କରୋନା ପାଇଁ ସତର୍କତା ଆବଶ୍ୟକତା

0
293

ବୈଶ୍ୱିକ ମହାମାରୀ କରୋନା ଏବେ ଭାରତରେ ତାହାର ସଂକ୍ରମଣର ଭୟଙ୍କର ରୂପ ବଢୁଛି ଏବଂ ଆକ୍ରାନ୍ତ ମଧ୍ୟ ଆରୋଗ୍ୟ ଲାଭ କରୁଛନ୍ତି । ଜୁନ୍‌କୁ ସବୁଠୁ ଅଧିକ ସଂକ୍ରମଣର ମାସଭାବେ ବିଚାର କରାଯାଉଥିବାବେଳେ କରୋନା ଯୋଦ୍ଧା ଚିକିତ୍ସକ, ଚିକିତ୍ସାକର୍ମୀ ଓ ଅନ୍ୟମାନେ ଏବେ ଏହି ବ୍ୟାଧିରେ ଅଧିକରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହୋଇ ଏକ ନୂଆ ଅସୁବିଧା ଦେଖାଦେଇଛି । ଓଡ଼ିଶା ସମେତ ସମଗ୍ର ଦେଶରେ କ୍ରମାଗତ ଭାବେ ଅଷ୍ଟମ ଦିନ ପାଇଁ କରୋନା ସଂକ୍ରମଣ ହାର ବଢୁଛି । ସଂକ୍ରମିତଙ୍କ ସଂଖ୍ୟା ଗତ ବୁଧବାର ସୁଦ୍ଧା ଦେଶରେ ୨ଲକ୍ଷ ୬୦ହଜାର ଟପିଛି । ପ୍ରତିଦିନ ହାରାହାରି ୧୦ହଜାର ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଓଡ଼ିଶାରେ ସଂକ୍ରମଣ ବଢୁଛି ଏବଂ ବୁଧବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଥିବାବେଳେ ୨୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଇତିମଧ୍ୟରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୦ ଜିଲ୍ଲାରେ କରୋନା ସଂକ୍ରମଣ ହାର ଅଧିକ ଥିବାର ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ସେଥିରେ ମହାରାଷ୍ଟ୍ର ଓ ତାମିଲନାଡୁର ସାତଟି ଲେଖାଏଁ ଜିଲ୍ଲା ଥିବାବେଳେ ଆସାମର ଛ’ଟି ଏବଂ ଓଡ଼ିଶା, ମଧ୍ୟପ୍ରଦେଶ ଓ ରାଜସ୍ଥାନର ପାଞ୍ଚଟି ଲେଖାଏଁ ଜିଲ୍ଲା ରହିଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଯାଜପୁର, ଖୋରଧା, ବାଲେଶ୍ୱର ଓ ଭଦ୍ରକ । କେନ୍ଦ୍ରସରକାରଙ୍କ ନିର୍ଦେଶକ୍ରମେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଏସବୁ ଜିଲ୍ଲା ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବାସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବେ । ତେବେ ସଂକ୍ରମଣର ହ୍ରାସ ବୃଦ୍ଧି ସ୍ୱାବ୍ ପରୀକ୍ଷାର ସଂଖ୍ୟା ଉପରେ ନିର୍ଭର କରୁଛି ଏବଂ ଆଉ ୧୫ ଦିନପରେ ହୁଏତ ଅଧିକ ସଂକ୍ରମଣପ୍ରବଣ ଜିଲ୍ଲାର ତାଲିକା ବଦଳି ଯାଇପାରେ । ତେଣୁ ଏବେ ସବୁଠୁ ବଡ଼ କଥା ହେଉଛି ରାଜ୍ୟ ସରକାରମାନେ ସମ୍ମୁଖୀନ ହେଉଥିବା ବାସ୍ତବସ୍ଥିତି ଓ ଆହ୍ୱାନକୁ କେନ୍ଦ୍ରୀୟ ଟିମ୍ ଭଲଭାବେ ଅନୁଧ୍ୟାନ କରି ସମାଧାନର ବାଟ ବାହାର କରିବା । ଏବେ କୋଭିଡ୍ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ସମୂହ ଦକ୍ଷତା, ଭିତ୍ତିଭୂମି ଓ ସାମର୍ଥ୍ୟ ହାନିର ସମ୍ମୁଖୀନ । ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢୁଥିବାରୁ ଆଗାମୀ ମାସେ ଦୁଇମାସ କିପରି ଏହାର ସଫଳ ମୁକାବିଲା କରାଯାଇପାରିବ କେନ୍ଦ୍ରୀୟ ଟିମ୍ ସେଥିପାଇଁ ଯତ୍ନବାନ ହେବା ଜରୁରୀ ।

LEAVE A REPLY

Please enter your comment!
Please enter your name here