ଓଡ଼ିଶାରେ ମୋଟ୍‌ ଜନସଂଖ୍ୟାର ୩ ପ୍ରତିଶତ ହେଉଛନ୍ତି ଦିବ୍ୟାଙ୍ଗ l

0
118

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ (୧୫/୧୨):- ସ୍ବାସ୍ଥ୍ୟ ସେବାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତେବେ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ଶତ ପ୍ରତିଶତ ପହଞ୍ଚିପାରୁନି। ଗର୍ଭାବସ୍ଥାରେ ମହିଳାଙ୍କୁ ଆବଶ୍ୟକୀୟ ଭିଟାମିନ୍‌ର ଅଭାବ ହେଉ ଅବା ଅନ୍ୟାନ୍ୟ ଆନୁସଙ୍ଗିକ ସ୍ବାସ୍ଥ୍ୟସେବା ନ ମିଳିବା, ଦିବ୍ୟାଙ୍ଗ ସଂଖ୍ୟା ଏବେ ବି ଚିନ୍ତାଜନକ ରହିଛି। ରାଜ୍ୟର ଦିବ୍ୟାଙ୍ଗ ସଂଖ୍ୟାକୁ ଦେଖିଲେ, ସ୍ବାସ୍ଥ୍ୟସେବା ଯେ କେତେ ପଛରେ ତାହା ସ୍ପଷ୍ଟ ବାରି ହୋଇପଡ଼େ। ଏଥିରୁ ବାଦ୍‌ ପଡ଼ିନି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା। ଜିଲ୍ଲାରେ ୪୯ ହଜାର ୪୯୭ ଜଣ ଦିବ୍ୟାଙ୍ଗ ଅଛନ୍ତି। ରାଜ୍ୟର ସର୍ବାଧିକ ଦିବ୍ୟାଙ୍ଗ ଥିବା ଜିଲ୍ଲା ତାଲିକାରେ ସୁନ୍ଦରଗଡ଼ ନବମ ସ୍ଥାନରେ ରହିଛି। ସୁନ୍ଦରଗଡ଼ ଜିଲ୍ଲା ଉପରକୁ ଗଞ୍ଜାମ, କଟକ, ବଲାଙ୍ଗୀର, ବାଲେଶ୍ବର, ମୟୂରଭଞ୍ଜ, ଖୋର୍ଦ୍ଧା, ବଲାଙ୍ଗୀର, ଯାଜପୁର ଓ ପୁରୀ ଜିଲ୍ଲା ରହିଛି।

