ଆଇପିଏଲ୍‌ ମହାସଂଗ୍ରାମ: ଆଜି ମୁମ୍ବାଇରେ ଧୋନି-କୋହଲି

0
6

ଆଇପିଏଲ୍‌-୨୦୨୧ରେ ରବିବାର ଡବଲ୍ ଧମାଲ ଦେଖିବାକୁ ମିଳିବ। ସୁପରସଣ୍ଡେରେ ବହୁ ପ୍ରତୀକ୍ଷିତ ଧୋନି-କୋହଲି ମହାମୁକାବିଲା ସହ ଦିଲ୍ଲୀର ଉତ୍ସାହୀ ଅଧିନାୟକ ଋଷଭ ପନ୍ତଙ୍କ ସାମ୍ନାରେ ଅଷ୍ଟ୍ରେଲୀୟ ଡେଭିଡ୍ ୱାର୍ନର ରହିବେ। ମହେନ୍ଦ୍ର ସିଂହ ‌ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ଓ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଲଢ଼େଇ ଅପରାହ୍‌ଣ ୩ଟା ୩୦ରୁ ଆରମ୍ଭ ହୋଇଯିବ। ଅନ୍ୟପକ୍ଷରେ ସାଢେ ସାତରୁ ଖେଳାଯିବାକୁ ଥିବା ରାତି ମ୍ୟାଚ୍‌ରେ ଋଷଭଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ୱାର୍ନରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍ ବେଶ୍ ରୋମାଞ୍ଚକର ଓ ଉତ୍କଣ୍ଠାଭରା ହେବ ବୋଲି ଆଶା କରାଯାଉଛି। ତେବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅପରାଜେୟ ଧାରାକୁ ଚେନ୍ନାଇ ସୁପରକିଙ୍ଗ୍ସ ରୋକିପାରିବ କି? ହ୍ୟାଟ୍ରିକ୍ ପରାଜୟ ପରେ ବିଜୟର ମିଠାମିଠା ସ୍ବାଦ ଚାଖିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ପନ୍ତଙ୍କ ଯୁବ ଦଳକୁ ପରାସ୍ତ କରିପାରିବ କି? ସେ ଚର୍ଚ୍ଚା ଏବେ ସବୁଆଡ଼େ ଚାଲିଛି। ହେଲେ ସବୁକିଛି ଦଳୀୟ ସ୍କୋର ଉପରେ ନିର୍ଭର କରିବ।ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଚେନ୍ନାଇ-ମୁମ୍ବାଇ ମ୍ୟାଚ୍ ହାଇସ୍କୋରିଂ ହୋଇପାରେ। ଚେନ୍ନାଇର ଏମଏ୍‌ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ କିନ୍ତୁ ଦିଲ୍ଲୀ ଓ ହାଇଦ୍ରାବାଦ ବ୍ୟାଟର୍‌ଙ୍କୁ ଜୋସ୍ ପରିବର୍ତ୍ତେ ହୋସ୍‌ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। କାରଣ ଚିଦାମ୍ବରମ୍ ପିଚ୍‌ ଲଗାତାର ଭାବେ ବୋଲରଙ୍କୁ ସୁହାଉଥିଲା ବେଳେ ଏଠାରେ ବଡ଼ ସଟ୍ ଖେଳିବା ଆଦୌ ସହଜ ହେଉନି। ଏପରିକି ଏହି ପିଚ୍‌କୁ ବହୁ ଖେଳାଳି ସମାଲୋଚନା କରିସାରିଲେଣି।ପଏଣ୍ଟ୍‌ ତାଲିକାର ପ୍ରଥମ ଦୁଇ ସ୍ଥାନରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ର ଦୁଇ ମହାରଥୀ ଧୋନି ଓ କୋହଲି ଚଳିତ ଋତୁରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିବେ। ଆର୍‌ସିବି ନିଜ ପ୍ରଥମ ଚାରିଟି ମ୍ୟାଚ୍‌ରେ ଲଗାତାର ବିଜୟ ହାସଲ କରି ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ଥିଲା ବେଳେ ନିଜ ପ୍ରଥମ ମ୍ୟାଚ୍‌କୁ ହାରିବା ପରେ ହ୍ୟାଟ୍ରିକ୍ ବିଜୟ ସହ ସିଏସ୍‌କେ ଦ୍ବିତୀୟ ସ୍ଥାନରେ ଅଛି। ଆର୍‌ସିବି ତାର ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟ୍‌ରେ ଧରାଶାୟୀ କରିଛି। ସେପଟେ ସିଏସ୍‌କେ ମଧ୍ୟ ଉଚ୍ଚକୋଟୀର କ୍ରିକେଟ୍ ଖେଳି ଗତ ତିନିଟି ଯାକ ମ୍ୟାଚ୍‌ରେ ଆତ୍ମବିଶ୍ବାସଭରା ବିଜୟ ହାସଲ କରିଛି।ଆର୍‌ସିବି ପାଇଁ ସବୁଠାରୁ ଭଲ ଖବର ହେଲା କରୋନା ମୁକ୍ତ ହୋଇ ଦଳ ସହ ଯୋଗ ଦେବା ପରେ ଦୁଇଟି ପାଳିରେ ଅପେକ୍ଷାକୃତ ବଡ଼ ସ୍କୋର କରି ପାରିନଥିବା ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପଡ଼ିକଲ ପ୍ରଥମ ବିଜେତା ରାଜସ୍ଥାନ ବିପକ୍ଷ‌ରେ ଶତକୀୟ ପାଳି ଖେଳିଛନ୍ତି। ଅଧିନାୟକ କୋହଲି ବି ପୂରା ଫର୍ମରେ ଅଛନ୍ତି। ମିଷ୍ଟର ଥ୍ରୀ ସିକ୍ସଷ୍ଟି ଏବି ଡି’ ଭିଲିୟର୍ସ ଧମାକାଦାର ବ୍ୟାଟିଂ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି। ଗତ ଋତୁରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରି ପଞ୍ଜାବ କିଙ୍ଗ୍ସରୁ ବିଦା ହେବା ପରେ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଭାଗ୍ୟ ଯେମିତି ବଦଳି ଯାଇଛି। ଆର୍‌ସିବିର ଚାରିଟି ଯାକ ମ୍ୟାଚ୍‌ରେ ସେ ବହୁତ ଭଲ ବ୍ୟାଟିଂ କରିଛନ୍ତି। ଆର୍‌ସିବିର ଶକ୍ତିଶାଳୀ ବ୍ୟାଟିଂ ବାହିନୀକୁ କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଚାରିଟି ୱିକେଟ୍ ନେଇଥିବା ଚେନ୍ନାଇ ବୋଲର ଦୀପକ ଚହରଙ୍କୁ ପ୍ରତିହତ କରିବାକୁ ପଡ଼ିବ। କାରଣ ଗତ ତିନିଟି ଯାକ ମ୍ୟାଚ୍‌ରେ ଚହରଙ୍କ ଚମକ ହିଁ ସିଏସ୍‌କୁ ହ୍ୟାଟ୍ରିକ୍ ବିଜୟ ଦେଇଛି।

LEAVE A REPLY

Please enter your comment!
Please enter your name here