ଖାଉଟିଙ୍କ ପାଇଁ ଖାଦ୍ୟସୁରକ୍ଷା

0
444

ଆଚିଭର୍ସ ନ୍ୟୁଜ୍‌, ୧୦/୦୭ (ବ୍ୟୁରୋ)- କୃଷି ସଂସ୍କାର ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଉଲେକଲଖନୀୟ ହେଲା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‌-୧୯୫୫ର ସଂଶୋଧନ । ଧାନ, ଚାଉଳ, ଆଳୁ, ପିଆଜ, ଖାଇବା ତେଲ, ଝୋଟ, ଚିନି ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଯୋଗାଣ, ମହଜୁଦ ଓ ବିକ୍ରିବଟା ଆଦିକୁ ସରକାରୀ ନିୟନ୍ତ୍ରଣାଧୀନ କରିବା ପାଇଁ ୧୯୫୫ ମସିହାରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ ପ୍ରଣୀତ ହୋଇଥିଲା । ସେହିସବୁ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ବା କୃତ୍ରିମ ମୂଲ୍ୟ ବୃଦ୍ଧିରୁ ଖାଉଟିଙ୍କୁ ସୁକ୍ଷା ଦେବା ଆଇନ୍‌ର ଉଦ୍ଦେଶ୍ୟ ଥିଲା । କୃଷିଜାତ ସାମଗ୍ରୀର ଦର ଓ ମହଜୁଦ ପରିମାଣର ସୀମା ନିର୍ଦ୍ଧାରଣ, କଳବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଚଢ଼ଉ, ଜୋରିମାନା ଧାର୍ଯ୍ୟ, ଡିଲରମାନଙ୍କୁ ଲାଇସେନ୍ସ ପ୍ରଦାନ, ବାଧ୍ୟତାମୂଳକ କ୍ରୟ, ପରିବହନରେ କଟକଣା ଆଦି ପାଇଁ ରାଜ୍ୟମାନଙ୍କୁ ଉପରୋକ୍ତ ଆଇନ୍ କ୍ଷମତାପନ୍ନ କରିଥିଲା ।
ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‌-୧୯୫୫ର ସଂଶୋଧନ ପରେ ଖାଦ୍ୟଶସ୍ୟର ସଂରକ୍ଷଣ ସୀମା ହଟିଯିବ ଏବଂ ମହଜୁଦକାରୀମାନେ ଯେତେ ଚାହିଁଲେ ସେତେ ଖାଦ୍ୟ ସାମଗ୍ରୀ ମହଜୁଦ କରି ରଖିପାରିବେ ।
କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ ବଳରେ ସୃଷ୍ଟ ‘ଇନ୍‌ସ୍ପେକ୍ଟର ରାଜ୍‌’ ଓ ‘ଲାଇସେନ୍ସ ରାଜ’ ଯୋଗୁଁ ଚଢ଼ଉ ଆଶଙ୍କା ଥିବାରୁ କୌଣସି ସଂସ୍ଥା/ବ୍ୟକ୍ତି ଅଧିକ ପରିମାଣରେ କୃଷିଜାତ ସାମଗ୍ରୀ ମହଜୁଦ କରୁନାହାନ୍ତି ଏବଂ ପର୍ଯ୍ୟାପ୍ତ ଶୀତଳଭଣ୍ଡାର ଓ ଗୋଦାମ ଘର ନିର୍ମାଣ ହୋଇପାରୁନାହିଁ । ଫଳରେ ଖାଦ୍ୟ ସାମଗ୍ରୀ ନଷ୍ଟ ହେଉଛି କିମ୍ବା ଚାଷୀ କମ୍ ଦରରେ ଉତ୍ପାଦ ବିକ୍ରି କରୁଛି । ଏହି କାରଣରୁ ପିଆଜର ମୂଲ୍ୟ କେତେବେଳେ ଆକାଶଛୁଆଁ ତ କେତେବେଳେ ଆଶାତୀତ ଭାବେ କମ୍ ରହୁଛି । ୨୦୧୯ ରେ ପିଆଜ, ଡାଲି ଓ ଚିନିର ଦର ବୃଦ୍ଧି ପଛରେ ଅତ୍ୟାବଶ୍ୟକ ସାମଗ୍ର ଆଇନ୍ ହିଁ ମୂଳ କାରଣ ବୋଲି ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦ରେ ଉଲ୍ଲେଖ ଅଛି । ସେହିପରି ୨୦୧୯ରେ ଦେଶରେ ଏହି ଆଇନ୍ ବଳରେ ୭୬,୦୦୦ଟି ସ୍ଥାନରେ ଚଢ଼ଉ ହୋଇଥିଲା ହେଁ ଏଥିମଧ୍ୟରୁ କେବଳ ୨% ରୁ ୪% ମାମଲା କୋର୍ଟରେ ବୈଧ ବୋଲି ପ୍ରମାଣିତ ହୋଇପାରିଥିଲା । ତେଣୁ ଆଇନ୍ ଉଚ୍ଛେଦ ହେଲେ ଉଭୟ କୃଷକ ଓ ଖାଉଟି ଲାଭବାନ ହେବେ ବୋଲି ସରକାରଙ୍କ ମତ, କିନ୍ତୁ ଖାଉଟି ଅସାଧୁ ମହଜୁଦ୍‌କାରୀଙ୍କ କବଳରୁ କିଏ ରକ୍ଷା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ ।

LEAVE A REPLY

Please enter your comment!
Please enter your name here