ଋଥଯାତ୍ରା: ଭକ୍ତ ଭଗବାନର ମିଳନ

0
430

ଆଚିଭର୍ସ ନ୍ୟୁଜ୍‌, ୨୪/୦୬ (ବ୍ୟୁରୋ)- ପୁରାଣରେ ସ୍ୱୟଂ ମହାପ୍ରଭୁ ଜଗଦୀଶ୍ୱର, ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି- ହେ କ୍ଷୀତିଶ୍ୱର! ମୋର ଗୁଣ୍ଡିଚା ନାମକ ମହାନ ଯାତ୍ରାକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିବ । ଯେଉଁ ଯାତ୍ରାର ନାମୋଚ୍ଚାରଣ ହେତୁ ମାନବ ଅବଶ୍ୟ ପାପରୁ ମୁକ୍ତ ହୋଇଥାଏ (ସ୍କନ୍ଦ ୨୯/୩୦) । ସ୍କନ୍ଦପୁରାଣ ୨୯ ଅଧ୍ୟାୟର ୩୧ ଓ ୩୨ ଶ୍ଳୋକର ଭାବାର୍ଥକୁ ପୁଙ୍ଖାନୁପୁଙ୍ଖ ତର୍ଜମା କଲେ ଜଣାଯାଏ ଯେ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ‘ଶ୍ରୀଗୁଣ୍ଡିଚା ମହୋତ୍ସବ’ର ଅଂଶବିଶେଷ ଅଟେ । ସ୍କନ୍ଦପୁରାଣରେ ‘ଶ୍ରୀଗୁଣ୍ଡିଚା ଯାତ୍ରା’କୁ ‘ମହାବେଦି ମହୋତ୍ସବ’ ନାମରେ ଅଭିହିତ କରାଯାଇଛି । ମହାବେଦି ହେଉଛି ଆବିର୍ଭାବ ବେଦି । ଏହି ଯାତ୍ରା ସଂପର୍କରେ ସର୍ବପ୍ରାଚୀନ ବ୍ରହ୍ମପୁରାଣରେ ଯଥାର୍ଥରେ କୁହାଯାଇଛି ଯେ “ଗୁଣ୍ଡିଚା ମଣ୍ଡପ” ଯାନ୍ତଂ ଯେ ପଶ୍ୟନ୍ତି ରଥେ ସ୍ଥିତଂ, କୃଷ୍ଣଂ ବଳଂ ସୁଭଦ୍ରାଂ ଚ ତେ ଯାନ୍ତି ଭବନଂ ହରେଃ” । ମନିଷୀମାନେ କହିଛନ୍ତି, ଯେଉଁମାନେ ଦାରୁମୟ ସନାତନ ବ୍ରହ୍ମଙ୍କ ରଥଯାତ୍ରା ଦର୍ଶନ କରନ୍ତି, ସେମାନଙ୍କର ପଦେ ପଦେ ଅଶବମେଧ ଯଜ୍ଞର ଫଳଲାଭ ହୋଇଥାଏ । ଯାତ୍ରାକାଳରେ ଯେଉଁ ମୋକ୍ଷଦାତା ଭଗବାନଙ୍କ ସ୍ତୁତି କରିଥାନ୍ତି ଏବଂ ଯେଉଁ ବ୍ୟକ୍ତି ସ୍ୱରଚିତ ସ୍ତୋତ୍ରରେ ଭଗବାନ ପୁଣ୍ଡରୀକାକ୍ଷଙ୍କୁ ସ୍ତବ କରିଥାନ୍ତି, ସେମାନେ ନିଷ୍ପାପ ହୋଇ ବୈଷ୍ଣବ ଯୋଗଲାଭ କରି ନାରବାଦି ମହର୍ଷିମାନଙ୍କ ସହିତ ନିତ୍ୟାନନ୍ଦ ଉପଭୋଗ କରନ୍ତି । ଯେଉଁମାନେ ଯାତ୍ରାକାଳରେ ଜଗଦୀଶ୍ୱରଙ୍କ ସମ୍ମୁଖରେ କେବଳ ଜୟ ଜୟ ଶବ୍ଦ ଦ୍ୱାରା ସ୍ତତିବାଦ କରନ୍ତି, ସେମାନେ ନିଃସନ୍ଦେହରେ ତ୍ରିବିଧ ପାପକୁ ଜୟ କରନ୍ତି ।
