ଆତ୍ମନିର୍ଭର ଭାରତ-ପ୍ରତିରକ୍ଷା କ୍ଷେତ୍ର

0
86

ଆଚିଭର୍ସ ନ୍ୟୁଜ୍‌, ୧୧/୦୮ (ବ୍ୟୁରୋ)- ଆମର ପ୍ରତିରକ୍ଷା ନୀତିୁ ତଦନୁସାରେ ବିଭିନ୍ନ ସମୟରେ ପରିବର୍ତ୍ତନ କରାଯାଉଛି । ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ବା ଡିଆର୍‌ଡିଓ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସହଯୋଗ ଯୋଗାଉଛି । ଦେଶୀ କରିଗରୀ ଜ୍ଞାନକୌଶଳ ଉପଯୋଗ କରି ଭାରତ ଆତ୍ମରକ୍ଷାର ଅଧକାର ହାସଲ କରିଛି ବିଭିନ୍ନ ପ୍ରକାର କ୍ଷେପଣାତ୍ସ୍ର ଓ ଯୁଦ୍ଧ ଉପକରଣ ତିଆରି କରି । ଆମେ ଶାନ୍ତି ପାଇଁ ଆଣବିକ ଶକ୍ତିର ଉପଯୋଗ କରୁଥିବାବେଳେ ସାମରିକ ଆବଶ୍ୟକତା ପୂରଣ ପାଇଁ ଆଣବିକ ଅତ୍ସ୍ରର ମଧ୍ୟ ଅଧିକାରୀ ହୋଇପାରିଛୁ । ଭାରତ ଯୁଦ୍ଧଖୋର ଓ ବିସ୍ତାରବାଦୀ ନୀତିରେ ବିଶ୍ୱାସ କରୁନଥିବାରୁ ସାମରିକୀକରଣକୁ ଅଗ୍ରାଧିକାର ଦିଏନାହିଁ । ତେଣୁ ରାଜସ୍ୱର ବଡ଼ଭାଗ ବିଭିନ୍ନ କଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ ହେଉଛି । ଏହି ନୀତିକୁ ସମାଲୋଚନା କରାଯାଇନପାରେ । ତେବେ ସମୟ ବଦଳୁଥିବାରୁ ଏବଂ ପଡ଼ୋଶୀମାନେ ଭାରତ ଉପରେ ଲୋଲୁପ ଦୃଷ୍ଟି ପକାଉଥିବାରୁ ସାମରିକ ଶକ୍ତି ବୃଦ୍ଧି ଏବେ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ସେଥିପାଇଁ ଗତ କିଛିକାଳ ହେଲା ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ଏବଂ ସେନାର ଯୁଦ୍ଧ ଦକ୍ଷତା ବୃଦ୍ଧି ପାଇଁ ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି । ବିଡ଼ମ୍ବନା ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ ସାମରିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାରତର ପ୍ରତିରକ୍ଷା ବ୍ୟବସ୍ଥା ପୁରୁଣାକାଳିଆ ଏବଂ ଏହା ମୁଖ୍ୟତଃ ବିଦେଶରୁ ଆମଦାନୀ ହେଉଥିବା ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ଉପରେ ନିର୍ଭରଶୀଳ । ଏପରିକି ସାଧାରଣ ରାଇଫଲ, ଗୁଳିଗୋଳା ଓ ତୋପ କମାଣରେ ଏହା ପରମୁଖାପେକ୍ଷୀ । ଏଥିପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ କୋଟି ଟଙ୍କାର ସାମରିକ ସାମଗ୍ରୀ ବିଦେଶରୁ ଆମଦାନୀ ହୁଏ । ସେଥିରେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଦୁର୍ନୀତିର ଅଭିଯୋଗ ଉଠେ । ଏବେ ‘ଆତ୍ମନିର୍ଭରଶୀଳ ଭାରତ’ ଯୋଜନାରେ ଆମ ଦେଶ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଆତ୍ମନିର୍ଭଶୀଳ ହେବାକୁ ଆରମ୍ଭ କରିଛି । ବିଳମ୍ବରେ ହେଉ ପଛେ ଏହା ଏକ ଉତ୍ତମ ନିଷ୍ପତ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଐତିହାସିକ ନିଷ୍ପତ୍ତି ନେଇ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ୧୦୧ ପ୍ରକାରର ସାମରିକ ଉପ୨କରଣ ଆମଦାନୀକୁ ନିଷିଦ୍ଧ କରିବାକୁ ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ୱାଗତଯୋଗ୍ୟ ।
ପ୍ରତିରକ୍ଷାବାହିନୀର ଏହି ଆତ୍ମନିର୍ଭରଶୀଳ ପ୍ରୟାସରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଜଡ଼ିତ । ଦେଶ ଅସ୍ତ୍ରଶସ୍ତ୍ର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହ ଆମଦାନୀ ଜନିତ ବିପୁଳ ବ୍ୟୟ ବଞ୍ଚାଇବ । ଏହା ‘ମେକ୍ ଇନ୍ ଇଣ୍ଡିଆ’କୁ ସଫଳ କରିବା ସହ ଆମ ବୈଜ୍ଞାନିକ ଓ ବୈଷୟିକ ବୁଦ୍ଧିବିଦ୍ୟା ପ୍ରୟୋଗ ପାଇଁ ନୂଆ ଅବସର ଆଣିବ । ସର୍ବୋପରି ଏହା ଦେଶରେ ନିଯୁକ୍ତି ପରିସର ବଢ଼ାଇ ଅସ୍ତ୍ରଶସ୍ତ୍ର ରପ୍ତାନିର ସୁଯୋଗ ସୃଷ୍ଟି କରିବ । ଏହା ଏକ ଉତ୍ତମ ଓ ସ୍ୱାଗତଯୋଗ୍ୟ ବିଚାର । ଆମେ ଯେପରି ଉନ୍ନତମାନର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ଉତ୍ପାଦନ କରିପାରିବା ଏବଂ ଆମଦାନୀ କଟକଣା ଯୋଗୁଁ ପ୍ରତିରକ୍ଷାବାହିନୀ ଯେପରି ଅସୁବିଧାରେ ନପଡ଼େ ସେଥିପ୍ରତି ଆମକୁ ବିଶେଷ ଦୃଷ୍ଟି ଦେବାକୁ ହେବ । ଏକଦା ତତ୍କାଳିନ ପାକ୍ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲି ଭୁଟ୍ଟୋ କହିଥିଲେ, ‘ପାକିସ୍ତାନ ଘାସ ଖଇବ ପଛେ ପରମାଣୁ ବୋମା ତିଅରି କରିବ’ । ସେ ଏକଥା କହିବା ପଛରେ ତାଙ୍କର ନିଶାଣ ଥିଲା ଭାରତ ଉପରେ । ଆମ ଭାରତ କିନ୍ତୁ ଘାସ ନଖାଇ ପାକିସ୍ତାନ ଭଳି ଦରିଦ୍ର ନହୋଇ ଆଣବିକ ବୋମା ତିଆରି କରିପାରିଛି । ଆମ ଲୋକଙ୍କୁ ଓ ଦେଶକୁ ଅପେକ୍ଷାକୃତ ବେଶ୍ ଭଲରେ ରଖି ଏବେ ଯେଉଁ ନୂଆ ଅସ୍ତ୍ରଶସ୍ତ୍ର ଆହରଣ ନୀତି ଆପଣାଇଛି ତାହା ବେଶ୍ ସ୍ୱାଗତଯୋଗ୍ୟ ଓ ସମୟୋପଯୋଗୀ ।

LEAVE A REPLY

Please enter your comment!
Please enter your name here