାନଙ୍କ ଋଣ ଭାବେ ବିଚାର କରାଯିବ ନାହିଁ। ବଳକା ରାଶି ଉପରେ ରାଜ୍ୟଗୁଡ଼ିକୁ ମୂଳଧନ ଓ ସୁଧ ଦେବାକୁ ପଡ଼ିବ। ଏଫ୍ଆର୍ବିଏମ୍ ନିୟମକୁ କୋହଳ କରି ରାଜ୍ୟଗୁଡ଼ିକର ଋଣକୁ ନେଇ ଯେଉଁ ସୀମା ଧାର୍ଯ୍ୟ କରାଯାଇଛି ତାହାକୁ ଆଉ ୦.୫% କୋହଳ କରାଯିବ ବୋଲି ସରକାର କହିଥିଲେ।