‘ଆମେରିକା ଆଗ’

0
36

ଆଚିଭର୍ସ ନ୍ୟୁଜ୍ ୨୭/୦୯ (ବ୍ୟୁରୋ)-  ସେପ୍‌ଟେମ୍ବରର ପ୍ରଥମ ସୋମବାରକୁ ଏଠି ‘ଶ୍ରମିକ ଦିବସ’ ରୂପେ ପାଳନ କରାଯାଏ। ସରକାରୀ, ବେସରକାରୀ ସବୁ ମହଲରେ ସେ ଦିନ ଛୁଟି ହୁଏ। ସୁପର ମାର୍କେଟ, ଡିପାର୍ଟମେଣ୍ଟ ଷ୍ଟୋର ଏବଂ ରେଷ୍ଟୁରାଣ୍ଟ ମାନଙ୍କରେ ସେଦିନ ଭିଡ଼ ହୁଏ। ଛୁଟି ଦିନରେ କାମ କରୁଥିବା କର୍ମଚାରୀମାନଙ୍କୁ ଅଧିକ ମଜୁରି ମିଳେ। ଲୋକମାନେ ଏହି ଦିନ ବାହାରେ ପିକ୍‌ନିକ୍‌ କରନ୍ତି। ବନ୍ଧୁମାନଙ୍କ ସମାଗମ ହୁଏ। କିନ୍ତୁ ଏ ବର୍ଷର କରୋନା ଭାଇରସ୍ ଯୋଗୁ ଚାରିଆଡ଼େ ଉଦ୍‌ବେଗ। ଦୋକାନ ଭିତରକୁ ଏକା ସମୟରେ ସୀମିତ ସଂଖ୍ୟକ ଲୋକଙ୍କୁ ଯିବାକୁ ଦିଆଯାଉଛି। ବନ୍ଧୁ ମିଳନ ପାଇଁ ଉତ୍ସାହିତ କରାଯାଉନାହିଁ। ତେଣୁ ଦିନଟି ବେଶ୍ ମାନ୍ଦା ହେବା ସ୍ୱାଭାବିକ।

ଏ ବର୍ଷ ହେଲା ରାଷ୍ଟ୍ରପତି ନିର୍ବାଚନର ବର୍ଷ। ଏଣୁ ଟ୍ରମ୍ପ୍‌ ଓ ବାଇଡେନ୍- ଏ ଉଭୟଙ୍କ ତରଫରୁ ଟେଲିଭିଜନରେ ଧମାଧମ୍ ପ୍ରଚାର ଚାଲିଛି। କରୋନା ଭାଇରସ୍ ଯୋଗୁ ଅନ୍ୟ ବର୍ଷ ପରି ବଡ଼ ବଡ଼ ସଭା କିମ୍ବା ଲୋକ ସମାବେଶ କରିବା କ୍ଷତିକାରକ। ତେଣୁ ବାଇଡେନ୍ ଟେଲିଭିଜନ ମାଧ୍ୟମରେ ଦେଶବାସୀଙ୍କୁ ନିଜର ବାର୍ତ୍ତା ଶୁଣାଉଛନ୍ତି। ମାତ୍ର ଟ୍ରମ୍ପ୍‌ ଭାଇରସର ମାରାତ୍ମକତାକୁ ସ୍ୱୀକାର କରିବାକୁ ନାରାଜ। ଏଣୁ ବିଭିନ୍ନ ଜାଗାରେ ସେ ଦେଖେଇ ହେବା ପାଇଁ ସଭା ସମିତି କରୁଛନ୍ତି।

‘ଶ୍ରମିକ ଦିବସ’ ପରେ ଗ୍ରୀଷ୍ମ ଋତୁଟି ଶେଷ ହେଲା ବୋଲି ଧରିନିଆଯାଏ। ସରକାରୀ ଅଫିସ୍ ଓ କମ୍ପାନିର କର୍ମଚାରୀମାନେ ଖରା ଦିନ ଛୁଟିର ଭ୍ରମଣ ସାରି ‘ଶ୍ରମିକ ଦିବସ’ ଦିନ ବା ତା’ ଆଗରୁ ଘରକୁ ଫେରନ୍ତି। ସ୍କୁଲ କଲେଜ ସବୁ ଖୋଲିଯାଏ। ଲୋକେ ପୁଣି ନିଜ ନିଜ କାମରେ ଲାଗନ୍ତି। ରାଷ୍ଟ୍ରପତି ପ୍ରାର୍ଥୀମାନେ ସାଧାରଣତଃ ଏହି ଦିନ ପରେ ହିଁ ସେମାନଙ୍କର ପ୍ରଚାର ବିଧିବଦ୍ଧ ଭାବରେ ଚଲାନ୍ତି। ମାତ୍ର ପ୍ରଚାରର ପଦ୍ଧତି ଏ ବର୍ଷ ଅଲଗା ପ୍ରକାରର ହୋଇଛି।

