କୋଭିଡ୍‌-୧୯ ଓ ଡବ୍ଲୁଏଚ୍‌ଓର ଆଭିମୁଖ୍ୟ

0
39

ଆଚିଭର୍ସ ନ୍ୟୁଜ୍‌, ୧୬/୦୭ (ବ୍ୟୁରୋ)- କରୋନା ଏବେ କୌଣସି ଗୋଟିଏ ରାଷ୍ଟ୍ରର ନୁହେଁ ସମଗ୍ର ମାନବ ସମାଜ ସକାଶେ ଗଣଶତ୍ରୁ ପାଲଟିଛି । ଗତ ଚାରିମାସର କରୋନା ଆତଙ୍କକୁ ଲକ୍ଷ୍ୟକଲେ ଡକ୍ଟର ଘିବ୍ରେସସଙ୍କ ଏଭଳି ଉକ୍ତିରେ ନିଶ୍ଚିତ ସତ୍ୟତା ରହିଛି ବୋଲି ବିଶ୍ୱାସ କରାଯାଇପାରିବ । ଏବେ ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକକୋଟି ୩୦ଲକ୍ଷକୁ ଟପି ସାରିଲାଣି । ପୁଣି ଏଥିରେ ଆକ୍ରାନ୍ତ ହୋଇ ୫ଲକ୍ଷରୁ ଅଧ୍ଚଳ ଲୋକ ପ୍ରାଣ ହରାଇ ସାରିଲେଣି । ବର୍ତ୍ତମାନର ବିଜ୍ଞାନ ଯୁଗରେ ଯଦି ଏକ ବିଶ୍ୱଯୁଦ୍ଧ ଲାଗିଥାନ୍ତା ତେବେ ହୁଏତ ଏହାଠରୁ କମ୍ ଲୋକଙ୍କ ପ୍ରାଣନାଶ ଘଟିଥାନ୍ତା । ଏଭଳି ପରିସଂଖ୍ୟାନ ଯେତିକି ଗୁରୁତର ନୁହେଁ ପ୍ରତିଦିନ ବିଶ୍ୱର ପ୍ରାୟ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ରାଷ୍ଟ୍ରରେ ଯେତିକି ସଂଖ୍ୟକ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ତାହା ଉଦ୍‌ବେଗର କାରଣ । ଏବେ ଦିନକୁ ହାରାହାରି ୨,୩୦,୦୦୦ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ତେଣୁ ସେମାନଙ୍କର ଚିକିତ୍ସା ଦରକାର । କିନ୍ତୁ ଦିନକୁ ଦିନ ଚିକିତ୍ସା ସେବା ଜଟିଳ ହୋଇପଡୁଛି । କାରଣ ଡାକ୍ତରଖାନାରେ ବେଡ଼ର ଅଭାବ । ଏହା କେବଳ ଭାରତ କିମ୍ବା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଷ୍ଟ୍ରର ସମସ୍ୟା ନୁହେଁ, ସମଗ୍ର ବିଶ୍ୱର ଚିନ୍ତା । ତେଣୁ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଉଣା ଅଧିକେ ସବୁ ରାଷ୍ଟ୍ର ଏଥିପାଇଁ ବିଶେଷ ସମର୍ପିତ ହସ୍ପିଟାଲମାନ ସ୍ଥାପନ କରିଛନ୍ତି ଏବଂ ସେଠାରେ ଭେଣ୍ଟିଲେଟର ସମେତ ଅନ୍ୟାନ୍ୟ ଜରୁରୀ ସଂସାଧନର ବ୍ୟବସ୍ଥା କରାଯାଇଛି । କେବଳ ଯେ ଚିକିତ୍ସା ସୁବିଧା କରିଦେଲେ କରୋନା ଉପରେ ବିଜୟ ହାସଲ କରିହେବ ତାହା ନୁହେଁ । ଏଥିପାଇଁ ଯାହା ସର୍ବପ୍ରଥମେ ଆବଶ୍ୟକ ତାହା ହେଉଛି । ପ୍ରତିଷେଧକ ଉପଚାର । ସକଳ ପ୍ରକାର ବୈଜ୍ଞାନିକ ପ୍ରୟାସ ସତ୍ତ୍ୱେ କରୋନା ପ୍ରତିଷେଧକ ବାହାରି ପାରିନାହିଁ । ତେଣୁ ରୋଗୀମାନଙ୍କ ଚିକିତ୍ସା ଯେତିକି ବିଳମ୍ବିତ ହେଉଛି ତା’ଠାରୁ ଅଧିକ ଆକ୍ରାନ୍ତ ଡାକ୍ତାଖାନାରେ ଭର୍ତ୍ତି ହେଉଛନ୍ତି । ଯେଉଁମାନେ ଏଥିରୁ ଆରୋଗ୍ୟ ଲାଭ କରୁଛନ୍ତି ସେମାନେ ଯେ ପୁନଃ ଆକ୍ରାନ୍ତ ନହେବେ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ।
