ଆମ ପ୍ରତି ଟ୍ରମ୍ପ୍‌ ଶୁଭଙ୍କର

0
32

ଆଚିଭର୍ସ ନ୍ୟୁଜ୍ ୨୯/୦୯ (ବ୍ୟୁରୋ)-  ଆସନ୍ତା ନଭେମ୍ବର ମାସରେ ଆମେରିକାରେ ନିର୍ବାଚନ ହେବ ଓ ୨୦୨୧ ଜାନୁଆରି ମାସରେ ଟ୍ରମ୍ପ୍‌ ଆଉ ଚାରି ବର୍ଷ ପର୍ଯ୍ୟନ୍ତ ପଦାସୀନ ହେବେ ଅଥବା ଜୋ ବାଇଡେନ ନୂଆ ରାଷ୍ଟ୍ରପତି ହେବେ, ଜଣା ପଡ଼ିଯାଇଥିବ। ସାଧାରଣତଃ ଆମେରିକାର ଭୋଟରମାନେ ମତଦାନ କରିବା ସମୟରେ ପ୍ରାର୍ଥୀ ଆଠ ବର୍ଷ କ୍ଷମତାରେ ରହିବା ବିଚାର କରି ଭୋଟ ଦିଅନ୍ତି ଓ ଅଘଟଣ ନ ଘଟିଲେ, ଦ୍ବିତୀୟ ଥର ନିର୍ବାଚିତ ହେବା ଏକ ସାଧାରଣ କଥା। ଗତ କେତେ ବର୍ଷରେ ଯେଉଁ ୩ ଜଣ ରାଷ୍ଟ୍ରପତି ଦ୍ବିତୀୟ ଥର ନିମନ୍ତେ ପୁଣି ରାଷ୍ଟ୍ରପତି ହୋଇନାହାନ୍ତି, ସେମାନେ ହେଲେ ଲିଣ୍ତନ ଜନସନ, ଯିଏ ଭିଏତ୍‌ନାମ୍‌ ଯୁଦ୍ଧ କାଳିମା ହେତୁ ଦ୍ବିତୀୟ ବାର ନିମନ୍ତେ ପ୍ରାର୍ଥୀ ହେଲେ ନାହିଁ; ଜିମି କାର୍ଟର, ଯିଏ ଆମେରିକାନମାନଙ୍କୁ ତେହେରାନରୁ ବନ୍ଦୀତ୍ବରୁ ରକ୍ଷା କରିପାରିଲେନାହିଁ; ଏବଂ ଜର୍ଜ ବୁସ ସିନିଅର, ଯେ କି ଇରାକ ଯୁଦ୍ଧରେ ବଦନାମ ହେଲେ। ବର୍ତ୍ତମାନ ଦୁଇ ପ୍ରାର୍ଥୀମାନଙ୍କ ମଧୢରୁ ଜନମତ ସର୍ଭେରେ ବାଇଡେନଙ୍କ ସପକ୍ଷରେ ଅଧିକ ସମର୍ଥନ ଥିବା କୁହାଯାଉଛି।