ଅତୀତରେ ୟୁରୋପର ଖ୍ରୀଷ୍ଟିୟାନମାନେ ଯେତେବେଳେ ପରସ୍ପର ସହିତ ଯୁଦ୍ଧ କରୁଥିଲେ, ରବିବାର ଦିନଟା ତାଙ୍କର ଲଢ଼େଇରେ ବିତୁ ନଥିଲା। ମାତ୍ର ନେପୋଲିୟନଙ୍କ ଅମଳରେ ସେ ବାରଣ ଆଉ ରହିଲା ନାହିଁ। ପରବର୍ତ୍ତୀ କାଳରେ ‌ମହାଯୁଦ୍ଧ ବେଳକୁ ରାତି, ଦିନ, ରବିବାର ଭିତରେ କୌଣସି ପାର୍ଥକ୍ୟ ଆଉ ରହିଲା ନାହିଁ କି ସୈନିକ ଓ ନାଗରିକ ଭିତରେ ମଧ୍ୟ ପ୍ରଭେଦ ରହିଲା ନାହିଁ। ଠିକ୍ ସେମିତି ଏ ବର୍ଷର ଆମେରିକାନ୍ ନିର୍ବାଚନରେ ‘ଶ୍ରମିକ ଦିବସ’ର ସୀମା ରେଖାକୁ କେହି ମାନୁ ନାହାନ୍ତି। ଟେଲିଭିଜନରେ ପ୍ରଚାର ବହୁ ପୂର୍ବରୁ ଆରମ୍ଭ ହୋଇ ସାରିଛି। ଏହାର ଆଉ ଗୋଟିଏ କାରଣ ହେଲା ଆଗ ଭଳି ସଭା କରିବା ସମ୍ଭବ ହେଉ ନାହିଁ I ବାରାକ ଓବାମା ନିର୍ବାଚନ ଲଢୁଥିବା ବେଳେ ତାଙ୍କ ସଭାରେ ବେଳେ ବେଳେ ୧୦ ହଜାର ବା ୨୦ ହଜାର ଲୋକ ଯୋଗ ଦେଉଥିଲେ। ମାତ୍ର ଏତେ ଲୋକଙ୍କୁ ଏବେ ଏକାଠି ଠୁଳ କରିବା ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ଠିକ୍ ନୁହେଁ।

ତିନିଟି କଥା ଉପରେ ଏବେ ଆମେରିକା ସାରା ଆଲୋଚନା ଚାଲିଛି। ଖାଲି ରାଷ୍ଟ୍ରପତି ପଦର ପ୍ରାର୍ଥୀ ନୁହନ୍ତି ସିନେଟର, ଲୋକସଭାର ପ୍ରତିନିଧି, ଗଭର୍ଣ୍ଣର, ମେୟର, ୱାର୍ଡ ମେମ୍ବର ପଦ ପାଇଁ ଠିଆ ହୋଇଥିବା ଲୋକମାନଙ୍କୁ ମଧ୍ୟ ଏଇ ତିନିଟି ମୁଖ୍ୟ କଥା ଉପରେ ନିଜର ମତ ରଖିବାକୁ ପଡୁଛି। ପ୍ରଥମଟି ହେଲା କରୋନା ଭାଇରସ। ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ଚିକିତ୍ସା ଓ ନିରାପତ୍ତା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବା ଓ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଶେଯ ସଂଖ୍ୟା ବଢ଼ାଇବା ଉପରେ ପ୍ରର୍ଥୀମାନଙ୍କୁ ଜେରା କରାଯାଉଛି। ପ୍ରତିଦିନ ହଜାରେ ଲୋକ ମରୁଛନ୍ତି ଏହି ରୋଗରେ। ଏଣୁ ଆମେରିକାର ଲୋକମାନେ ସନ୍ତ୍ରସ୍ତ ଓ କ୍ରୁଦ୍ଧ।

