ଚଳଚ୍ଚିତ୍ର ଶିଳ୍ପରେ କରୋନା ମାଡ଼

0
236

ରଜରେ ରିଲିଜ୍ ହେବନି ଚଳଚ୍ଚିତ୍ର
କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ବା କଳା ଜଗତ ଉପରେ ଅଙ୍କୁଶ ବଳବତ୍ତର ରହିଛି । ଯାହାକୁ ନେଇ କଳାକାରଙ୍କ ଭାଗ୍ୟ ଅନ୍ଧକାର ଭିତରକୁ ଠେଲି ହୋଇଯିବା ସହ ଲକ୍ଷାଧିକ ଟଙ୍କାର କାରବାର ଠପ୍ ହୋଇଯାଇଛି । ଚଳଚ୍ଚିତ୍ର ପ୍ରେକ୍ଷାଳୟ ବନ୍ଦ ରହିଥିବାବେଳେ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଘର୍ଷ କରୁଛନ୍ତି । ଏମିତିରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପୂର୍ବରୁ ସଂଘର୍ଷ କରୁଥିବାବେଳେ କରୋନା ସମୟରେ ସୁଟିଂ ପାଇଁ ଅନୁମତି ନମିଳିବା, ପ୍ରେକ୍ଷାଳୟ ବନ୍ଦ ରହିବା ଏବଂ କଳାକାରଙ୍କୁ ସହାୟତା ନମିଳିବା ଏହାର ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନବାଚୀ ଉଠାଇଛି । ସେପଟେ ଏଥର ରଜରେ ପ୍ରେକ୍ଷାଳୟକୁ କୌଣସି ଚଳଚ୍ଚିତ୍ର ଆସୁନଥିବାରୁ ପ୍ରଯୋଜକ, କଳାକାର ଓ ଚିତ୍ରପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟଭାବ ସୃଷ୍ଟି କରିଛି । ଆଗକୁ ରଜ ଥିବାରୁ ପାଇପ୍ ଲାଇନ୍‌ରେ ଥିବା ଚଳଚ୍ଚିତ୍ର ତଥା ଶେଷ ପର୍ଯ୍ୟାୟ ସୁଟିଂରେ ଅଟକି ରହିଥିବା ଚଳଚ୍ଚିତ୍ର ମଧ୍ୟ ଫ୍ଲୋରକୁ ଆସିବା ନେଇ ଉଭୟ ପ୍ରଯୋଜକ ଓ ନିର୍ଦେଶକଙ୍କ ସହିତ କଳାକାର ଆଶା ରଖିଥିଲେ, ହେଲେ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂଆ ନିର୍ଦେଶନାମାକୁ ନେଇ କଳା ଜଗତ ସ୍ତବ୍ଧ ହୋଇଛି । ଅନ୍ୟକ୍ଷେତ୍ର ଭଳି ଚଳଚ୍ଚିତ୍ର ସୁଟିଂକୁ ସରକାର ବିଧିବଦ୍ଧ ଅନୁମତି ଦେବାକୁ ଦାବି ହୋଇଛି । ଅନ୍ୟକ୍ଷେତ୍ର ନିମନ୍ତେ ରାଜ୍ୟ ସରକାର ଯେଭଳି ଏସ୍‌ଓପି ଜାରି କରିଛନ୍ତି ସେହିପରି ଚଳଚ୍ଚିତ୍ର ପାଇଁ ମଧ୍ୟ ଏସ୍‌ଓପି ଜାରି କରିବାକୁ କଳାକାର ସଂଘ ଦାବି କରିଛି । ହୋଟେଲକୁ ଯେଭଳି ଭାବେ ସର୍ତ୍ତ ରଖାଯାଇ ଅନୁମତି ଦିଆଯାଇଛି ସେହିଭଳିଭାବେ ସୁଟିଂକୁ ଅନୁମତି ଦିଆଯିବାକୁ ଅଧିକାଂଶ ମତ ଦେଇଛନ୍ତି । କରୋନା ପାଇଁ ଏଥର ରଜରେ ଚଳଚ୍ଚିତ୍ର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ରହିବ । ଚଳଚ୍ଚିତ୍ର ମୁକ୍ତିଲାଭ ପାଇଁ ଅନେକ ନିର୍ମାତା ରଜକୁ ହିଁ ବାଛିଥାନ୍ତି ଏବଂ ଗାଁରୁ ସହର ପର୍ଯ୍ୟନ୍ତ ଦର୍ଶକ ବି ରଜରେ ହଲ୍ ମୁହାଁ ହୋଇଥାନ୍ତି । ଓଡ଼ିଶା ସିନେ ଆଟିଷ୍ଟ ଆସୋସିଏସନ୍ ସାଧାରଣ ସମ୍ପାଦକ ତଥା ଅଭିନେତା ଶ୍ରୀତମ ଦାସ କହିଛନ୍ତି ରାଜ୍ୟ ସରକାର ନୂଆ ଚଳଚ୍ଚିତ୍ର ସୁଟିଂ ପାଇଁ ଅନୁମତି ଦିଅନ୍ତୁ । କଳାକାରଙ୍କ ସହାୟତା ବ୍ୟବସ୍ଥା ବି କରନ୍ତୁ । ଅଭିନେତା ତଥା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରୀପାଠୀ ମଧ୍ୟ ଅନୁରୂପ ମତ ଦେଇଛନ୍ତି । ସୂଚନା ଅନୁସାରେ ଏଯାବତ୍ ୬ଟି ଚଳଚ୍ଚିତ୍ରର ସୁଟିଂ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବାବେଳେ ୪ଟି ମୁକ୍ତିଲାଭ ଅପେକ୍ଷାରେ ରହିଛି ।

LEAVE A REPLY

Please enter your comment!
Please enter your name here