ଆଡ଼ପ ମଣ୍ଡପର ମହାତ୍ମ୍ୟ

0
23

ଆଚିଭର୍ସ ନ୍ୟୁଜ୍‌, ୨୯/୦୬ (ବ୍ୟୁରୋ)- ଆଡ଼ପ ମଣ୍ଡପ ବା ଆବିର୍ଭାବ ସ୍ଥାନଟି ସଂପ୍ରତି ଗୁଣ୍ଡିଚା ମନ୍ଦିର ନାମରେ ଖ୍ୟାତି ଲାଭ କରିଛି । ଏହି ସ୍ଥାନର ମାହାତ୍ମ୍ୟ ଓ ପବିତ୍ରତା ସଂପର୍କରେ ସ୍କନ୍ଦପୁରାଣୋକ୍ତ ଉତ୍କଳ ଖଣ୍ଡ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ୨୯ ଅଧ୍ୟାୟ ସ୍ଥିତି ୩୪ ଓ ୩୫ ଶ୍ଳୋକରେ ବର୍ଣ୍ଣନା କରାଯାଇଛି । ଯଥା- “ଗୁଣ୍ଡିଚା ମଣ୍ଡପଂ ନାମ ଯତ୍ରାହମଜନଂ ପୁରା/ଅଶ୍ୱମେଧସହସ୍ରସ୍ୟ ମହାବେଦୀ ତଦା ଭବତ୍‌/ ତସ୍ୟାଃ ପୁଣ୍ୟତମଂ ସ୍ଥାନଂ ପୃଥିବ୍ୟାଂ ନେହ ବିଦ୍ୟତେ” । ଅର୍ଥାତ୍‌- ରଥଯାତ୍ରା ରୂପକ ମହୋତ୍ସବ ସଂପାଦନ ପାଇଁ ବହୁସଂଖ୍ୟାରେ ଦ୍ୱିଜଗଣକୁ ପ୍ରୀତ କରାଇ ଯେଉଁ ଗୁଣ୍ଡିଚା ନାମକ ମଣ୍ଡପରେ ମୁଁ ପୂର୍ବେ ଆବିର୍ଭୂତ ହୋଇଥିଲି ଏବଂ ଯେଉଁ ସ୍ଥାନଟି ସମସ୍ର ଅଶ୍ୱମେଧ ଯଜ୍ଞର ମହାବେଦି ହୋଇଥିଲା, ସେହି ଗୁଣ୍ଡିଚା ମଣ୍ଡପକୁ ଆମ୍ଭମାନଙ୍କୁ ବିଜେ କରାଇବା ପାଇଁ ମହାପ୍ରଭୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୃଥିବୀରେ ସେ ସ୍ଥାନ ଅପେକ୍ଷା ପବିତ୍ରତମ ସ୍ଥାପ ଆଉ ନାହିଁ ।
ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡ ସ୍ଥିତ ଦିବ୍ୟ ସିଂହାସନରେ ଅବସ୍ଥାନ କରୁଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ । ଶୁକ୍ଳ ଦ୍ୱିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କରି ନୃସିଂହଙ୍କଠାରେ ସଂକଳ୍ପ ବ୍ରତ ଆରମ୍ଭ ହୋଇଥାଏ । ଏହାକୁ ମହାବେଦି ମହୋତ୍ସବ ବ୍ରତ ଶେଷ ହୁଏ । ସାଧାରଣତଃ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ବ୍ରତଚାରିଣୀମାନେ ଆଡ଼ପ ମଣ୍ଡପଠାରେ ଆଷାଢ଼ ଶୁକ୍ଳ ତୃତୀୟାଠାରୁ ନବମୀ ପର୍ଯ୍ୟନ୍ତ ସପ୍ତ ଦିବସବ୍ୟାପୀ ଏହି ବ୍ରତ ପାଳନ କରିଥାନ୍ତି । ମହାପ୍ରଭୁମାନଙ୍‌କ ଆଡ଼ପ ମଣ୍ଡପରେ ଅବସ୍ଥାନ ସମୟରେ ସବୁଠାରୁ ପୁଣ୍ୟତମ ଦିବସ ହେଲା ଆଡ଼ପ ମଣ୍‌ଡପରେ ନବମୀ ଦର୍ଶନ ବା ସନ୍ଧ୍ୟା ଦର୍ଶନ । ସମଗ୍ର ସନତନ ଧର୍ମାବଲମ୍ବୀ ବ୍ୟକ୍ତିଙ୍କ ପାଇଁ ଏହା ହେଉଛି ପୁଣ୍ୟଲାଭ ନିମନ୍ତେ ଏକ ପ୍ରଗାଢ଼ ଧର୍ମବିଶ୍ୱାସର ଦିନ ।
ଗୁଣ୍ଡିଚା ମନ୍ଦିର ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନେ ସପ୍ତ ଦିବସ ବ୍ୟାପୀ ଅବସ୍ଥାନ କରୁଥିବା ସମୟରେ ଶ୍ରୀମନ୍ଦିର ଭଳି ଏଠାରେ ଅନୁରୂପ ଭାବେ ସାଧାରଣ ନୀତି ଯଥା- ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ଇତ୍ୟାଦି ପାଳିତ ହେବା ସତିତ କେତେକ ସ୍ୱତନ୍ତ୍ର ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ତନ୍ମଧ୍ୟରେ ଯାତାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ, ହେରାପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀଙ୍କ ଆଡ଼ପ ମଣ୍ଡପକୁ ବିେ. ମଦନମୋହନ ଦେବଙ୍କ ରାହାସ ନୀତି, ସନ୍ଧ୍ୟାଦର୍ଶନ ଦିବସର ବିଶେଷ ଓ ଗୋପନୀୟନୀତି, ସର୍ବୋପରି ଆଷାଢ଼ ଶୁକ୍ଳ ଦଶମୀ ଦିନ ବାହୁଡ଼ା ଯାତ୍ରା ଉପଲକ୍ଷେ ପ୍ରାତଃକାଳରେ ଶ୍ରୀବିଗ୍ରହମାନେ ଧାଡ଼ି ପହଣ୍ଡିରେ ଗୁଣ୍‌ଡିଚା ଘର ନାକଚଣା ଦ୍ୱାରା ସମ୍ମୁଖରେ ସୁସଜ୍ଜିତ ରଥରେ ବିଜେପୂର୍ବକ ବାହୁଡ଼ା ଯାତ୍ରା କରିଥାନ୍ତି । ଏହାକୁ ପୁରାଣମାନଙ୍କରେ ଦକ୍ଷିଣାଭିମୁଖୀ ଯାତ୍ରା ଭାବେ ଅଭିହିତ କରାଯାଇଛି । ଏହିଦିନ ବିଷ୍ଣଙ୍କ୍ର ପାଳି ହେଉଥିବା ଦକ୍ଷିଣାଭିମୁଖୀ ରଥସ୍ଥ ଦେବ ଦର୍ଶନ ଅତ୍ୟନ୍ତ ପୁଣ୍ୟପ୍ରଦ ଓ ପାପତାପ ସଂହାରକ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ।

LEAVE A REPLY

Please enter your comment!
Please enter your name here