ଦ୍ୱିତୀୟଟି ହେଲା ଆର୍ଥିକ ପୁନରୁଦ୍ଧାର। କରୋନା ଭାଇରସ୍ ଯୋଗୁ ସବୁ ରକମର କାର୍ଯ୍ୟାଳୟ – କାରଖାନା, ସବୁ ସ୍ତରର ଶିକ୍ଷାଳୟ, ରେଷ୍ଟୁରାଣ୍ଟ, ଷ୍ଟୋର, ହୋଟେଲ ଇତ୍ୟାଦି ବନ୍ଦ ଅଛି। ଅନେକ ଲୋକ କାମ ଅଭାବରୁ ଘର ଭଡ଼ା ଏବଂ ନିଜ ନିଜ ଘରର କିସ୍ତି ଦେଇ ପାରୁ ନାହାନ୍ତି। ସେମାନଙ୍କୁ କେମିତି ସହଜରେ ସାହାଯ୍ୟ ମିଳିବ ସେଥିପାଇଁ ପ୍ରାର୍ଥୀମାନେ ନିଜ ନିଜର ଯୋଜନା ଉପସ୍ଥାପନ କରୁଛନ୍ତି।

ତୃତୀୟ କଥାଟି ବଡ଼ ବିସ୍ଫୋଟକ। ସେଇଟା ହେଲା କଳା ଲୋକମାନଙ୍କ ଉପରେ ପୁଲିସର ଦୌରାତ୍ମ୍ୟ। ଆଇନ ଦୃଷ୍ଟିରେ ତ ସମସ୍ତେ ସମାନ। ମାତ୍ର କଳା ଲୋକଙ୍କ ଉପରେ ପୁଲିସର ଅଧିକ କଟକଣା କାହିଁକି ବୋଲି ଖାଲି କଳା ଲୋକେ ନୁହନ୍ତି, ଗୋରା ଲୋକେ ମଧ୍ୟ ପ୍ରଶ୍ନ କରୁଛନ୍ତି। ଏ ପ୍ରସଙ୍ଗରେ ପ୍ରାର୍ଥୀ ଜଣକ କଅଣ କରିବେ – ଏ ବିଷୟରେ ପ୍ରଶ୍ନ କରାଯାଉଛି।

ପୁଲିସର ଦୁର୍ବ୍ୟବହାର ସବୁଠି ଦେଖିବାକୁ ମିଳେ। ଦଶ ବର୍ଷ ତଳର କଥା। ଟ୍ୟୁନିସିଆ ଦେଶର ରାଜଧାନୀ ଟିଉନିସ୍ ସହରରେ ମହମ୍ମଦ ବୋଲି ଜଣେ ଯୁବକ ଫଳ ବିକ୍ରି କରୁଥିଲା। ଗୋଟିଏ ପୁଲିସ୍ବାଲା ଆସି ତା’ ଫଳତକ ଉଠେଇ ନେଲା ଓ ‘ଏଠି କାହିଁକି ବସିଛୁ’ ବୋଲି କହି ତା’ର ଟେବୁଲଖଣ୍ଡକୁ ଗଡ଼େଇ ଦେଲା। ପୁଲିସର ଏ ଅନ୍ୟାୟ ବିରୋଧରେ ମହମ୍ମଦ ଗଲା ଥାନାକୁ ଆପତ୍ତି କରିବା ପାଇଁ। ‘କାହିଁକି ଆପତ୍ତି କରୁଛୁ’ ବୋଲି କହି ପୁଲିସବାଲା ତାକୁ ଥାନା ଭିତରେ ପିଟିଲେ। ଘଟଣାଟା ହେଲା କଟା ଘା’ରେ ଚୂନ ଦେଲା ଭଳି। ଯୁବକ ମହମ୍ମଦକୁ ଏଭଳି ଅପମାନ ଅସହ୍ୟବୋଧ ହେଲା। ଥାନା ବାହାରକୁ ଆସି ସେ ନିଜ ଦେହରେ ନିଆଁ ଲଗାଇ ଦେଇ ଆତ୍ମହତ୍ୟା କଲା। ମହମ୍ମଦର ଆତ୍ମହତ୍ୟା କଥାଟା ଗୋଟିଏ କାନରୁ ଦୁଇ କାନ ହେଲା ଓ କ୍ରମେ ସମୁଦାୟ ସହର ତା’ କଥା ଜାଣିଲା। ଲୋକେ ଉତ୍ତ୍ୟକ୍ତ ହୋଇ ଥାନାଟିକୁ ପୋଡ଼ି ଦେଲେ। ଦେଶ ସାରା ପ୍ରତିବାଦ ଏତେ ଜୋରରେ ହେଲା ଯେ ବହୁ ବର୍ଷ ହେଲା କ୍ଷମତାରେ ଥିବା ରାଷ୍ଟ୍ରପତି ବେନ୍ ଅଲ୍ଲି ଦେଶ ଛାଡ଼ି ମକ୍କାକୁ ପଳାଇଲେ। ଟ୍ୟୁନିସିଆର ଆନ୍ଦୋଳନର ଧାସ ଆଲଜେରିଆ, ୟେମେନ୍, ଲିବ୍ୟା ଓ ଇଜିପ୍ଟର ଲୋକମାନଙ୍କୁ ଉତ୍ତପ୍ତ କଲା। ସେ ସବୁ ଦେଶର ଲୋକମାନେ ଆନ୍ଦୋଳନ କରିବା ଦ୍ୱାରା ଦୀର୍ଘ ଦିନ ଧରି କ୍ଷମତାରେ ଥିବା ସେ ଦେଶର ଶାସକମାନେ ଗାଦିଚ୍ୟୁତ ହେଲେ। କାହାରି କାହାରି ମୁଣ୍ଡକାଟ ମଧ୍ୟ ହେଲା। ଆରବ ଦେଶମାନଙ୍କରେ ଏ ଯେଉଁ ହୁଲସ୍ତୁଲ ଆରମ୍ଭ ହେଲା ତାକୁ କୁହାଯାଉଛି ‘ଆରବ ଦେଶର ବସନ୍ତ’।