ଏହା ସତ୍ତ୍ୱେ ଅନେକ ରାଷ୍ଟ୍ର କରୋନା ସଂକ୍ରମଣକୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଗୁରୁତର ସହ ଗ୍ରହଣ କରୁନାହାନ୍ତି ବୋଲି ଡବ୍ଲୁଏଚ୍‌ଓ ମୁଖ୍ୟ କ୍ଷୋଭ ପଷ୍ଠଳଙ୍କ କରିଛନ୍ତି । ଏହା କେବଳ ସେହିସବୁ ରାଷ୍ଟ୍ରର ଜନସାଧାରଣଙ୍କୁ ନୁହେଁ ସମଗ୍ର ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ଉତ୍ପନ୍ନ କରିଛି । ଏକବିଂଶ ଶତାବ୍ଦୀରେ ମଣିଷ ଏବେ ଏଭଳି ଏକ ସମୟରେ ଆସି ପାଦ ଥାପିଛି ଯେତେବେଳେ ପରସ୍ପର ଠାରୁ କେହି ପୃଥକ୍ ହୋଇ ବଞ୍ଚିରହିପାରିବେ ନାହିଁ । ତେଣୁ ପାରସ୍ପରିକ ନିର୍ଭରଶୀଳତା ହିଁ ଏଭଳି ମହାମାରୀ ସଂକ୍ରମଣର ମୂଳ କାରଣ । ଏଥିପାଇଁ ଗଲା ଚାରି ପାଞ୍ଚମାସ ଭିତରେ ବିଶ୍ୱକୁ ଯେତିକି ଦୁର୍ଦ୍ଦଶା ଭୋଗ କରିବାକୁ ଓ କ୍ଷତି ସହ୍ୟ କରିବାକୁ ପଡ଼ିଛି ତାହା ହୁଏତ ପୂର୍ବରୁ କେବେ ଘଟିନଥିଲା । କିନ୍ତୁ ଏହାର ନିୟନ୍ତ୍ରଣ ଏବଂ ଭବିଷ୍ୟତର ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ସମାନ ଭାବେ ଦାୟିତ୍ୱ ସଂପାଦନ କରିବାର ଆବଶ୍ୟକତା ରହିଛି । ଏପରିକି ଏବେ ୟୁରୋପୀୟ ରାଷ୍ଟ୍ରମାନେ ଚୀନରୁ ଏହି ମହାମାରୀର ଉତ୍ପତ୍ତି ଘଟିଥିବା ବେଳେ ତାହା ସେ ଦେଶରୁ କିଭଳି ସମୂଳେ ଉତ୍ପାଟିତ ହୋଇଛି ତାହାର କାରଣର ଅନୁଧ୍ୟାନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । କିନ୍ତୁ କଠୋର କଟକଣା ଏବେଂ ସାମୂହିକ ତଥା ବ୍ୟକ୍ତିଗତ ସ୍ତରରେ ନିଷ୍ଠାର ସହ ସଚେତନତା ଅବଲମ୍ବନ ବିନା ଏ ମହାମାରୀ ଉପରେ କାବୁ ପାଇବା ଅସମ୍ଭବ ବୋଲି ଡବ୍ଲୁଏଚଓ ମୁଖ୍ୟ ପରୋକ୍ଷରେ ଚେତାବନୀ ଶୁଣାଇଛନ୍ତି । ଏହାକୁ ସମସ୍ତ ରାଷ୍ଟ୍ର ଓ ଜନସାଧାରଣ ଗୁରୁତ୍ୱର ସହ ଗ୍ରହଣ କରିବା ଉଚିତ । କାରଣ ଏଥିରୁ ବର୍ତ୍ତିବାର ଅନ୍ୟ କୌଣସି ପନ୍ଥା ମଧ୍ୟ ଦୃଶ୍ୟ ହୁଏନାହିଁ ।

LEAVE A REPLY

Please enter your comment!
Please enter your name here