ନୂଆଦିଲ୍ଲୀ: ଜଳବାୟୁ ସଂକ୍ରାନ୍ତ ଏକ ଭର୍ଚ୍ୟୁଆଲ୍ ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ୪୦ଜଣ ନେତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆମନ୍ତ୍ରଣ କରିଛନ୍ତି ବୋଲି ଶୁକ୍ରବାର ଦିନ ହ୍ଵାଇଟ୍ ହାଉସ୍ ସୂଚନା ଦେଇଛି।ଏପ୍ରିଲ୍ ୨୨ ଓ ୨୩ରେ ହେବାକୁ ଥିବା ଜଳବାୟୁ ସଂକ୍ରାନ୍ତ ନେତାମାନଙ୍କର ଏହି ଶିଖର ସମ୍ମିଳନୀର ପ୍ରାୟୋଜକ ହେଉଛନ୍ତି ଜୋ ବାଇଡେନ୍।ଏକ ବିଜ୍ଞପ୍ତିରେ ହ୍ଵାଇଟ୍ ହାଉସ୍ କହିଛି, ଏପ୍ରିଲ୍ ୨୨ ଓ ୨୩ରେ ହେବାକୁ ଥିବା ‘ଜଳବାୟୁ ସଂକ୍ରାନ୍ତ ନେତାଙ୍କ ଶିଖର ସମ୍ମିଳନୀ’କୁ ଆଜି ରାଷ୍ଟ୍ରପତି ବାଇଡେନ୍ ବିଶ୍ୱର ୪୦ଜଣ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି। ସର୍ବସାଧାରଣଙ୍କ ଦର୍ଶନାର୍ଥେ ଏହି ‘ଭର୍ଚ୍ୟୁଆଲ୍ ନେତାଙ୍କ ଶିଖର ସମ୍ମିଳନୀ’ର ‘ଲାଇଭ୍-ଷ୍ଟ୍ରିମ୍’ କରାଯିବ।ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ୟାରିସ୍ ରାଜିନାମାକୁ ଫେରାଇ ନେବା ନିମନ୍ତେ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନ ହିଁ ରାଷ୍ଟ୍ରପତି ବାଇଡେନ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହା ପରେ ଜାନୁଆରି ୨୭ ତାରିଖ ଦିନ ସେ ଘୋଷଣା କରିଥିଲେ ଯେ, ଜଳବାୟୁ ସଙ୍କଟ ମୁକାବିଲା ନିମନ୍ତେ ପ୍ରମୁଖ ଅର୍ଥନୀତିମାନେ ଚଳାଇଥିବା ଉଦ୍ୟମକୁ ଏକତ୍ର କରିବା ନିମନ୍ତେ ସେ ଖୁବ୍ ଶୀଘ୍ର ଏକ ସମ୍ମିଳନୀ ଆୟୋଜନ କରିବେ।