ଆତ୍ମନିର୍ଭର ହିଁ ଜାତିପ୍ରେମର ଦୃଷ୍ଟାନ୍ତ

0
102

ଆଚିଭର୍ସ ନ୍ୟୁଜ୍ ୨୭/୦୮ (ବ୍ୟୁରୋ)- ଉତ୍କଳ ସମ୍ମିଳନୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହିତ ତା’ର ମର୍ଯ୍ୟାଦା ଓ ସ୍ୱାଭିମାନ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ମଧୁବାବୁଙ୍କ ସ୍ୱଦେଶାନୁରାଗର ଏକାନ୍ତ ଲକ୍ଷ୍ୟ ଥିଲା-ଓଡ଼ିଶା ଗଠନ, ଅର୍ଥନୈତିକ ଉନ୍ନତି, ଶିକ୍ଷା ସଂସ୍କୃତିର ବିକାଶ, ଶିଳ୍ପନୀତିରେ ପ୍ରସାର, ରାସ୍ତାଘାଟ ଓ ରେଳପଥର ଉନ୍ନତିକରଣ, କୃଷି ସହିତ ଆତ୍ମନିର୍ଭରଶୀଳ ହେବାପାଇଁ କୁଟୀରଶିଳ୍ପର ଅଗ୍ରଗତି, ସର୍ବୋପରି ଓଡ଼ିଆ ଜାତୀୟତାର ସୂକ୍ଷ୍ମ ଚେତନାକୁ ପ୍ରତ୍ୟେକ ଓଡ଼ିଆପ୍ରାଣରେ ସଂଚାରିତ କରିବା । ଯାହାର ଫଳଶ୍ରୁତି ହେଉଛି ଓଡ଼ିଆ ଜାତିରେ ଆତ୍ମ ପରିଚିତ ଆଜିର ଓଡ଼ିଶା ।
ଯୁଦ୍ଧ ଭୂମିରେ ଶେଷ ସଂଗ୍ରାମ କରୁଥିବା ଆଜାଦ ହିଦ୍ ଫୌଜର ଜଣେ ସୈନିକ କହିଥିଲେ- “ଆପଣ ଫେରି ଯାଉଛନ୍ତି ଭାଇ । ନେତାଜୀଙ୍କ ସାଙ୍ଗରେ ଆପଣଙ୍କର ଦେଖା ହେବ । ତାଙ୍କୁ ମୋର ‘ଜୟ ହିନ୍ଦ’ ଜଣେଇ ଦେବେ । ତାଙ୍କୁ କହିବେ-ମୃତ୍ୟୁର ଏହି ଦାରୁଣ ଯନ୍ତ୍ରଣା ଭିତରେ ବି ମୁଁ ଏକ ଦିବ୍ୟ ଆନନ୍ଦ ଓ ଅପୂର୍ବ ଶାନ୍ତି ଉପଲବ୍ଧି କରୁଛି । କାରଣ ପ୍ରତି ମୁହୂର୍ତ୍ତରେ ମୋର ମନେ ହେଉଛି-ମୁଁ ମୋ ଜନ୍ମଭୂମି ଭାରତବର୍ଷର ସ୍ୱାଧୀନତା ପାଇଁ ପ୍ରାଣ ଉତ୍ସର୍ଗ କରୁଛି ।”
ସମ୍ପ୍ରତି ଦେଶ ଯେଉଁ ସଂକଟ ଦେଇ ଗତି କରୁଛି, ସେ ଦିଗରେ ପ୍ରତ୍ୟେକ ନାଗରିକ ସଚେତନ ହେବା ଉଚିତ । ଏକ ପକ୍ଷରେ କରୋନା ପରି ମହାମାରୀର ସର୍ବେଗ୍ରାସୀ କ୍ଷୁଧା ବିରୁଦ୍ଧରେ ସଂଗ୍ରାମ, ତଦ୍‌ଜନିତ ଅର୍ଥନୈତିକ ବିପର୍ଯ୍ୟୟ ଓ ସର୍ବୋପରି ଚୀନ୍ ଓ ପାକିସ୍ତାନ ପକ୍ଷରୁ ସୃଷ୍ଟି କରାଯାଇଥିବା ସଂକଟ । ଏହି ତ୍ରିବିଧ ମହାଶତ୍ରୁ ଭାରତୀୟ ସ୍ୱାଧୀନତା ଓ ସାର୍ବଭୌମତ୍ୱକୁ ଗ୍ରାସ କରିବା ପାଇଁ ସତେଯେପରି ଏକ ଦୈବୀ ଦୁର୍ଯୋଗ । ସମୟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରତ୍ୟେକ ଭାରତୀୟ ମାତୃଭୂମିର ସୁରକ୍ଷା ଓ ମାନରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ବା’ନୀୟ ।
ନିକଟରେ ସରକାର ଚାଇନା ପ୍ରସ୍ତୁତ କେତେକ ଅନ୍‌ଲାଇନ ସେବାକୁ ରଦ୍ଦ କରିଛନ୍ତି; କିନ୍ତୁ ଏତିକି ଯଥେଷ୍ଟ ନୁହେଁ । ଆମ ଦେଶର ପ୍ରତ୍ୟେକ ନାଗରିକ ଯଦି ଶପଥ କରେନ୍ତ ଯେ, ଚାଇନା ପ୍ରସ୍ତୁତ କୌଣସି ପଦାର୍ଥକୁ ଆମେ ସ୍ୱଦେଶୀ ହେବୁ, ତେବେ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନ ସାକାର ହୁଅନ୍ତା । ଶୁଦ୍ଧ ଅନ୍ତଃକରଣରେ ଆମର ଏକ ସଂକଳ୍ପ ହୁଅନ୍ତା ଆମ ଦେଶପ୍ରୀତିର ପରିଚୟ ।
ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ଏ ଲଢ଼େଇରେ ଦଳଗତ ବିଭେଦ, ବ୍ୟକ୍ତିଗତ ସ୍ୱାର୍ଥ, ଜାତିଗତ ଓ ଧାର୍ମିକ ବିଭେଦକୁ ଭୁଲି ଗୋଟିଏ, ପତାକା ତଳେ ଛିଡ଼ା ହୋଇ ସମସ୍ତେ ଗର୍ବର ସହିତ କହିବା-ମୁଁ ଜଣେ ଭାରତୀୟ ।

LEAVE A REPLY

Please enter your comment!
Please enter your name here