କୋଭିଡ୍‌-୧୯ ଓ ଶିକ୍ଷା ବ୍ୟବସ୍ଥା

0
21

ଆଚିଭର୍ସ ନ୍ୟୁଜ୍‌, ୩୦/୦୬ (ବ୍ୟୁରୋ)- ମାର୍ଚ୍ଚରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବା ଯୋଗୁଁ ଚଳିତବର୍ଷର ପାଠ୍ୟକ୍ରମ ଶେଷ ହୋଇନଥିବାବେଳେ ପରୀକ୍ଷା ମଧ୍ୟ ହୋଇପାରିନାହିଁ । ଶିକ୍ଷାନୁଷ୍ଠାନଗୁଡ଼ିକ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଥିବାବେଳେ ଶିକ୍ଷକମାନଙ୍କୁ କରୋନା ଡିଉଟି ଦିଆଯାଇଛି । ତେବେ କେତେକ ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ୍ ମାଧ୍ୟମରେ ପାଠପଢ଼ା ଚାଲିଛି ଏବଂ କୋର୍ସ ଶେଷ କରାଯାଉଛି । ଯଦିଓ ଅନ୍‌ଲାଇନ୍ ବ୍ୟବସ୍ଥା ନିୟମିତ କ୍ଲାସ୍‌ରୁମ୍ ବା ସିଧାସଳଖ ପାଠପଢ଼ାର ବିକଳ୍ପ ହୋଇନପାରେ ତଥାପି କରୋନା ସ୍ଥିତିରେ ଏହାର ଆବଶ୍ୟକତା ରହିଛି । ପୂର୍ବରୁ ସ୍କୁଲରେ ମୋବାଇଲ ଫୋନ୍ ନେବା ମନା ଥିଲା, କିନ୍ତୁ ବର୍ତ୍ତମାନ ଏହା ଏକ ଆବଶ୍ୟକତା ହୋଇଯାଇଛି । ସ୍ମାର୍ଟଫୋନ୍ ବା ଆଣ୍ଡ୍ରଏଡ୍ ଫୋନ୍‌ରେ ଇଣ୍ଟରନେଟ ବା ଡାଟା କନେକ୍ସନ ମାଧ୍ୟମରେ ଅନ୍‌ଲାଇନ୍ ପାଠପଢ଼ା ଚାଲିଛି, କିନ୍ତୁ ରାଜ୍ୟର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା କିମ୍ବା ୩-ଜି, ୪-ଜି ସୁବିଧା ନାହିଁ କିମ୍ବା ପିଲାମାନଙ୍କର ଡାଟା ଖର୍ଚ୍ଚ ଦେବା ପାଇଁ ସାମର୍ଥ୍ୟ ନାହିଁ । ଫଳସ୍ୱରୂପ ସେମାନେ ଅନ୍‌ଲାଇନ୍ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ଏଭଳି ପିଲାମାନେ ସ୍ମାର୍ଟଫୋନ୍ ଓ ଡାଟାବେସ୍ ଥିବା ପିଲାମାନଙ୍କ ପାଇଁ ହୀନମାନ୍ୟତାର ଶିକାର ହୋଇ ଅଧ୍ୟୟନ କ୍ଷେତ୍ରର ପଛେଇ ଯାଉଛନ୍ତି । ସେମାନଙ୍କର ମାନସିକ ଚାପ ବା ହତାଶାଭାବ ବୃଦ୍ଧି ପାଇ ମେଧା ପ୍ରଭାବିତ ହେବାର ଆଶଙ୍କା ରହିଛି । ପୁଣି ଏହାଦ୍ୱାରା ସାମାଜିକ ବୈଷମ୍ୟ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଅନ୍‌ଲାଇନ୍ ବ୍ୟବସ୍ଥା ସହିତ ଅଭ୍ୟସ୍ତ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାର୍ଥୀଙ୍କୁ ନେଇ ଗଠନ କରାଯାଇଥିବା ହ୍ୱାଟସ୍‌ଆପ୍ ଗ୍ରୁପ ଉପରେ ଶିକ୍ଷକ, ଅଧ୍ୟାପକମାନଙ୍କର ନିୟନ୍ତ୍ରଣ ରହିପାରୁନାହିଁ । ପୁଣି, ଆଣ୍ଡ୍ରଏଡ୍ ଫୋନ୍ ଓ ନେଟ୍ କନେକ୍ସନ ଥିବା ଛାତ୍ରଛାତ୍ରୀମାନଙ୍କର ମଧ୍ୟ ଫୋନ୍ ଚଳାଇବା କିମ୍ବା ପରିଚାଳନା ପାଇଁ ଦକ୍ଷତା ସମାନ ନୁହେଁ ଅଥବା ଏ ଦିଗରେ ସେମାନଙ୍କୁ ମାର୍ଗଦର୍ଶନ ପାଇଁ ସେଭଳି କୌଣସି ପ୍ରଶିକ୍ଷକ ମଧ୍ୟ ସହଜରେ ମିଳନ୍ତି ନାହିଁ ।
ତେବେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଧ୍ୟାନରେ ରଖି ବିକଳ୍ପ ବ୍ୟବସ୍ଥା କରି ବାକିଥିବା ପାଠ୍ୟକ୍ରମଗୁଡ଼ିକର ଶିକ୍ଷାଦାନ ଏବଂ ତାହାର ସଠିକ୍ ମୂଲ୍ୟାୟନ କରିବା ବର୍ତ୍ତମାନ ଶିକ୍ଷା ବିଭାଗ ଓ ଶିକ୍ଷକ ସମାଜ ପାଇଁ ଏକ ଚିନ୍ତାର ବିଷୟ ହୋଇଛି । ତେବେ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଅନ୍‌ଲାଇନ୍ ପାଠପଢ଼ା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଭିତ୍ତିଭୂମି ସଜାଡ଼ି ସୁଦୃଢ଼ କରିବାକୁ ପଡ଼ିବ ଏବଂ ତା’ସହିତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ହେଉଥିବା ଉପକରଣମାନ ଯୋଗାଇଦେଇ ଏଥିପାଇଁ ଉନ୍ନତମାନର ଉପଯୁକ୍ତ ତାଲିମ ଦିଆଯିବା ଦରକାର ।

LEAVE A REPLY

Please enter your comment!
Please enter your name here