ଋଣ ଶୁଝିନଥିଲେ କୋର୍ଟକୁ ଟଣା ହେବେନି

0
81

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୦/୦୯ (ବ୍ୟୁରୋ)- କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା କର୍ପୋରେଟ୍ ଜଗତକୁ ଆବଶ୍ୟକ ହେଉଥିବା ଜରୁରୀକାଳୀନ ଆଶ୍ବସ୍ତି ପ୍ରଦାନ କରିବା ଲାଗି ଇନସଲ୍‌ଭନ୍ସେି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ରେ ସଂଶୋଧନ ଅଣାଯାଇଛି। ପୂର୍ବରୁ ଏନେଇ ଏକ ଅଧ୍ୟାଦେଶ ଆସିଥିଲା। କରୋନା ମହାମାରୀକୁ ନଜରରେ ରଖି କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଛଅ ମାସର ଆଶ୍ବସ୍ତି ଦେବା ଲାଗି ସେଥିରେ ବ୍ୟବସ୍ଥା ରହିଥିଲା। ସେହି ଅଧ୍ୟଦେଶକୁ ବିଲ୍‌ରେ ପରିଣତ କରି ଆଜି ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା। ବାଚନିକ ଭୋଟ୍‌ରେ ତାହା ଗୃହୀତ ହୋଇଛି। କରୋନା ମହାମାରୀର ପ୍ରଭାବକୁ ବିଚାରକୁ ନେଇ ଆଇବିସି କୋଡ୍‌ର ଧାରା ୭,୯ ଓ ୧୦କୁ ବାତିଲ କରାଯାଇଛି। ଏହି ତିନି ଧାରା ଋଣ ଦେଇଥିବା ଆର୍ଥିକ ସଂସ୍ଥାଗୁଡ଼ିକୁ ଗ୍ରାହକଙ୍କ ବିରୋଧରେ ଦେବାଳିଆ ବା ଇନସଲଭେନ୍ସି ମାମଲା ଆରମ୍ଭ କରିବାର କ୍ଷମତା ଦେଇଥିଲା। ଏଥି ସହିତ ଆଇବିସିରେ ଏକ ନୂଆ ଧାରା ‘୧୦ଏ’ ଯୋଡ଼ାଯାଇଛି। କଂପାନିଗୁଡ଼ିକୁ ଅତି କମ୍‌ରେ ଛଅ ମାସର ଆଶ୍ବସ୍ତି ମିଳିଛି। ଦରକାର ପଡ଼ିଲେ ସେହି ଅବଧି ୨୦୨୧ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଅର୍ଥାତ ମୋଟ ଉପରେ ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ରେ ସଂଶୋଧନ କରାଯାଇଥିବାରୁ ଋଣ ଶୁଝିପାରିନଥିବା ଗ୍ରାହକମାନଙ୍କ ବିରୋଧରେ ଋଣ ଦେଇଥିବା ଆର୍ଥିକ ସଂସ୍ଥା ଦେବାଳିଆ ମାମଲା ରୁଜୁ କରିପାରିବେ ନାହିଁ। ଦେଶରେ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ଲାଗୁ କରାଯାଇଥିଲା। ଏହା ପରେ ଯେଉଁ କଂପାନିଗୁଡ଼ିକ ଋଣ ଶୁଝିପାରିନାହାନ୍ତି ସେମାନଙ୍କୁ ଛଅ ମାସ ପର୍ଯ୍ୟନ୍ତ କୋର୍ଟକୁ ଟଣାଯାଇପାରିବ ନାହିଁ। ତେବେ ଲକ୍‌ଡାଉନ୍ ପୂର୍ବରୁ ବିଭିନ୍ନ କଂପାନି ନାମରେ ଯେଉଁ ମାମଲା ରୁଜୁ ହୋଇଥିଲା ତାହାର ବିଚାର ଆଇନ ଅନୁସାରେ ଜାରି ରହିବ। ସେହି ବିଚାର ପ୍ରକ୍ରିୟା ଅଟକିବ ନାହିଁ। ଆଜି ଆଇବିସି ସଂଶୋଧନ ବିଲ୍‌ ଉପରେ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତ ଯେ କଂପାନିଗୁଡ଼ିକୁ ବନ୍ଦ କରିବା ନୁହେଁ ବରଂ ସେଗୁଡ଼ିକ ଚାଲୁ ରଖିବା ଲାଗି ଉଦ୍ୟମ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। ଆଇବିସି ପ୍ରକ୍ରିୟାରେ ୨୫୮ଟି କଂପାନିକୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here