ଚାନ୍ଦିପୁରରେ ମାଡ ହେବ ବାତ୍ୟା ‘ୟସ୍’ ! ୫ ଜିଲ୍ଲାରେ ରଚିବ ତାଣ୍ଡବ

0
12

ବଙ୍ଗୋପସାଗରରୁ ମାଡ଼ି ଆସୁଛି ‘ୟସ୍’ । ୨୬ରେ ମାଡ଼ ହେବ ଉତ୍ତର ଓଡ଼ିଶା ଉପକୂଳରେ । ବୁଧବାର ପ୍ରାୟ ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ । ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ । ପବନ ଝଟ୍‌କା ୧୮୫ କିମି ହୋଇପାରେ ।

 

ୟସ୍‌ ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଏଭଳି ଆଶଙ୍କା କରାଯାଉଛି ।

 

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ରାତି ଦିନ ଏକ୍‌ କରି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଜଳ ସମ୍ପଦ, ପୂର୍ତ୍ତ, ପଞ୍ଚାୟତିରାଜ, ଶକ୍ତି, ନଗର ଉନ୍ନୟନ, ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ବିଭାଗ ପ୍ରସ୍ତୁତିରେ ଲାଗିଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଆଜି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଗସ୍ତ କରି ସ୍ଥାନୀୟ ପ୍ରଶାସନ ସହ ସେଠାକାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

 

ଆଇଏମ୍‌ଡି ଜାରି କରିଥିବା ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ଆକଳନରୁ ଅନୁମାନ କରାଯାଉଛି, ବୁଧବାର (୨୬ ତାରିଖ) ସକାଳ ପ୍ରାୟ ସାଢ଼େ ୫ଟାବେଳେ ୟାସ୍‌ ସମୁଦ୍ର ଭିତରେ ଭିତରକନିକାର ଉତ୍ତରରେ ପାଖାପାଖି ୭୦ କିମି ଦୂରରେ ଥିବ । ଅପରାହ୍ନ ସାଢ଼େ ୫ଟାବେଳେ ୟାସ୍‌ ଅତି ଭୀଷଣ ବାତ୍ୟା ଅବସ୍ଥାରେ ମୟୂରଭଞ୍ଜା ରାସଗୋବିନ୍ଦପୁର ପାଖାପାଖି ରହିବା ଅନୁମାନ କରାଯାଉଛି । ସେତେବେଳକୁ ବି ଏହା ଅତି ଭୀଷଣ ବାତ୍ୟା ଅବସ୍ଥାରେ ଥିବ । ଯଦିଓ ପବନ ବେଗ ସାମାନ୍ୟ କମି ଘଣ୍ଟା ପ୍ରତି ୧୨୦ରୁ ୧୩୦ କିମି ବହୁଥିବ । ପବନ ଧକ୍କା ଘଣ୍ଟା ପ୍ରତି ୧୪୫ କିମି ହୋଇପାରେ । ଅନୁମାନ କରାଯାଉଛି, ବୁଧବାର ମଧ୍ୟାହ୍ନ କିମ୍ବା ଅପରାହ୍ନରେ ହିଁ ୟାସ୍‌ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବାଲେଶ୍ୱରର ଚାନ୍ଦିପୁର ପାଖାପାଖି ସ୍ଥଳଭାଗରେ ମାଡ଼ ହୋଇପାରେ ।ବାତ୍ୟା ବାଲେଶ୍ୱରରେ ମାଡ଼ ହେବା ପରେ ମୟୂରଭଞ୍ଜରେ ପଶିବ । ମୟୂରଭଞ୍ଜ ଦେଇ ଏହା ଝାଡ଼ଖଣ୍ଡର ଜାସସେଦପୁର ଏବଂ ରାଞ୍ଚି ଆଡ଼କୁ ଗତି କରିବା ସମ୍ଭାବନା ଅଛି ।

 

ସୋଆ ସିଇସି ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ୨୬ ତାରିଖ (ବୁଧବାର) ମଧ୍ୟାହ୍ନ ଭିତରେ ୟାସ୍‌ ସ୍ଥଳଭାଗ ଛୁଇଁପାରେ । ବାଲେଶ୍ୱରରୁ ଦୀଘା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଛି । ଭୋଗରାଇ, ବାଲିଆପାଳ, ଦୀଘା ମଧ୍ୟରେ ଏହା ଉପକୂଳକୁ ପଶିପାରେ । ସର୍ବାଧିକ ପ୍ରଭାବ (ବର୍ଷା, ପବନ) ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁରରେ ରହିପାରେ । ୨୪ ତାରିଖ ଅପରାହ୍ନରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ । ଆଇଏମ୍‌ଡି ଜାରି କରିଥିବା ସତର୍କ ସୂଚନାରେ କୁହାଯାଇଛି, ୨୬ ତାରିଖ (ବୁଧବାର) ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଘଣ୍ଟା ପ୍ରତି ୧୩୦ କିମିରୁ ୧୪୦ କିମି ପବନ ହେବ । ମଝିରେ ମଝିରେ ୧୫୦ କିମି ବେଗରେ ଧକ୍କା ଦେଇପାରେ ପବନ । ଏଇ ୫ ଜିଲ୍ଲାକୁ ରେଡ୍‌ ଜୋନରେ ରଖାଯାଇଛି । ଅରେଞ୍ଜ ଜୋନ୍‌ରେ ଥିବା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝରରେ ୬୦ରୁ ୭୦ କିମି ପବନ ହେବ । ଏଠାରେ ପବନ ଧକ୍କା ୮୦ କିମି ପର୍ଯ୍ୟନ୍ତ ଯାଇପାରେ ।