ଅଧିକାଂଶ ଆମେରିକାନ ଶ୍ବେତବର୍ଣ୍ଣ ସ୍ବଚ୍ଛଳ ବ୍ୟକ୍ତି ଟ୍ରମ୍ପ୍‌ଙ୍କ ସପକ୍ଷବାଦୀ। ଅଣ ଶ୍ବେତାଙ୍ଗ ଓ ଅପେକ୍ଷାକୃତ କମ ସ୍ବଚ୍ଛଳ ବ୍ୟକ୍ତିମାନେ ଡେମୋକ୍ରାଟିକ ପାର୍ଟିର ସମର୍ଥକ। ଏବେ ଆମେରିକାରେ ଶ୍ବେତାଙ୍ଗ ଓ ଅଣଶ୍ବେତାଙ୍ଗ ସ˚ଖ୍ୟା ପ୍ରାୟ ସମାନ ହୋଇଗଲାଣି। ଶ୍ବେତାଙ୍ଗମାନେ ନାମ ମାତ୍ର ଅଧିକ। ଆମେରିକାରେ ନାଗରିକ ହୋଇଥିବା ଭାରତୀୟମାନେ ମଧୢ ଦ୍ବିଧା ବିଭକ୍ତ। ପୂର୍ବରୁ ଅଧିକା˚ଶ ଭାରତୀୟ ଡେମୋକ୍ରାଟିକ ଦଳର ପଞ୍ଜିକୃତ ଭୋଟର ଥିଲେ। ଗଲା କେତେ ବର୍ଷ ହେଲା ଅବସ୍ଥାରେ ପରିବର୍ତ୍ତନ ଘଟିଛି। ଅନେକ ଭାରତୀୟ ବର୍ତ୍ତମାନ ବିତ୍ତଶାଳୀ ଓ ସେମାନଙ୍କ ସ୍ବାର୍ଥ ରିପବ୍ଲିକାନ ଧନୀ ଭୋଟରଙ୍କ ସ୍ବାର୍ଥ ସଙ୍ଗେ ସମାନ। ଏଇ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥକ ଓ ମୋଦୀ-ଟ୍ରମ୍ପ୍‌ଙ୍କ ବ୍ୟକ୍ତିଗତ ଉତ୍ତମ ସମ୍ପର୍କ ଦ୍ବାରା ସେମାନେ ପ୍ରଭାବିତ ହେବାର ସମ୍ଭାବନା ଅଧିକ। ଡେମୋକ୍ରାଟିକ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଭାରତୀୟ ବ˚ଶୋଦ୍ଭବ ହେଲେ ମଧୢ, ଭାରତୀୟମାନଙ୍କ ଅପେକ୍ଷା କୃଷ୍ଣ ଆମେରିକାନମାନଙ୍କ ସଙ୍ଗେ ଅଧିକ ସମ୍ପର୍କ ରକ୍ଷା କରନ୍ତି ଓ ସେଇମାନଙ୍କ ସମର୍ଥନରେ କାଲିଫର୍ଣ୍ଣିଆର ବିଭିନ୍ନ ନିର୍ବାଚନରେ ଜୟ ଲାଭ କରିଛନ୍ତି। ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ତାଙ୍କର ପ୍ରଭାବ ସୀମିତ ଓ ସେ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିମୁଖ। ତେଣୁ ଅଧିକ ଭାରତୀୟ ଭୋଟ ଓ ଅର୍ଥ ରିପବ୍ଲିକାନ ଦଳ ସପକ୍ଷରେ ଯିବା ସମ୍ଭବ। ବର୍ତ୍ତମାନର ରାଜନୈତିକ ପ୍ରବାହରେ କିଏ ରାଷ୍ଟ୍ରପତି ହେବ ପୂର୍ବାନୁମାନ କରିବା କଷ୍ଟକର ବ୍ୟାପାର, ଉଭୟଙ୍କର ସମ୍ଭାବନା ଅଛି। ବିଶିଷ୍ଟ ଇଂରେଜୀ ଦାର୍ଶନିକ ବଟ୍ରାଣ୍ତ ରସେଲଙ୍କ ମତରେ ଗଣତାନ୍ତ୍ରିକ ପଦ୍ଧତିରେ ଅଧିକା˚ଶ ସମୟରେ ମଧୢମ ମେଧା (Mediocre) ଶ୍ରେଣୀର ଲୋକ କ୍ଷମତାକୁ ଆସନ୍ତି। ଉପରୋକ୍ତ ଦୁଇଜଣ ପ୍ରାର୍ଥୀ ସେଇ ଶ୍ରେଣୀର। ଏମାନଙ୍କ ମଧୢରୁ କିଏ ନିର୍ବାଚିତ ହେଲେ, ଭାରତ ସହିତ କେଉଁ ପ୍ରକାର ସମ୍ପର୍କ ରହିବ- ତାହା ଆମ ନିମନ୍ତେ ଗୁରୁତ୍ବର ବିଷୟ।

ଟ୍ରମ୍ପ୍‌ ବା ବାଇଡେନ୍‌, ଯେ ବି ନିର୍ବାଚିତ ହୁଅନ୍ତୁ କେହି ଆମର ସମସ୍ୟା ଗୁଡ଼ିକର ଉପଶମ ନିମନ୍ତେ ସମ୍ପୂର୍ଣ୍ଣ ସାହାଯ୍ୟ କରିବେ ନାହିଁ। ନିଜ ଦେଶର ସ୍ବାର୍ଥରକ୍ଷା ସହିତ ଯୋଡ଼ି ହୋଇ ଆମର ଯେତିକି ସ୍ବାର୍ଥ ରକ୍ଷା ହୋଇପାରିବ, ସେତିକି ହିଁ ସେମାନଙ୍କ ଠାରୁ ଆଶା କରାଯାଇପାରିବ। ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତିରେ ଚୀନ୍‌ର ସମ୍ପ୍ରସାରଣବାଦ ଆମ ପ୍ରତି ସବୁଠାରୁ ଅଧିକ ଆତଙ୍କ ସୃଷ୍ଟି କରୁଛି। ଓବାମା ସରକାରଙ୍କ ଆଠ ବର୍ଷର କାର୍ଯ୍ୟାବଳୀ, ଯେତେବେଳେ ବାଇଡେନ୍‌ ଉପରାଷ୍ଟ୍ରପତି ଥିଲେ ଓ ଟ୍ରମ୍ପ୍‌ ସରକାରଙ୍କର ବିଗତ ଚାରିବର୍ଷ ପାଖାପାଖି କାର୍ଯ୍ୟାବଳୀ ପର୍ଯ୍ୟାଲୋଚନା କଲେ ପ୍ରତୀୟମାନ ହୁଏ ଯେ, ଚୀନ୍‌ ସହିତ ମୁକାବିଲାରେ ଟ୍ରମ୍ପ୍‌ ଅଧିକ ଆଗ୍ରହୀ ଓ ଆମ ପ୍ରତି ତାହା ଶୁଭଙ୍କର।

LEAVE A REPLY

Please enter your comment!
Please enter your name here