ଶ୍ରୀଗୁଣ୍ଡିଚା ମହୋତ୍ସବଟଇ ମାଘ ଶୁକ୍ଳ ପଞ୍ଚମୀଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ନୀଳାଦ୍ରିବିଜେ ଦିନ ସମାପନ ଘଟିଥାଏ । ଅର୍ଥାତ୍ ଏହି ପ୍ରସିଦ୍ଧ ମହୋତ୍ସବ ବିଧିର ଧାରା ଦୀର୍ଘ ୬ମାସ ଧରି ଚାଲିଥାଏ । ସ୍କନ୍ଦପୁରାଣର ୨୯ ଅଧ୍ୟାୟ ସ୍ଥିତ ୩୩ ଶ୍ଳୋକରେ ବର୍ଣ୍ଣିତ ତଥ୍ୟ ପ୍ରକାରେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ଯଦି ପୁଷ୍ୟା ନକ୍ଷତ୍ରର ଯୋଗ ହେବ, ତେବେ ଉକ୍ତ ତିଥିରେ ଦେବୀ ସୁଭଦ୍ରାଙ୍କ ସହିତ ମୋତେ (ଶ୍ରୀଜଗନ୍ନାଥ) ଓ ଶ୍ରୀବଳଭଦ୍ରଙ୍କୁ ରଥାରୂଢ଼ କରାଇ ମୋର ଜନ୍ମସ୍ଥାନ ‘ମହ୦ାବେଦି’ ଗୁଣ୍ଡିଚା ମଣ୍ଡପକୁ ନେଇଯିବ । ଶାସ୍ତ୍ରବିତମାନଙ୍କ ମତାନୁଯାୟୀ, ରଥ ସନ୍ଧିନୀ ଶକ୍ତିର ପ୍ରତୀକ ହୋଇଥିବାରୁ ରଥାରୂଢ଼ ହେଲେ ଜଗଦୀଶ୍ୱର ପରମଦୟାଳୁ ହୋଇଯାଆନ୍ତି । ଏହି ସମୟରେ ଜଗଦୀଶ୍ୱର ରଥାରୂଢ଼ ହେଲେ ବାମନସଦୃଶ ଦୃଶ୍ୟମାନ ହୋଇଥାନ୍ତି । ଏଥିପାଇଁ ଗୋଟିଏ ବହୁଳ ପ୍ରଚାରିତ ଶ୍ଳୋକ ହେଉଛି “ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ” ।
ରଥାରୂଢ଼ ଶ୍ରୀବିଗ୍ରହମାନଙ୍କୁ ଅଗଣିତ ଭକ୍ତଜନ ଦର୍ଶନ କରି ଜୀବନକୁ ଧନ୍ୟ ମନେ କରିଥାନ୍ତି । ଏହାଦ୍ୱାରା ସାର୍ବଜନୀନ ଜୀବନ ଆନନ୍ଦମୟ ହୁଏ । ଆଧ୍ୟାତ୍ମିକ ଦୃଷ୍ଟିରୁ ପ୍ରତ୍ୟେକ ଜୀବ ସ୍ଥୂଳ, ସୂକ୍ଷ୍ମ ଓ କାରଣ ଶରୀରରେ କର୍ମଫଳଭୋଗ କରେ । ଉକ୍ତ ତ୍ରିବିଧ ଶରୀରଧାରୀ ଜୀବଙ୍‌ପକୁ ପରଂବ୍ରହ୍ମ ଶ୍ରୀଜଗଦୀଶ୍ୱର ହିଁ ଦୟା ପ୍ରଦର୍ଶନ କରନ୍ତି । କଥିତ ଅଛି ଯେ, ରତ୍ନସିଂହାସନରେ ପ୍ରଭୁ ବିରାଜମାନ କରୁଥବାବେଳେ ବ୍ରାହ୍ମଣ, ବୈଷ୍ଣବ ଓ ସାଧାରଣ ଜନତା ପ୍ରତି ପ୍ରଭୁ ଯେତିକି କୃପା କରନ୍ତି, ରଥାରୂଢ଼ ଥିବାବେଳେ ତଦପେକ୍ଷା ଅଧିକ କୃପା କରିଥାନ୍ତି । ପ୍ରଭୁ କୃପାନେତ୍ରରେ ଦର୍ଶନ ଦେବାବେଳେ ଭକ୍ତମାନଙ୍କ ମନ ପବିତ୍ର ହୋଇଥାଏ । ତେଣୁ ପରଂବ୍ରହ୍ମ ଓ ତାଙ୍କ ଦିବ୍ୟ ରଥ ତତ୍ତ୍ୱ ଦୃଷ୍ଟିରୁ ଏକ ଓ ଅଭିନ୍ନ । ସୁତରାଂ, ମହାବାହୁ ଜ୍ୟୋର୍ତିବ୍ରହ୍ମ ଜଗଦୀଶ୍ୱରଙ୍କ କରୁଣାକର ପରିପ୍ରଚାରକ ଶ୍ରୀଗୁଣ୍‌ଡିଚା ସକଳ ତାରତମ୍ୟର ଉର୍ଦ୍ଧ୍ୱରେ ସମତା ଓ ସଦ୍ଭାବନାର ଏକ ଭାବ ସଂପ୍ରତୀସୂଚକ ପ୍ରତୀକ ।

LEAVE A REPLY

Please enter your comment!
Please enter your name here