 

ବାତ୍ୟାର ସମ୍ଭାବ୍ୟ ଗତିପଥ ନେଇ ଆଇଏମ୍‌ଡି ଜାରି କରିଥିବା ଚିତ୍ରରେ ଦର୍ଶାଯାଇଛି, ବାତ୍ୟାର କେନ୍ଦ୍ର ବଳୟ ଭିତରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ରହୁଥିବାରୁ ସେଠାରେ ସବୁଠୁ ଅଧିକ ପ୍ରଭାବ ପଡ଼ିବ । ପବନ ବେଗ ୧୨୦ କିମିରୁ ଅଧିକ ରହିବ । ବାତ୍ୟାର ଦ୍ୱିତୀୟ ବଳୟରେ ଭୁବନେଶ୍ୱର ରହୁଛି । ତେଣୁ ଭୁବନେଶ୍ୱରରୁ ୯୨ରୁ ୧୧୭ କିମି ଅଧିକ ପବନ ବହିପାରେ ।

 

୨୪ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ପାଗ ବଦଳିବ । ୪୦-୫୦ କିମି ପବନ ହେବ । ବେଳେବେଳେ ପବନ ୬୦ କିମି ଛୁଇଁପାରେ । ୨୫ ତାରିଖ ସନ୍ଧ୍ୟାରୁ ୫୦-୬୦ କିମି ପବନ ଓ ମଝିରେ ମଝିରେ ୭୦ କିମି ବେଗରେ ପବନ ଝଟକା ଲାଗିପାରେ । ୨୬ ତାରିଖ ସକାଳୁ ୬୦-୭୦ କିମି ବେଗରେ ପବନ ହେବ । ଝଟକା ୮୦ କିମି ରହିପାରେ । ସକାଳୁ ଦିନ ୧୨ଟା ଭିତରେ ପବନ ବେଗ ବଢ଼ି ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ହେବ । ମଝିରେ ମଝିରେ ଧକ୍କା ମାରିପାରେ ୧୧୦ କିମି ବେଗରେ ।ବର୍ଷା ନେଇ ଆଇଏମଡି ଜାରି କରିଥିବା ପୂର୍ବାନୁମାନ ଅନୁଯାୟୀ ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗଞ୍ଜାମ ଓ ଢେଙ୍କାନାଳରେ ବି ବର୍ଷା ସମ୍ଭାବବନା ଅଛି ।

 

୨୬ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ାର ଗୋଟିଏ ଦୁଇଟି ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୭ରେ ଉତ୍ତର ଓଡ଼ିଶାରେ କିଛି କିଛି ବର୍ଷା ହେବ। ୨୪ରୁ ୨୭ ଯାଏଁ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ।

ସନ୍ଧ୍ୟା ବୁଲେଟିନରେ ଆଇଏମଡି କହିଛି, ଲଘୁଚାପ ଘନୀଭୂତ ହୋଇ ଶନିବାର ଅବପାତ ରୂପ ନେଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ କେନ୍ଦ୍ରୀଭୂତ ଅଛି । ସନ୍ଧ୍ୟା ସାଢ଼େ ୫ଟାବେଳେ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୫୭୦ କିଲୋମିଟର ଓ ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୭୦ କିମି ଏବହ ଦୀଘାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୫୦ କିମି ଦୂରରେ ଥିଲା । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଥିଲା ।

 

ସୋମବାର (୨୪ ତାରିଖ) ସକାଳ ସୁଦ୍ଧା ଏହା ବାତ୍ୟା (ୟସ୍‌) ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଆହୁରି ବଳ ଜୁଟାଇ ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ପାଲଟିଯିବ । ସେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ୨୬ ତାରିଖ (ବୁଧବାର) ସକାଳେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ପାଖାପାଖି ପହଞ୍ଚିବା ସମ୍ଭାବନା ଅଛି । ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପରୁ ସାଗର ଦ୍ୱୀପପୁଞ୍ଜ ଭିତରେ ସ୍ଥଳଭାଗ ଅତିକ୍ରମ କରିପାରେ ।

 

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ୧୦ଟି ଏନଡିଆରଏଫ ଟିମ୍‌ ମାଗିଛନ୍ତି । ଆସନ୍ତାକାଲି ସକାଳ ସୁଦ୍ଧା ଏହି ୧୦ଟି ଟିମ୍‌ ଆସି ପହଞ୍ଚିଯିବେ । ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଏନଡିଆରଏଫ୍‌ ଟିମ ସଂଖ୍ୟା ୩୨କୁ ବୃଦ୍ଧି ପାଇବ । ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ବନ ବିଭାଗ ଟିମ୍‌ ଆଜିଠାରୁ ବିଭିନ୍ନ ଜିଲ୍ଲାରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଏସଆରସି ଶ୍ରୀ ଜେନା କହିଛନ୍ତି, ଏଯାବତ୍‌ ବାତ୍ୟା ପ୍ରଭାବର ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ୧୨୦ କିମିରୁ ୧୬୫ କିମି ପବନ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୩ରୁ ୪ ଫୁଟ ସମୁଦ୍ର ଜୁଆର ଆଶଙ୍କାକୁ ଆଖି ଆଗରେ ରଖି ପ୍ରସ୍ତୁତି କରାଯାଇଛି । ଜିଲ୍ଲା ପ୍ରଶାସନ ଓ ସବୁ ବିଭାଗ ସଜାଗ ଅଛନ୍ତି ।

LEAVE A REPLY

Please enter your comment!
Please enter your name here