ଅବସର ନିଷ୍ପତ୍ତି ବଦଳାଇବେ ଯୁବି

0
60

ଚଣ୍ଡିଗଡ, ଆଚିଭର୍ସ ନ୍ୟୁଜ୍ ୧୦/୦୯ (ବ୍ୟୁରୋ)-  ପଡ଼ିଆ ଭିତରେ ପୁଣି ଥରେ ଦେଖିବାକୁ ମିଳିବ ଯୁବିଙ୍କ ଯାଦୁ। ଛକା ବର୍ଷା ସହ ସ୍ପିନ୍ ବଲ୍‌ରେ ବ୍ୟାଟର୍‌ଙ୍କୁ ‌ବୋଲ୍ଡ କରିବାର ଦୃଶ୍ୟ। କାରଣ ଅବସର ନିଷ୍ପତ୍ତି ବଦଳାଇବାକୁ ଯାଉଛନ୍ତି ସେ। ୩୮ ବର୍ଷୀୟ ଯୁବି ଏଥିନେଇ କୌଣସି ଆନୁଷ୍ଠାନିକ ଘୋଷଣା କରି ନାହାନ୍ତି। ‌ହେଲେ ସେ ଅବସରରୁ ବାହରି ନିଜ ରାଜ୍ୟ ପଞ୍ଜାବ ପାଇଁ ଘରୋଇ କ୍ରିକେଟ୍ ଖେଳିବାର ଚର୍ଚା ବୁଧବାର ଜାତୀୟ ଗଣମାଧ୍ୟମର ଅନ୍ୟତମ ଶିରୋନାମା ପାଲଟିଥିଲା। ଜାତୀୟ ଚୟନକର୍ତ୍ତାଙ୍କ ଦ୍ବାରା ଢେର କିଛି ସମୟ ପାଇଁ ଅଣଦେଖା ହେବା ପରେ ଗତବର୍ଷ ହିଁ ଅବସର ଘୋଷଣା କରିଥିଲେ ଯୁବି। ତେବେ ଯୁବି କ୍ରିକେଟ୍‌ ପଡ଼ିଆରେ ଆଉଥ‌ରେ ରାଜ୍ କରିବାର ଆଶା ଓ ଆକାଂକ୍ଷା ତାଙ୍କ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି।

୨୦୧୧ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିବା ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କ ପାଖରେ ଏବେବି ଅନେକ କ୍ରିକେଟ୍ ବାକିଅଛି ବୋଲି ବିଶେଷଜ୍ଞମାନେ କହୁଥିଲେ। ଗତ କିଛି ମାସ ହେବ ପଞ୍ଜାବର ଯୁବ ତାରକାଗଣ ଯଥା ଶୁବମନ ଗିଲ୍, ଅଭିଷେକ ଶର୍ମା ଓ ଅନମୋଲପ୍ରୀତ ସିଂହ ମଧ୍ୟ ଏକଥା ତାଙ୍କୁ କହି ଆସୁଥିଲେ। ଯୁବରାଜ ମଧ୍ୟ ସେମାନଙ୍କ ସହ ଢେର କିଛି ସମୟ କଟାଉଥିଲେ। ପଞ୍ଜାବ କ୍ରିକେଟ୍ ସଂଘ ଯେତେବେଳେ ତାଙ୍କୁ ଅବସର ନିଷ୍ପତ୍ତି ବଦଳାଇ ପୁଣି ଥରେ କ୍ରିକେଟ୍ ଖେଳିବାକୁ କହିଲା, ସେତେବେଳେ ଯୁବି ମଧ୍ୟ ଏହି ବିକଳ୍ପକୁ ତର୍ଜମା କରିବା ଆରମ୍ଭ କରି ଦେଇଥିଲେ। ଏବେ ତାଙ୍କ ବ୍ୟାଟିଂକୁ ନେଇ ବେଶ୍ ଖୁସି ଅଛନ୍ତି ସେ। ଗତ ଦୁଇ ମାସ ହେବ ଅଭ୍ୟାସ କରିବା ସହ ପଞ୍ଜାବର ଅଫ୍ ସିଜନ୍ ପ୍ରଶିକ୍ଷଣ ଶିବିରରେ ମଧ୍ୟ ଯୋଗଦେଇଥିଲେ ଯୁବରାଜ। ତାଙ୍କ ପୁରୁଣା ଲୟ ଫେରି ଆସିଥିବା ଦେଖି ପଞ୍ଜାବ କ୍ରିକେଟ୍ ସଂଘ ସଂପାଦକ ପୁନୀତ ବାଲି ତାଙ୍କୁ ଅବସର ନିଷ୍ପତ୍ତି ବଦଳାଇ ପୁଣି ଥରେ ପଞ୍ଜାବ ପାଇଁ ଖେଳିବାକୁ ଅନୁରୋଧ କରିଥିଲେ। ବାଲି’ଙ୍କ ଅନୁରୋଧକୁ ଯୁବରାଜ ଏଡ଼ାଇ ପାରିବେ ନାହିଁ ବୋଲି କହିବା ପରେ ସେ ପୁଣି ଥରେ ଘରୋଇ କ୍ରିକେଟ୍ ଖେଳିବାର ଆଶା ସଂଚାର ହୋଇଛି। ଯୁବି ମଧ୍ୟ ବିସିସିଆଇ ଅନୁମତି ନେଇ ଅନ୍ୟ ଦେଶରେ ଆୟୋଜିତ ହେଉଥିବା ଲିଗ୍‌ରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here