୨୦୧୧ ଜନସଂଖ୍ୟା ଅନୁସାରେ ରାଜ୍ୟର ମୋଟ୍‌ ଦିବ୍ୟାଙ୍ଗ ସଂଖ୍ୟା ହେଉଛି ୧୨ ଲକ୍ଷ ୪୪ ହଜାର ୪୦୨। ଏଥିମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ହେଉଛନ୍ତି ପଶ୍ଚିମ ଓଡ଼ିଶାର। ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲା, ଯଥା-ବଲାଙ୍ଗୀର, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର ଓ ସୋନପୁରର ମୋଟ୍‌ ଦିବ୍ୟାଙ୍ଗ ସଂଖ୍ୟା ହେଉଛି ୩ ଲକ୍ଷ ୯ ହଜାର ୬୦୧ ଜଣ। ଅର୍ଥାତ୍‌, ରାଜ୍ୟର ମୋଟ୍‌ ଦିବ୍ୟାଙ୍ଗ ସଂଖ୍ୟାର ୨୪.୮୭ ପ୍ରତିଶତ ହେଉଛନ୍ତି ଏହି ୧୦ ଟି ଜିଲ୍ଲାର। ସୁନ୍ଦରଗଡ଼ ଜିଲ୍ଲାରେ ୪୯,୪୯୭ ଜଣ ଦିବ୍ୟାଙ୍ଗ ଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ୫୭,୦୨୮ ଜଣ, ବରଗଡ଼ରେ ୪୨,୧୩୯, ବୌଦ୍ଧରେ ୧୨,୮୨୮, ଦେବଗଡ଼ରେ ୮,୬୬୨, ଝାରସୁଗୁଡ଼ାରେ ୨୧,୧୫୮ ଜଣ, କଳାହାଣ୍ଡିରେ ୪୪,୧୨୧ ଜଣ, ନୂଆପଡ଼ାରେ ୨୦,୫୯୬ ଜଣ, ସମ୍ବଲପୁରରେ ୩୫,୫୬୧ ଓ ସୋନପୁର ଜିଲ୍ଲାରେ ୧୮,୦୧୧ ଜଣ ଦିବ୍ୟାଙ୍ଗ ଅଛନ୍ତି। ଏସବୁ ଜିଲ୍ଲାର ମୋଟ୍‌ ଜନସଂଖ୍ୟା ତୁଳନାରେ ଦିବ୍ୟାଙ୍ଗ ସଂଖ୍ୟାକୁ ଦେଖିଲେ, ସ୍ଥିତି ନିଶ୍ଚିତଭାବେ ଉଦ୍‌ବେଗଜନକ। ୨୦୧୧ ଜନସଂଖ୍ୟା ଅନୁସାରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ମୋଟ୍‌ ଜନସଂଖ୍ୟା ହେଉଛି ୧ କୋଟି ୩ ଲକ୍ଷ ୯୫ ହଜାର ୪୦୯ ଜଣ। ଏଥିମଧ୍ୟରୁ ୩ ଲକ୍ଷ ୯ ହଜାର ୬୦୧ ଜଣ ଦିବ୍ୟାଙ୍ଗ୍। ଅର୍ଥାତ୍‌ ୨.୯୭ ପ୍ରତିଶତ ହେଉଛନ୍ତି ଦିବ୍ୟାଙ୍ଗ। ସୁନ୍ଦରଗଡ଼ ଜିଲ୍ଲାର ମୋଟ୍‌ ଜନସଂଖ୍ୟା ୨୦,୯୩,୪୩୭ରୁ ୪୯,୪୯୭ ଜଣ(୨.୩୬%) ଦିବ୍ୟାଙ୍ଗ ଥିବାବେଳେ ବଲାଙ୍ଗୀର ଜିଲ୍ଲାର ମୋଟ୍‌ ଜନସଂଖ୍ୟା (୧୬,୪୮,୯୯୭)ର ୩.୪୫ ପ୍ରତିଶତ, ବରଗଡ଼ ଜିଲ୍ଲା ଜନସଂଖ୍ୟା (୧୪,୮୧,୨୫୫)ର ୨.୮୪ ପ୍ରତିଶତ, ବୌଦ୍ଧ ଜିଲ୍ଲାର ମୋଟ୍‌ ଜନସଂଖ୍ୟା(୪,୪୧,୧୬୨)ର ୨.୯୦ ପ୍ରତିଶତ, ଦେବଗଡ଼ ଜିଲ୍ଲା ଜନସଂଖ୍ୟା(୩,୧୨,୫୨୦)ର ୨.୭୭ ପ୍ରତିଶତ, ଝାରସୁଗୁଡ଼ା ଜିଲ୍ଲାର ଜନସଂଖ୍ୟା(୫,୭୯,୫୦୫)ର ୩.୬୫ ପ୍ରତିଶତ, କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା(୧୫,୭୬,୮୬୯)ର ୨.୭୯ ପ୍ରତିଶତ, ନୂଆପଡ଼ା ଜିଲ୍ଲା ଜନସଂଖ୍ୟା(୬,୧୦,୩୮୨)ର ୩.୩୭ ପ୍ରତିଶତ, ସମ୍ବଲପୁର ଜିଲ୍ଲା ଜନସଂଖ୍ୟା(୧୦,୪୧,୦୯୯)ର ୩.୪୧ ପ୍ରତିଶତ ଓ ସୋନପୁର ଜିଲ୍ଲାର ମୋଟ୍‌ ଜନସଂଖ୍ୟା(୬,୧୦,୧୮୩)ର ୨.୯୫ ପ୍ରତିଶତ ଦିବ୍ୟାଙ୍ଗ ଅଛନ୍ତି।

LEAVE A REPLY

Please enter your comment!
Please enter your name here