ଆମେରିକା ଯେତେ ଯାହା କଲେ ବି ସମଗ୍ର ଦୁନିଆର ଘଟଣାବଳୀରୁ ନିଜକୁ ବିଚ୍ଛିନ୍ନ ରଖି ପାରିବ ନାହିଁ। ସେଥିପାଇଁ କୌଣସି ଦେଶରେ ଏବୋଲା, ସାର୍ସ କିମ୍ବା ଏଡ୍‌ସ ଭଳି ରୋଗ ବ୍ୟାପିଲେ ତାକୁ କମାଇବା ପାଇଁ ଆମେରିକା ସାହାଯ୍ୟ କରିବାକୁ ବାଧ୍ୟ। କାରଣ ଛୋଟ ବଡ଼ ଅନ୍ୟ ସବୁ ଦେଶର ଭାଗ୍ୟ ସହିତ ଆମେରିକାର ଭାଗ୍ୟ ଜଡ଼ିତ। ସେ ଦେଶ ମାନଙ୍କରେ ଗଣତାନ୍ତ୍ରିକ ପଦ୍ଧତିରେ ସମୃଦ୍ଧି ହେଲେ ଆମେରିକାର ମଧ୍ୟ ଉପକାର ହେବ। ଏ ଭଳି ଚିନ୍ତା ଏଠି ଅନେକଙ୍କର ରହିଛି। ରୁଷିଆର ଟ୍ରଟସ୍କି, ଚୀନର ତେଙ୍ଗ୍ ଓ ଭାରତର ନେହେରୁ ଏହି ବିଶ୍ୱ ଜନିତ ଚିନ୍ତାର ବଶବର୍ତ୍ତୀ ଥିଲେ ବୋଲି କୁହାଯିବ। ବାହାର ଜଗତ୍‌ ସହିତ ସହଯୋଗ କରି ନିଜ ଦେଶକୁ ମଜଭୁତ୍ କରାଯିବ ନା ନିଜ ଦେଶକୁ ପୂରାପୂରି ଶକ୍ତିଶାଳୀ କରି ସାରିଲା ପରେ ବାହାର ଜଗତ୍‌ କଥା ଚିନ୍ତା କରାଯିବ- ଏ ଦୁଇ ପ୍ରକାରର ଚିନ୍ତା ଭିତରେ ଝଗଡ଼ା ଯୁଗ ଯୁଗରୁ ଚଳି ଆସିଛି।

ସେମିତି ଉପରୋକ୍ତ ଦୁଇ କଥାରୁ କେଉଁଟା ଠିକ୍ ତାକୁ ନିର୍ଣ୍ଣୟ କରିବା କାଠିକର ପାଠ। ଆମେରିକାର ବର୍ତ୍ତମାନ ପରିସ୍ଥିତିରେ ଟ୍ରମ୍ପ୍‌ ‘ଆମେରିକା ଆଗ’ ବୋଲି କହୁଥିବା ବେଳେ ବାଇଡେନଙ୍କର ମତ ଯେ ଆମେରିକା ଯାହା କିଛି କରିବାକୁ ଯିବ ସେଇଟା ଅନ୍ୟ ଦେଶମାନଙ୍କ ସହିତ ମିଶିକରି କରିବ ଓ ସମସ୍ତଙ୍କର ସହମତି ନେଇ କରିବ। ଦେଶର ଚିନ୍ତାଶୀଳ ମହଲରେ ତାଙ୍କର ଏ କଥାଟି ଗ୍ରହଣୀୟ ବୋଲି ଜଣାପଡୁଛି।

LEAVE A REPLY

Please enter your comment!
Please enter your name here